କୋଭିଡ ପରବର୍ତୀ ସମସ୍ୟା : ସୁସ୍ଥ ହେବା ପରେ ଶରୀରର କ୍ଷମତା ଅନୁସାରେ କାର୍ଯ୍ୟ କରିବା ଜରୁରୀ

ଭୁବନେଶ୍ୱର : ପ୍ରତ୍ୟେକ ଭୂତାଣୁ ସଂକ୍ରମଣ ପରେ ହାଲିଆ ଲାଗିବା ଏକ ସ୍ବାଭାବିକ ଘଟଣା। ତେଣୁ କୋଭିଡ୍‌କୁ ଏଥିରୁ ବାଦ୍ ଦିଆଯାଇପାରିବ ନାହିଁ। ସଂକ୍ରମଣ ସମୟରେ ଶରୀରର ସମସ୍ତ ଶକ୍ତି ସଂକ୍ରମଣକୁ ପ୍ରତିରୋଧ ପାଇଁ ବ୍ୟବହାର ହୋଇଥାଏ। ଶରୀରରେ ଅମ୍ଳଜାନ ସ୍ତର କମିଯିବା ଯୋଗୁଁ ସଂପୃକ୍ତ ବ୍ୟକ୍ତିଙ୍କୁ ହାଲିଆ ଲାଗିଥାଏ। ହାଲିଆ ଲାଗିଲେ ନିୟମିତ କାର୍ଯ୍ୟ କମାଇଦେବା ଉଚିତ। ଶରୀରର କ୍ଷମତା ଅନୁଯାୟୀ ଆମେ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି ଏସ୍‌ସିବି ମେଡିକାଲ କଲେଜର ନିଶ୍ଚେତକ ବିଭାଗର ପ୍ରାଧ୍ୟାପିକା ଡା. ନିବେଦିତା ପାଣି।

କୋଭିଡ୍‌ ପରିବର୍ତୀ ସମସ୍ୟା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ଚତୁର୍ଥ ଦିବସରେ ଡା. ପାଣି କହିଥିଲେ, ଶରୀରର ଶକ୍ତି ବୃଦ୍ଧି ପାଇଁ ସେଓ, କମଳା, କନ୍ଦମୂଳ, ଉଷୁମ ପାଣିରେ ଲେମ୍ବୁ/ମହୁ ମିଶାଇ ପିଇବା, ଅଧିକ ତରଳ ଖାଦ୍ୟ ଖାଇବା ଉଚିତ। ଶୀତଦିନେ ଗରମ ପାଣି ପିଇବା ଭଲ। ଏକାଥରେ ୩/୪ ଗ୍ଲାସ୍ ନପିଇ, ଦିନଭରି ଧୀରେ ଧୀରେ ଏହି ପାଣିକୁ ପିଇବା ଜରୁରୀ। ଫଳରେ ଶରୀରରେ ଜଳୀୟ ଅଂଶ ବଜାୟ ରହିବା ସହିତ ତଣ୍ଟି ଓଦା ରହିଥାଏ।

କଫ ଦୂର କରିବା ପାଇଁ ମଦ ସେବନଠାରୁ ଦୂରେଇ ରହିବାକୁ ହେବ। ଗରମ ବାମ୍ଫ ୧୦-୧୫ମିନିଟ୍‌ ଦିନକୁ ୨/୩ଥର ନେବା ଜରୁରୀ। ଚିତ୍ ହୋଇ ‌ଶୋଇବା ପରିବର୍ତେ କଡ଼େଇ ଶୋଇବା ସହ ୨/୩ଟି ତକିଆ ମୁଣ୍ଡ ତଳେ ଦେଇ ଶୋଇଲେ ଆରାମ ଲାଗିଥାଏ। ଡାହାଣ ପଟ କଡ଼କୁ ମାଡ଼ି ଶୋଇଲେ ଭଲ। କାଶ/କଫ ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଆବଶ୍ୟକ ଔଷଧ ଖାଇପାରିବେ। ଛାତି ରୁନ୍ଧି ହେଲା ଭଳି ଅନୁଭବ ହେଲେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଏଥିପାଇଁ ଏକ ବ୍ୟାୟାମ ମଧ୍ୟ ରହିଛି। ଚେୟାରରେ ବସି ଲମ୍ବା ନିଶ୍ବାସ ନେବା ପରେ ଗୋଟିଏ ହାତ ଛାତି ଉପରେ ଓ ଅନ୍ୟଟି ପେଟ ଉପରେ ରଖି ପାଟିରେ ଜୋରରେ ନିଶ୍ବାସ ନେବା ସହିତ ପ୍ରଶ୍ବାସ ଛାଡ଼ିବା ଉଚିତ। ଏହାଦ୍ବାରା ଛାତି ରୁନ୍ଧି ହେବା କମିଯିବ।

ମାନସିକ ଉଦ୍‌ବେଗର ଦେଖାଯିବାର ମୁଖ୍ୟ କାରଣ ହେଉଛି, ଅନେକ କଥା ଶୁଣିବା ଯୋଗୁଁ ଲୋକମାନଙ୍କୁ ଭୟ ଲାଗୁଛି। ଏହାସହ କରୋନା ଭୂତାଣୁ ସ୍ନାୟୁ ବ୍ୟବସ୍ଥାକୁ ପ୍ରଭାବିତ କରିବା କାରଣରୁ ମଧ୍ୟ ମନରେ ଭୟରେ ରହୁଛି। ଏଥିରୁ ଦୂରେଇବାକୁ ହେଲେ ମସ୍ତିଷ୍କକୁ ଅନ୍ୟ କାର୍ଯ୍ୟରେ ଲଗାଇବା ଉଚିତ। ଧ୍ୟାନ, ଯୋଗ ସହିତ ନିୟମିତ ଭାବେ ଶୋଇବା ରହିବା ଦରକାର। ନୂତନ ଶୈଳୀରେ ଜୀବନଯାପନ କରିବା ପାଇଁ ଉଦ୍ୟମ କରିବା ଉଚିତ। ଟିଭି, ମୋବାଇଲଠାରୁ ଦୂରେଇ ରହିବା ସହିତ ସୁଷମ ଖାଦ୍ୟ ଜରୁରୀ ବୋଲି ଡା. ପାଣି କହିଛନ୍ତି।

The post କୋଭିଡ ପରବର୍ତୀ ସମସ୍ୟା : ସୁସ୍ଥ ହେବା ପରେ ଶରୀରର କ୍ଷମତା ଅନୁସାରେ କାର୍ଯ୍ୟ କରିବା ଜରୁରୀ first appeared on Sambad.



from ରାଜ୍ୟ – Sambad https://ift.tt/353GT0D

Post a Comment

0 Comments