‘ଆଉଟ୍‌ ଅଫ୍‌ ଟର୍ଣ୍ଣ’ ପଦୋନ୍ନତି ବ୍ୟବସ୍ଥାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ

ଭୁବନେଶ୍ବର : ଗତାନୁଗତିକ କାମ ଓ ଧାର୍ଯ୍ୟ ଦାୟିତ୍ବ ତୁଲାଇବା ପରେ ଯେଉଁ ସରକାରୀ କର୍ମଚାରୀ ନିଜ ସ୍ତରରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ସରକାର ଓ ଲୋକଙ୍କୁ ସେବା ଯୋଗାଇଛନ୍ତି ସେମାନଙ୍କୁ ସରକାର ଆଗୁଆ ପଦୋନ୍ନତି ଦେବେ। ସରକାରଙ୍କ ଏହି ନୂଆ ନିୟମକୁ ନେଇ କର୍ମଚାରୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କୌଣସି କର୍ମଚାରୀ ସଂଘ ଏହି ନୀତି ଆପଣାଇବାକୁ ଦାବି କରି ନଥିବାବେଳେ ଏହି ନୂଆ ନିୟମ କର୍ମଚାରୀମାନଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ନଷ୍ଟ କରିବ ବୋଲି ଅଭିଯୋଗ ହୋଇଛି। ଏହାର କୁପରିଣାମ କାମରେ ପ୍ରତଫଳିତ ହେବ ବୋଲି କର୍ମଚାରୀ ମହଲ କହିଛି।

ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଏକ ନୂଆ ପ୍ରଣୟନ କରିଛନ୍ତି। ଯାହାକି ଅନ୍ୟ କୌଣସି ରାଜ୍ୟରେ ନାହିଁ। ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଯେଉଁ ସରକାରୀ କର୍ମଚାରୀମାନେ ଧାର୍ଯ୍ୟ ଦାୟିତ୍ବ ତୁଲାଇବା ପରେ ନିଜ ଦକ୍ଷତା ବଳରେ ସରକାର, ଲୋକ ଓ ସମାଜ ମଙ୍ଗଳ ପାଇଁ କାମ କରିଛନ୍ତି କିମ୍ବା ଯେଉଁମାନଙ୍କ କାମ ରାଜ୍ୟ ଓ ଦେଶ ପାଇଁ ପୁରସ୍କାର ବା ସମ୍ମାନ ଆଣି ଦେଇଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ଜଣେ କର୍ମଚାରୀଙ୍କର ପଦୋନ୍ନତି ପାଇବା ସମୟ ହୋଇ ନଥିଲେ ବି ତାଙ୍କ ବରିଷ୍ଠ କର୍ମଚାରୀଙ୍କ ଠାରୁ ଆଗୁଆ ପଦୋନ୍ନତି ମିଳିବ। ଏପରିକି ଉପର ପାହ୍ୟାରେ ପଦବି ଖାଲି ନଥିଲେ ମଧ୍ୟ ତାଙ୍କ ପାଇଁ ପଦବି ସୃଷ୍ଟି କରାଯିବ। ଏପରି ପ୍ରାର୍ଥୀଙ୍କୁ ବାଛିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଏ କମିଟି ଯେଉଁମାନଙ୍କୁ ସୁପାରିସ କରିବ, ତାଙ୍କୁ ବିଭାଗୀୟ ଅଧିକାରୀ କ୍ୟାବିନେଟ୍‌ର ଅନୁମୋଦନ ନେଇ ପଦୋନ୍ନତି ଦେବା ପାଇଁ ବ୍ୟବସ୍ଥା କରିବେ।

ପ୍ରକାଶଥାଉକି, ୧୯୯୨ ମସିହାର ପଦୋନ୍ନତି ନିୟମାବଳୀରେ ଏପରି ଆଗୁଆ ପଦୋନ୍ନତି ଦେବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏହାକୁ ମାତ୍ର ୩ ବର୍ଷ କାର୍ଯ୍ୟକାରୀ କରିବା ପରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଖରାପ ହେବାରୁ ୧୯୯୫ ମସିହାରେ ଅଘୋଷିତ ଭାବେ ବନ୍ଦ କରିଦିଆଗଲା। ନିୟମାନୁଯାୟୀ ଜଣେ କନିଷ୍ଠ କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ଦେବାକୁ ବିଚାର କରାଗଲେ, ତାହା ତାଙ୍କ ବ୍ୟାଚର କର୍ମଚାରୀଙ୍କ ମଧ୍ୟରେ ସୀମିତ ରଖାଯାଏ। କିନ୍ତୁ ନୂଆ ନିୟମ ଆଧାରରେ ଭଲ କାମ କରିଥିବା ଜଣେ କର୍ମଚାରୀ ଯେ କୌଣସି ବ୍ୟାଚର କର୍ମଚାରୀଙ୍କୁ ଡେଇଁ ଆଗୁଆ ପଦୋନ୍ନତି ପାଇପାରିବେ। ଏପରି ବ୍ୟବସ୍ଥାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଜେ ବାରଣ କରିଥିଲେ।

