ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ କେଳେଙ୍କାରୀ ମାମଲା : ଗଞ୍ଜେଇ ଓ ନିଶା ମାଫିଆ ଲିଙ୍କ୍ ସନ୍ଦେହ

ଚାଟାର୍ଡ ବିମାନରେ ବାରମ୍ବାର ଗସ୍ତ ଓ ସୁରକ୍ଷା ପାଇଁ ବାଉନ୍ସର ନିଯୁକ୍ତି କାହିଁକି?
ଆକାଶ କି ଚାକିରି କରିଥିଲେ ଯେ ଜୀବନ ଅସୁରକ୍ଷିତ ଥିଲା?

ଭୁବନେଶ୍ୱର : ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ କେଳେଙ୍କାରୀ ମାମଲାରୁ ଧୀରେ ଧୀରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ସମାନ୍ତରାଳ ଭାବେ ପାଠକଙ୍କ ଅମାପ ସଂପତ୍ତି ସଂପର୍କରେ ସୁରାକ ପାଇବା ପରେ ଭିଜିଲାନ୍ସ ଆଉ ଗୋଟିଏ ଦିଗ ଉପରେ ଖୋଳତାଡ଼ ଆରମ୍ଭ କରିଛି। ତାହାହେଲା ଏତେ ଟଙ୍କା କେଉଁ ସୂତ୍ରରୁ ଆୟ କରିହେବ ସେ ନେଇ ତର୍ଜମା ଆରମ୍ଭ କରିଦେଇଛି। ନିଜେ ପାଠକ ଥିଲେ ଜଙ୍ଗଲ ବିଭାଗ ଅଧିକାରୀ। ସେ କଣ ସରକାରଙ୍କ ବିଭିନ୍ନ ପଦବିରେ ଥିବା ବେଳେ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି? ଯଦି ଏହା ସତ ହୋଇଥିବ, ତେବେ କେଉଁମାନେ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି? କିନ୍ତୁ ପାଠକଙ୍କ ସଂପତ୍ତିର ବିଶାଳତା ସୂଚାଇ ଦେଉଛି ଏହା ପଛରେ ମାଫିଆ ସଂପର୍କ (ଲିଙ୍କ୍‌)କୁ ଅଣଦେଖା କରାଯାଇନପାରେ। ଓଡ଼ିଶାରୁ ଏବେ ରାଜ୍ୟ ବାହାରକୁ ବ୍ୟାପକ ଗଞ୍ଜେଇ ଚୋରା ଚାଲାଣ ହେଉଛି ଓ କୋଟି କୋଟି ଟଙ୍କା ମାଫିଆ ଏହି ସୂତ୍ରରେ ରୋଜଗାର କରୁଛନ୍ତି। ସେହିଭଳି ବ୍ରାଉନସୁଗାର ଲିଙ୍କ୍ ବି ଧୀରେ ଧୀରେ ଓଡ଼ିଶାରେ ଜାଲ ବିଛାଇଥିବା ଜଣାପଡୁଛି। ମୁମ୍ବାଇରେ ଡ୍ରଗ୍ସ ଲିଙ୍କ୍‌ ନେଇ ତନାଘନା ଚାଲିଥିବା ବେଳେ ବାରମ୍ବାର ଚାଟାର୍ଡ ବିମାନରେ ଯିବା, ସର୍ବୋପରି ସୁରକ୍ଷା ପାଇଁ ଏକାଧିକ ବାଉନ୍ସର ନିଯୁକ୍ତି ଦେବା ପଛରେ ଗଞ୍ଜେଇ ବା ନିଶା କାରବାରରେ ସଂପୃକ୍ତି ଅନ୍ୟତମ କାରଣ ନୁହେଁ ତ? ଚାଟାର୍ଡ ବିମାନ ବ୍ୟବହାର ପଛରେ ଏଭଳି କିଛି କାରଣ ନାହିଁ ତ? ଏ ଦିଗଟିକୁ ବି କେହି ଅଣଦେଖା କରିପାରୁନାହାନ୍ତି।

ଏଭଳି ଆଶଙ୍କାକୁ ନିଜେ ପାଠକ ଗତକାଲି ବଢ଼ାଇ ଦେଇଛନ୍ତି। ଗତକାଲି ସେ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ପୁଅ କୋଟିଏ ଟଙ୍କା ଦରମା ପାଉଛି। ଏତେ ଟଙ୍କା ଦରମା ଦେଉଥିବା କଂପାନି ବା ନିଯୁକ୍ତି ସଂପର୍କରେ ସେ କହିବା ପାଇଁ କୁନ୍ଥ କୁନ୍ଥ କାହିଁକି? ଗର୍ବର ସହିତ କହିବା ବଦଳରେ ପୁଅର ନିଯୁକ୍ତି ନେଇ ପାଠକଙ୍କ ନିରବତା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି।

ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀମାନଙ୍କର କହିବା କଥା ହେଉଛି, ଅଭୟ ଓ ତାଙ୍କ ପୁଅ ଆକାଶ ସୁରକ୍ଷା ପାଇଁ ବାଉନ୍ସର ନିଯୁକ୍ତି ଦେଇଥିବା କୁହାଯାଉଛି। ଯଦି ଏହା ସତ;ତେବେ ସେ ଏମିତି କି ଚାକିରିରେ ଥିଲେ ଯେ ତାଙ୍କୁ ସୁରକ୍ଷା ପାଇଁ ଏକାଧିକ ବାଉନ୍ସରଙ୍କ ଆବଶ୍ୟକ ପଡ଼ୁଥିଲା? ଏହା କେବଳ ଫେସନ୍ କହି ହାଲୁକା ଭାବେ ନିଆଯାଇପାରିବ ନାହିଁ। ଏହା ପଛରେ କିଛି ଗୋଟିଏ ମାଫିଆ କାରବାରର ଇସାରା ମିଳୁଛି। ପାଠକ ଜଙ୍ଗଲ ବିଭାଗରେ ଚାକିରି କରୁଥିବା ପରିପ୍ରେକ୍ଷୀରେ ଭିଜିଲାନ୍ସ ଅଧିକାରୀମାନେ ଏହି ମାମଲା ସହିତ ନିଶା ମାଫିଆଙ୍କ ଲିଙ୍କ୍‌କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଅପ୍ରାସଙ୍ଗିକ ହେବ ନାହିଁ।

The post ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ କେଳେଙ୍କାରୀ ମାମଲା : ଗଞ୍ଜେଇ ଓ ନିଶା ମାଫିଆ ଲିଙ୍କ୍ ସନ୍ଦେହ first appeared on Sambad.



from ରାଜ୍ୟ – Sambad https://ift.tt/37iabsh

Post a Comment

0 Comments