ବିଧାନସଭା ଶୀତ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ ଡିଜି : ଜଗିବେ ୩୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଗୁରୁବାର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୁଲିସ ଡିଜି। ମଧ୍ୟାହ୍ନରେ ପୁଲିସ ଡିଜି ଅଭୟ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ ଆର୍‌.କେ ଶର୍ମାଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ବିଧାନସଭା ବୁଲି ସୁରକ୍ଷା ବ୍ୟବସ୍ଥାକୁ ଦେଖିଥିଲେ। ସମୀକ୍ଷା ପରେ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିଲାଗି ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ରହିବେ। ନଭେମ୍ବର ୩୦ ପର୍ଯ୍ୟନ୍ତ ଲୋୟର୍‌ ପିଏମ୍‌ଜି‌ରେ ଧାରଣା ପାଇଁ କାହାକୁ ଅନୁମତି ଦିଆଯିବ ନାହିଁ।

ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦ ଆକ୍ରମଣ ଭଳି ପରିସ୍ଥିତିର ମୁକାବିଲା ପାଇଁ ୩ୟୁନିଟ୍ ସ୍ପେସା‌ଲ ଟାକ୍ଟିକାଲ୍ ୟୁନିଟ୍, କମିସନରେଟ ପୁଲିସର କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ୍ ମୁତୟନ ହେବେ। ସନ୍ଧାନୀ କୁକୁର, ସାଦା ପୋଷାକଧାରୀ ପୁଲିସ, କୁଇକ୍ ରିଆକ୍ସନ୍‌ ଟିମ୍ ସୁରକ୍ଷାରେ ନିୟୋଜିତ ରହିବେ। ଅତିରିକ୍ତ ଡିସିପି ପାହ୍ୟାର ୩ ଅଧିକାରୀ, ୧୦ ଡିଏସପି, ୧୦ ଇନ୍ସପେକ୍ଟର ଏବଂ ୬୦ରୁ ଅଧିକ ଏସ୍ଆଇ ଓ ଏଏସ୍ଆଇ ମୁତୟନ ରହିବେ।

ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଲମ୍ବା ଅଧିବେଶନ ଥିବାରୁ ୪ଟି ପର୍ଯ୍ୟାୟରେ ପୁଲିସ କର୍ମଚାରୀ ମୁତୟନ ରହିବେ। ପ୍ରଥମ ପର୍ଯ୍ୟାୟରେ ୨୦ରୁ ୨୯ତାରିଖ, ଦ୍ବିତୀୟ ପର୍ଯ୍ୟାୟରେ ନଭେମ୍ବର ୩୦ରୁ ଡିସେମ୍ବର ୯, ତୃତୀୟ ପର୍ଯ୍ୟାୟରେ ଡିସେମ୍ବର ୧୦ରୁ ୧୯ ଓ ଚତୁର୍ଥ ପର୍ଯ୍ୟାୟରେ ୨୦ରୁ ୩୧ ପର୍ଯ୍ୟନ୍ତ ମୁତୟନ ରହିବେ ବୋଲି ଜଣାପଡ଼ିଛି। ଲୋୟର ପିଏମ୍‌ଜିରେ ଶୋଭାଯାତ୍ରା, ଧାରଣା ଏବଂ ବିକ୍ଷୋଭ ପାଇଁ ଉଦ୍ଦିଷ୍ଟ କଣ୍ଟ୍ରୋଲ ରୁମ୍‌ ଦାୟିତ୍ବରେ ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା ରହିବେ। ପୂରା ବିଧାନସଭା ସୁରକ୍ଷା ଦାୟିତ୍ବ ଡିସିପିଙ୍କ ହାତରେ ଥିବା ବେଳେ ପୁଲିସ କମିସନର୍‌ ଅନୁଧ୍ୟାନ କରିବେ। ଅପରପକ୍ଷେ ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ବିଧାନସଭାକୁ ବିଶୋଧନ କରାଯାଇଛି।

The post ବିଧାନସଭା ଶୀତ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ ଡିଜି : ଜଗିବେ ୩୦ ପ୍ଲାଟୁନ୍ ଫୋର୍ସ first appeared on Sambad.



from ରାଜ୍ୟ – Sambad https://ift.tt/2IQOwyY

Post a Comment

0 Comments