କିଏ ଓ କାହିଁକି ଅପହରଣ କରିଥିଲା ? ୫ ଦିନ ପରେ ଫେରିଲେ ଅପହୃତ କ୍ରସର୍‌ ମାଲିକ

ରାଉରକେଲା : ପାଞ୍ଚ ଦିନ ପରେ ସୁରକ୍ଷିତ ଭାବେ ଘରକୁ ଫେରିଆସିଛନ୍ତି ଅପହୃତ କ୍ରସର ମାଲିକ ପ୍ରଦୀପ କୁଣ୍ଡୁ। ବୁଧବାର ବିଳମ୍ବିତ ରାତିରେ ପ୍ରଦୀପ ସିଭିଲ ଟାଉନସିପ୍‌ ୭/୮ ଏରିଆରେ ଥିବା ନିଜ ବାସଭବନକୁ ଫେରିଆସିଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଅପରପକ୍ଷରେ ଅପହରଣକାରୀ ଓ କାରଣ ସଂପର୍କରେ ପୁଲିସ ଏଯାଏ ନିରବ ରହିଛି।

ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ କହିଛନ୍ତି, ପ୍ରଦୀପଙ୍କୁ କୌଣସି ପ୍ରକାର ଶାରୀରିକ ନିର୍ଯାତନା ଦିଆ ଯାଇନାହିଁ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ପ୍ରଦୀପଙ୍କୁ ଉଦ୍ଧାର କରିବାକୁ ୬ଟି ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଛାନ୍‌ଭିନ୍‌ କରିଥିଲେ। ଖୁବଶୀଘ୍ର ସମସ୍ତ ଅପହରଣକାରୀଙ୍କୁ ଗିରଫ କରାଯିବ। ସୂଚନାଯୋଗ୍ୟ, ଗତ ଶନିବାର ଦିନ ପ୍ରଦୀପ ବିଜାବାହାଲସ୍ଥିତ ନିଜ କ୍ରସର୍‌କୁ ଯାଇଥିଲେ। କର୍ମଚାରୀଙ୍କୁ ଦରମା ପ୍ରଦାନ କରିବାପରେ ରାତି ପ୍ରାୟ ୭ଟାରେ କାର୍‌ରେ ରାଉରକେଲାକୁ ଫେରୁଥିଲେ। ଜାତୀୟ ରାଜପଥ ୧୪୩ରୁ ମାତ୍ର ୧/୨ଶହ ମିଟର ଦୂରତାରେ ତାଙ୍କୁ ଅପହରଣ କରିନିଆଯାଇଥିଲା।

ତେବେ କିଏ ପ୍ରଦୀପଙ୍କୁ ଅପହରଣ କରିଥିଲା? ୫ ଦିନ ଧରି କେଉଁଠାରେ ତାଙ୍କୁ ରଖାଯାଇଥିଲା? ମୁଣ୍ଡଜାମିନ ଅର୍ଥ ତାଙ୍କୁ ଦିଆଗଲା କି? ସେ ସୁରକ୍ଷିତ ଫେରି ଆସିବା ପଛରେ ପୁଲିସର କ’ଣ ଭୂମିକା ରହିଛି? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି। ଏ ସଂପର୍କରେ ପୁଲିସର ନିରବତା କାରଣରୁ ଭିନ୍ନ ଭିନ୍ନ ମତ ମଧ୍ୟ ସୃଷ୍ଟି ହୋଇଛି। ଏହି ଅପହରଣ ପଛରେ କୌଣସି ଗ୍ୟାଙ୍ଗ୍‌ଷ୍ଟର୍‌ କିମ୍ବା ପିଏଲ୍‌ଏଫ୍‌ଆଇ ସଂଗଠନର ହାତ ଥିବା ଚର୍ଚ୍ଚା ଜୋର୍‌ ଧରିଛି।

The post କିଏ ଓ କାହିଁକି ଅପହରଣ କରିଥିଲା ? ୫ ଦିନ ପରେ ଫେରିଲେ ଅପହୃତ କ୍ରସର୍‌ ମାଲିକ first appeared on Sambad.



from ରାଜ୍ୟ – Sambad https://ift.tt/32GAp6l

Post a Comment

0 Comments