ଟିକା ପାଇଁ ଓଡ଼ିଶାରେ କାରଖାନା

୩୦୦ କୋଟି ଟଙ୍କା ବ୍ୟୟ ଅଟକଳ
ଉଚ୍ଚସ୍ତରୀୟ ବୈଠକରେ ମିଳିଲା ମଞ୍ଜୁରି
୧୫ ଦିନ ମଧ୍ୟରେ ପ୍ରକଳ୍ପ କାମ ଆରମ୍ଭ

ଭୁବନେଶ୍ୱର : କୋଭିଡ୍‌ ଟିକା ପାଇଁ ସାରା ବିଶ୍ବରେ ଗବେଷଣା ଚାଲିଥିବା ବେଳେ ରାଜ୍ୟ ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବର ସ୍ଥିତ ଅନ୍ଧାରୁଆରେ ପ୍ରତିଷ୍ଠା ହେବ ମହାମାରୀ କୋଭିଡ୍‌ ସମେତ, ତରଳଝାଡ଼ା, ମ୍ୟାଲେରିଆ, ଜାପାନିଜ୍‌ ଏନସେଫାଲାଇଟିସ୍‌, ରାବିଜ୍‌ ଆଦି ରୋଗ ପାଇଁ ପ୍ରତିଷେଧକ ଟିକା ପ୍ରସ୍ତୁତକାରୀ କାରଖାନା। ୩୦୦ କୋଟି ଟଙ୍କା ବ୍ୟୟରେ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ଼୍‌ (ବିବିଆଇଏଲ୍‌) ଏହି ପ୍ରକଳ୍ପ ପ୍ରତିଷ୍ଠା କରିବ। ଆଜି ଲୋକସେବା ଭବନରେ ଭିଡିଓ କନଫରେନ୍‌ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ରକଳ୍ପ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବ ସନ୍ତୋଷ ଷଡ଼ଙ୍ଗୀ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ବିବିଆଇଏଲ୍‌କୁ ନିର୍ଦ୍ଦେଶ ଦେଇ କହିଥିଲେ, ଅନ୍ଧାରୁଆରେ ବାୟୋଟେକ୍‌ ଇନ୍‌କ୍ୟୁବେସନ୍‌ ସେଣ୍ଟର୍‌ ଯେପରି ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ ହେବ ସେଥିପାଇଁ କମ୍ପାନି ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯିବା ଦରକାର। ଏଥିପାଇଁ ସ୍ଥାନୀୟ ଷ୍ଟାର୍ଟଅପ୍‌ମାନଙ୍କୁ ସୁଯୋଗ ଦେବା ପାଇଁ କମ୍ପାନି କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ସୂଚନା ଦେଇ କହିଥିଲେ, ଅନ୍ଧାରୁଆରେ ଥିବା ବାୟୋଟେକ୍‌ ପାର୍କରେ ପ୍ରକଳ୍ପ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ଏଥିପାଇଁ ଟିକା ପ୍ରସ୍ତୁତକାରୀ କମ୍ପାନିର ବିଲ୍‌ଡିଂ ପ୍ଲାନ୍‌କୁ ମଧ୍ୟ ଅନୁମୋଦନ ପ୍ରଦାନ କରାଯାଇଛି। ଖୁବଶୀଘ୍ର କମ୍ପାନି ପ୍ରତିଷ୍ଠା ପାଇଁ ଆବଶ୍ୟକ ପ୍ରଦୂଷଣ ଅନୁମତି ବି ପ୍ରଦାନ କରାଯିବ।

ଏବେ ସୁଦ୍ଧା ରାଜ୍ୟରେ ୭୭୪ଟି ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛି। ସେଥିରୁ ୬୫ଟି ଇନ୍‌କ୍ୟୁବସ୍‌କୁ ପ୍ୟାଟେଣ୍ଟ୍‌, ଟ୍ରେଡ୍‌ ମାର୍କ୍‌ ଓ କପି ରାଇଟ୍‌ସ ଅଧିକାର ମିଳିସାରିଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାୟ ୭୫ଟି ଷ୍ଟାର୍ଟ୍‌ ଅପ୍‌କୁ ଏହି ମାନ୍ୟତା ମିଳିବ ବୋଲି ବିଜ୍ଞାନ ଓ ବୈଷୟିକ ପ୍ରମୁଖ ସଚିବ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ବୈଠକରେ ସାମିଲ ହୋଇ ବିବିଆଇଏଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ.କ୍ରିଷ୍ଣା ଇଲ୍ଲା କହିଥିଲେ ଯେ ବିବିଆଇଏଲ୍‌ ବହୁମୁଖୀ ଟିକା ପ୍ରସ୍ତୁତ କରିବାରେ ଅନେକ ସଫଳତା ପାଇଛି। ଓଡ଼ିଶାରେ ପ୍ରସ୍ତାବିତ ପ୍ରକଳ୍ପରୁ ଅତି ଉନ୍ନତ ଧରଣର ବିଭିନ୍ନ ସଂକ୍ରାମକ ରୋଗର ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅନ୍ଧାରୁଆରେ କୋଭିଡ୍‌ ସମେତ ମ୍ୟାଲେରିଆ ଆଦି ରୋଗ ପାଇଁ କମ୍ପାନି ୧୦ ପ୍ରକାର ଟିକା ପ୍ରସ୍ତୁତ କରିବ। କମ୍ପାନିର ଭବିଷ୍ୟତ ସଂପ୍ରସାରଣ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ବିବିଆଇଏଲ୍‌ ପରିଚାଳନା ନିର୍ଦ୍ଦେଶକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଭିଡିଓ କନଫରେନ୍‌ସିଂରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଆଇଆଇଏଲଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସମେତ ବିଜ୍ଞାନ ଓ ବୈଷୟିକ ବିଭାଗର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

The post ଟିକା ପାଇଁ ଓଡ଼ିଶାରେ କାରଖାନା first appeared on Sambad.



from ରାଜ୍ୟ – Sambad https://ift.tt/32nPhXb

Post a Comment

0 Comments