ସହାୟତା ନୁହେଁ, ଯାତ୍ରା ପାଇଁ ମଞ୍ଚ ଦିଅ

ଭୁବନେଶ୍ୱର : ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳ କଳାକାରଙ୍କ ସହାୟତା ନେଉଛନ୍ତି। ଶହ ଶହ ଲୋକଙ୍କ ସମାଗମ କରାଉଛନ୍ତି। ଶୋଭାଯାତ୍ରା କରୁଛନ୍ତି। ହେଲେ ଯାତ୍ରା ପରିବେଷଣ ବେଳକୁ କରୋନା ସଂକ୍ରମଣ ବ୍ୟାପିଯାଉଛି ବୋଲି ଯୁକ୍ତି କରୁଛନ୍ତି। ଥରେ କେବେ ଚିନ୍ତା କଲେ ନାହିଁ ଯେ ଯାତ୍ରାକୁ ପେସା କରି ବଞ୍ଚୁଥିବା କଳାକାର ଓ କର୍ମଚାରୀମାନେ ୯ମାସ ହେଲା କେତେ ଦୟନୀୟ ଜୀବନ ଜିଉଛନ୍ତି। ତେଣୁ ଆଉ ନ‌ୁହେଁ, ବହୁତ ହେଇଗଲା। ସରକାର ଯଦି କଟକଣାରେ ମଞ୍ଚ ଖୋଲି ଯାତ୍ରା ପରିବେଷଣର ସୁଯୋଗ ନଦିଅନ୍ତି ତେବେ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରାଯିବ। ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ବୈଠକରେ ଏପରି ଚରମ ନିଷ୍ପତ୍ତି ନିଆଯାଇଛି।

ଆଜି ଏନେଇ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବ‌େଳେ ଯାତ୍ରା ମଞ୍ଚ ଫେରି ପାଇବା ପାଇଁ ମାନସ ମନ୍ଥନ ଆରମ୍ଭ ହୋଇଛି। ସଂଘର ସମ୍ପାଦକ ଆର୍‌.କେ ହୀରାଲାଲ କହିଛନ୍ତି, ସଂଘ ଅଧୀନରେ ୮୫ ଅପେରା ଦଳ ରହିଥିଲେ ହେଁ ସଂପ୍ରତି ଓଡ଼ିଶାରେ ୨ଶହରୁ ଅଧିକ ଛୋଟ ବଡ଼ ଯାତ୍ରା ତଥା ଅପେରା ଦଳ ରହିଛି। ୧୦ ହଜାର କଳାକାର ଓ କର୍ମଚାରୀ ଯାତ୍ରାକୁ ପେସା କରି ବଞ୍ଚୁଥିବା ବ‌େଳେ ଏହା ସେମାନଙ୍କ ପରିବାର ଗୁଜୁରାଣର ଏକମାତ୍ର ବିକଳ୍ପ। ସଂଘ ପକ୍ଷରୁ ସରକାରଙ୍କ ଦ୍ବାରସ୍ଥ ହୋଇ ସହାୟତା ପାଇଁ ଦାବି ଜଣାଇଥିଲୁ। ହେଲେ ସରକାର କର୍ଣ୍ଣପାତ କଲେ ନାହିଁ। ତେଣୁ ମଞ୍ଚ ଖୋଲିବାକୁ ସରକାରଙ୍କ ନିକଟରେ ଦାବି କରିବୁ। ଏନେଇ ସରକାରଙ୍କୁ ଚିଠି ଲେଖିବୁ। ଏହାପରେ ବି ଯଦି ସରକାର ଅଣଦେଖା କରନ୍ତି ତେବେ ପ୍ରତି ଜିଲ୍ଲାରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି।

