ଥାନା ଭିତରେ ଯୁବକଙ୍କୁ ମାଡ଼ ଘଟଣା : ସଂଧ୍ୟାରାଣୀଙ୍କୁ ଦୁଇ ବର୍ଷ ଥାନା ମନା

ଭୁବନେଶ୍ୱର/ପାଟଣା : ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନାର ନିଲମ୍ବିତ ଥାାନା ଅଧିକାରୀ ସଂଧ୍ୟାରାଣୀ ଜେନାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଦୁଇ ବର୍ଷ ପାଇଁ କୌଣସି ଥାନାରେ ଅବସ୍ଥାପିତ କରାଯାଇ ପାରିବ ନାହିଁ। କେବଳ ସେତିକି ନୁହେଁ ତାଙ୍କ ବ୍ୟବହାରରେ ସୁଧାର ଆଣିବାକୁ ତାଙ୍କୁ ଉପଯୁକ୍ତ ତାଲିମ ଦେବାକୁ ଡିଜିପିଙ୍କୁ ରାଜ୍ୟ ମାନବାଧିକାର କମିସନ ନିର୍ଦେଶ ଦେଇଛନ୍ତି। ଏହି ଘଟଣା ରାଜ୍ୟରେ ପ୍ରଥମ ହୋଇଥିବା ବେଳେ ଏହା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ଏକ ଜମିଜମା ଘଟଣାରେ ପାଟଣା ଥାନା ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ ଓରଫ ରାଜୁ ମହାନ୍ତ(୩୧)ଙ୍କୁ ଥାନାରେ ଶ୍ରୀମତୀ ଜେନା ଗଡ଼େଇ ତଡ଼େଇ ମାଡ଼ ମାରିବା ସହିତ ବୁଟରେ ଗୋଇଠା ମାରିଥିଲେ। ଏଭଳି ଏକ ସ୍ପର୍ଶକାତର ଘଟଣାର ଭିଡ଼ିଓ ସେତେବେଳେ ଭାଇରାଲ ହେବା ପରେ ଡିଜିପି ଶ୍ରୀ ଅଭୟ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିବା ସହିତ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ଏସ୍‌ପିଙ୍କ ନିର୍ଦେଶ କ୍ରମେ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ପରେ ଥାନା ଅଧିକାରୀ ଶ୍ରୀମତୀ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ମାମଲା ରାଜ୍ୟ ମାନବାଧିକାର କମିସନରେ ପହଞ୍ଚିବା ପରେ ପୀଡ଼ିତ ଯୁବକଙ୍କୁ ତାଙ୍କ ଦରମାରୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ଘଟଣାକୁ ନେଇ ସେତେବେଳେ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠିଥିବା ବେଳେ କୁଡୁମି ସେନା ଉପଯୁକ୍ତ ନ୍ୟାୟ ଦାବି କରିଥିଲା। ରାଜ୍ୟ ମାନବିକ ଅଧିକାର ଆୟୋଗ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ମାନବିକ ଅଧିକାର ଆୟୋଗ ପକ୍ଷରୁ ଆଜି ଘଟଣାର ବିଚାର କରାଯାଇ ପୂର୍ବତନ ଥାନାଧିକାରିଣୀ ସନ୍ଧ୍ୟାରାଣୀ ଜେନାଙ୍କୁ ଆସନ୍ତା ଦୁଇବର୍ଷ ପାଇଁ କୌଣସି ଥାନାରେ ଅବସ୍ଥାପିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ପ୍ରତି ପୁଲିସର କିପରି ବ୍ୟବହାର ରହିବ ସେହି ଶିକ୍ଷା ଲାଭ ପାଇଁ ତାଙ୍କୁ ତାଲିମରେ ପଠାଇବାକୁ କୁହାଯାଇଛି। ପ୍ରକାଶ ଯୋଗ୍ୟ, ପାଟଣା ଥାନା ତାଳସରୁଆ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ସମ୍ପୃକ୍ତ ଯୁବକ ରାଜୁ ମହାନ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ବେଳେ ଉତ୍‌କ୍ଷିପ୍ତ ହୋଇ ନିର୍ଧୁମ ମାଡ଼ ମାରିବାର ଭିଡିଓ ଭାଇରାଲ ହୋଇଥିଲା।

The post ଥାନା ଭିତରେ ଯୁବକଙ୍କୁ ମାଡ଼ ଘଟଣା : ସଂଧ୍ୟାରାଣୀଙ୍କୁ ଦୁଇ ବର୍ଷ ଥାନା ମନା first appeared on Sambad.



from ରାଜ୍ୟ – Sambad https://ift.tt/3f5HPoU

Post a Comment

0 Comments