କିଟ୍‍ର ୧୬ତମ ସମାବର୍ତ୍ତନ ଉତ୍ସବରେ ନୋବେଲ ବିଜେତା ପ୍ରଫେସର୍‌ ୟୁନୁସ୍‌ଙ୍କ ମତ : ‘ବିଶ୍ୱର ପୁନଃନିର୍ମାଣ ପାଇଁ ସୁଯୋଗ ଦେଇଛି କରୋନା’

ଭୁ‌ବନେଶ୍ୱର (ଚନ୍ଦ୍ରଶେଖରପୁର) : କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଜୀବନଜୀବିକା ହରାଇଛନ୍ତି। ସମଗ୍ର ବିଶ୍ୱରେ ୫୦% ଲୋକ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ଏହା ଆମ ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ଥିବା ଦୁର୍ବଳତାର ପ୍ରମାଣ। ତେଣୁ ବିଶ୍ୱର ପୁନଃନିର୍ମାଣ ପାଇଁ ମହାମାରୀ ଏକ ସୁଯୋଗ ଆଣିଛି। ‌ତେଣୁ ଏମିତି ଏକ ବିଶ୍ୱ ଗଠନ ହେବା ଉଚିତ, ଯାହା ଅଧିକ ସ୍ଥିତିସ୍ଥାପକ ହେବା ସହ ସବୁକ୍ଷେତ୍ରରେ ସମାନତା ରହିଥିବ। ବର୍ତ୍ତମାନ ଆମର ବ୍ୟବସ୍ଥା ଏପରି ହୋଇଛି ଯେ ବିଶ୍ୱର ମାତ୍ର ୧% ଲୋକଙ୍କ ହାତରେ ୯୯% ସମ୍ପତ୍ତି ଠୁଳ ହୋଇ ରହିଛି। ନୂତନ ବିଶ୍ବରେ ଏହି ଅସମାନତା ରହିବା ଠିକ୍‌ ନୁହେଁ। ଏଥିପାଇଁ ଯେଉଁ ମାନସିକତା ଦରକାର, ତାହା କେବଳ ଉପଯୁକ୍ତ ଶିକ୍ଷା‌ ଓ ନୂତନ ଚିନ୍ତାଧାରାରୁ ଉତ୍ପତ୍ତି ହୋଇପାରିବ। ଶନିବାର କିଟ୍‍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ(ଭର୍ଚୁଆଲ୍‌)ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ୍‍ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।

ଛାତ୍ରଛାତ୍ରୀମାନଙ୍କୁ ଦୀକ୍ଷାନ୍ତ ଭାଷଣ ଦେବା ଅବସରରେ ପ୍ରଫେସର ୟୁନୁସ୍‍ କହିଲେ, ତୁମ୍ଭେମାନେ ଜୀବନର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛ। ଶିକ୍ଷା ହେଉଛି ଏକ ଦୀର୍ଘ ଏବଂ କଠିନ ଯାତ୍ରା। ଏହା ବିଶ୍ୱରେ ପରିବର୍ତ୍ତନ ଆଣିଥାଏ। ଏବେ ବିଶ୍ୱ ତାପମାନ ଆମର ଅସ୍ତିତ୍ତ୍ୱ ପ୍ରତି ବିପଦ ସୃଷ୍ଟି କରିଛି। ତୁମ୍ଭମାନଙ୍କର ଶିକ୍ଷା ଓ ଚିନ୍ତାଶକ୍ତି ହିଁ ଏଥିରୁ ମୁକ୍ତି ଦେଇ ଏକ ନୂତନ ବିଶ୍ୱ ଗଠନ କରିପାରିବ। ସମ୍ମାନିତ ଅତିଥି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର କହିଲେ, ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଏକ ସୁଦୃଢ଼ ବ୍ୟକ୍ତିତ୍ୱ ଗଠନ କରିବା। ନୂତନ ଆହ୍ବାନକୁ ସୁଯୋଗରେ ପରିଣତ କରିବା ପାଇଁ ଶିକ୍ଷା ହିଁ ସହାୟକ ହୋଇଥାଏ। ଜୀବନରେ ସଫଳତା ହାସଲ କରିବାକୁ ହେଲେ ଆତ୍ମମନୋବଳ, ଦୃଢ଼ତା, ଧୈର୍ଯ୍ୟ, ସୃଜନଶୀଳତା ଉପରେ ଗୁରୁତ୍ୱ ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଶ୍ରୀ ଶ୍ରୀ ରବି ଶଙ୍କର, ଇର୍‌କନ୍‍ ଇଣ୍ଟରନ୍ୟାସନାଲ୍‍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍‌କେ ଚୌଧୁରୀ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଥିଲା। ଡ. ମହାପାତ୍ର ଓ ଶ୍ରୀ ଚୌଧୁରୀ ଶିକ୍ଷା କ୍ଷେତ୍ରରେ କିଟ୍‍ ଏବଂ କିସ୍‌ର ଗତ ଦୁଇ ଦଶନ୍ଧିର ଅବଦାନକୁ ଖୁବ୍‌ ପ୍ରଶଂସା କରିଥିଲେ। ଏଥିପାଇଁ ସେମାନେ କିଟ୍‍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସା‌ଧୁବାଦ ଜଣାଇଥିଲେ। ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ଡ. ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏବଂ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ୨୦୧୯-୨୦ ଶିକ୍ଷା ବର୍ଷର ୭୧୩୫ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ବି.ଟେକ୍‍ ଛାତ୍ର ପ୍ରଖର ପ୍ରିୟେସ୍‍, ରୋଶନ ଓଝା ଏବଂ ଏମ୍‌.ଟେକ୍‍ ଛାତ୍ର ଶ୍ରୀଷ୍ଠି ରାଜ୍‌ଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ ୨୩ ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୮ଜଣଙ୍କୁ କୁଳପତି ରୌପ୍ୟପଦକ, ପି.କେ ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ୱର୍ଣ୍ଣପଦକ ଏବଂ କୃଷ୍ଣଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ୯୫ ଜଣଙ୍କୁ ପିଏଚ୍‌ଡି ପ୍ରଦାନ କରାଯାଇଥିଲା।

The post କିଟ୍‍ର ୧୬ତମ ସମାବର୍ତ୍ତନ ଉତ୍ସବରେ ନୋବେଲ ବିଜେତା ପ୍ରଫେସର୍‌ ୟୁନୁସ୍‌ଙ୍କ ମତ : ‘ବିଶ୍ୱର ପୁନଃନିର୍ମାଣ ପାଇଁ ସୁଯୋଗ ଦେଇଛି କରୋନା’ first appeared on Sambad.



from ରାଜ୍ୟ – Sambad https://ift.tt/36Qio6M

Post a Comment

0 Comments