ଏହି ବ୍ୟବସ୍ଥା କେତେକ କର୍ମଚାରୀଙ୍କୁ ସୁହାଉଥିବାବେଳେ ଅନେକ ସାଧୁ, ସଚ୍ଚୋଟ କର୍ମଚାରୀଙ୍କୁ ସେମାନଙ୍କ ନ୍ୟାଯ୍ୟ ପଦୋନ୍ନତିରୁ ବଞ୍ଚିତ କରିବ ବୋଲି ଆଲୋଚନା ହେଉଛି। ଏ ନେଇ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକସେବା ଭବନ ଓ ଖାରବେଳ ଭବନର କର୍ମଚାରୀଙ୍କ କହିବା କଥା, ଗତ ମାର୍ଚ୍ଚ ୪ ତାରିଖରେ ନୂଆ ପଦୋନ୍ନତି ଅଧିନିୟମ ନେଇ ସରକାର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ କି ପ୍ରକାର ଉଲ୍ଲେଖନୀୟ ସେବା ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ ସେ ସମ୍ପର୍କରେ ଅଧିନୟମର ସଂଜ୍ଞାରେ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ। ସେହିପରି ସଂରକ୍ଷଣ ବର୍ଗର ପଦୋନ୍ନତି ପାଇଁ ଥିବା ପୂର୍ବ ନିୟମର ଅତିକମ୍ରଣ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏପରିକି ସଂରକ୍ଷିତ ବର୍ଗର କର୍ମଚାରୀଙ୍କ ପାଇଁ ପଦୋନ୍ନତି କ୍ଷେତ୍ରରେ ଉଦ୍ଦିଷ୍ଟ ଓଆରଭି ଆଇନ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। ଯଦି ସରକାର କେତେକ ଦକ୍ଷ ଅଧିକାରୀଙ୍କୁ ତାଙ୍କ କାମ ସକାଶେ ପୁରସ୍କୃତ କରିବା ପାଇଁ ଚାହୁଁଛନ୍ତି, ତେବେ ତାଙ୍କୁ ବରିଷ୍ଠଙ୍କଠାରୁ ଆଗୁଆ ପଦୋନ୍ନତି ଦେବା ବଦଳରେ ଉପହାର, ଅଧିକ ଇନ୍‌କ୍ରିମେଣ୍ଟ୍‌, ବିନା ସୁଧରେ ଗାଡ଼ି ଓ ଘର ପାଇଁ ଅଧିକ ଆର୍ଥିକ ସାହାଯ୍ୟ, ବିଦେଶ ଭ୍ରମଣ ସୁବିଧା, ଉଚ୍ଚଶିକ୍ଷାରେ ତାଙ୍କ ପିଲାଙ୍କ ପାଇଁ ବ୍ୟବସ୍ଥା କରିପାରିବେ। ଯେଉଁ ନିୟମ ଅତୀତରେ ବନ୍ଦ ହୋଇଥିଲା, ତାକୁ ପୁନର୍ବାର ଲାଗୁକରିବା ପ୍ରଶାସନିକ କ୍ଷେତ୍ରରେ ଶୁଭଙ୍କର ନୁହେଁ ବୋଲି କର୍ମଚାରୀମାନେ ପ୍ରତିକ୍ରିୟା ରଖିଛନ୍ତି।

The post ‘ଆଉଟ୍‌ ଅଫ୍‌ ଟର୍ଣ୍ଣ’ ପଦୋନ୍ନତି ବ୍ୟବସ୍ଥାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ first appeared on Sambad.



from ରାଜ୍ୟ – Sambad https://ift.tt/37grjyQ

Post a Comment

0 Comments