ଅଭିନେତା ଗୌର ଦାସ କହିଛନ୍ତି, ଆଜି ଯେତେବେ‌ଳେ ନିର୍ବାଚନ ଜିତିବା ପାଇଁ କଳାକାରଙ୍କ ଆବଶ୍ୟକତା ପଡ଼ିଛି ସେମାନଙ୍କୁ ଆଣି ଶହଶହ ଲୋକଙ୍କ ମଧ୍ୟରେ ଛିଡ଼ା କରାଯାଉଛି। ହେଲେ ଯାତ୍ରା କଳାକାରଙ୍କଠୁ ନେଇ ପାରମ୍ପରିକ କଳାକାରମାନେ କେମିତି ଦୁର୍ବିସହ ଅବସ୍ଥାରେ ଅଛନ୍ତି ସେକଥା ଦେଖାଯାଉନାହିଁ। ଯାତ୍ରା ମଞ୍ଚ ବନ୍ଦ ହୋଇଯିବା ପରେ ଏପ୍ରିଲ୍‌ ମାସରେ ସରକାରଙ୍କ ନିକଟକୁ ସହାୟତାର ଆଶା ନେଇ ଯାଇଥିଲୁ। ସରକାର ଦାବି ପତ୍ର ରଖି କହିଲେ, ବୁଝିବୁ। ହେ‌ଲେ ଏଯାଏ ଆମ କଥା ବୁଝିବାକୁ ସରକାରଙ୍କ ମନ ବଳୁନାହିଁ। ଆମକୁ ବି ସରକାରଙ୍କ ସହାୟତା ଆଉ ଦରକାର ନାହିଁ। ମଞ୍ଚ ଦରକାର। ଯଦି ସରକାର ଏତେ ବଡ଼ ଶୋଭାଯାତ୍ରା ଓ ଜନ ସମାଗମ କରିପାରୁଛନ୍ତି ତେବେ ଆମେ ବି କଟକଣାର ସହ ଯାତ୍ରା ପରିବେଷଣ ପାଇଁ ପ୍ରସ୍ତୁତ ଅଛୁ। ଏନେଇ ସରକାରଙ୍କୁ ଚିଠି ଲେଖି ଅବଗତ କରାଇବୁ। ଯଦି ଆସନ୍ତା ୧୪ ତାରିଖ ସୁଦ୍ଧା ସରକାର ମଞ୍ଚରେ ଯାତ୍ରା ପରିବେଷଣ ସଂକ୍ରାନ୍ତ ନିଷ୍ପତ୍ତି ନ ନିଅନ୍ତି ତେବେ ବାଧ୍ୟ ହୋଇ ସବୁ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓ ନବୀନ ନିବାସ ସମ୍ମୁଖରେ ଯାତ୍ରା କଳାକାର ଓ କର୍ମଚାରୀମାନେ ପ୍ରତିବାଦ କରିବେ ବୋଲି ସେ କହିଛନ୍ତି। ଆଜି ଅନୁଷ୍ଠିତ ବୈଠକରେ ଯାତ୍ରା କଳାକାର ବ୍ରଜ ବିହାରୀ ନାୟକ, ଅଶୋକ ରାଉତ, କୈଳାସ ପରିଡ଼ା, ଟୁନା ପଣ୍ଡା, ବୁଦ୍ଧିଆ ନନା, କୁନା ବାବୁ, ରଞ୍ଜିତ ମହାନ୍ତି, ଅଜିତ ଆଚାର୍ଯ୍ୟ, ପ୍ରତାପ ମହାନ୍ତି, ଜଜନ, ଅନିଲ ନାୟକ, ଚନ୍ଦନ ସାହୁ, କ୍ରିଷ୍ଣା, ସ୍ଵାତୀ, ଝୁନାଙ୍କ ସମେତ ୬୦ ଜଣ କଳାକାର ଓ କର୍ମଚାରୀ ପ୍ରତିନିଧି ଉପସ୍ଥିତ ରହି ଏହି ନିଷ୍ପତ୍ତି ନେଇଛନ୍ତି।

The post ସହାୟତା ନୁହେଁ, ଯାତ୍ରା ପାଇଁ ମଞ୍ଚ ଦିଅ first appeared on Sambad.



from ରାଜ୍ୟ – Sambad https://ift.tt/3jOUUmY

Post a Comment

0 Comments