ଦୁଷ୍କର୍ମ ପରେ ବିଷ ପିଆଇ ନାବାଳିକାଙ୍କୁ ହତ୍ୟା!

ବାଲେଶ୍ୱର/ନୀଳଗିରି : ନୟାଗଡ଼ ଜିଲ୍ଲା ‘ପରୀ’ ହତ୍ୟା ନେଇ ସାରାରାଜ୍ୟରେ ଉତ୍ତେଜନା ନ ଥମୁଣୁ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳଠାରୁ ଆରମ୍ଭ କରି ବାଲେଶ୍ବର ବଡ଼ମେଡିକାଲ୍‌ ପର୍ଯ୍ୟନ୍ତ; ସବୁଠି ଚାପା ଉତ୍ତେଜନା ଲାଗି ରହିଛି।

‌େସାମବାର ସକାଳ ପ୍ରାୟ ୭ଟା ସମୟର ନୀଳଗିରି ବାଘମରା ଅଞ୍ଚଳର ଜଣେ ନାବାଳିକା ଗାଧୋଇବା ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଇଟାଭାଟିର ମାଲିକ ଓ ତାଙ୍କ ମ୍ୟାନେଜର ଦୁଇଜଣ ନାବାଳିକାଙ୍କୁ ଉଠାଇ ନେଇଥିଲେ। ସେ କିଛି ବୁଝିବା ପୂର୍ବରୁ ଉଭୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଉଭୟ ତାଙ୍କୁ ମାଡ଼ ମାରିବା ସହ ବଳପୂର୍ବକ ବିଷ ପିଆଇ ଦେଇଥିଲେ। ବହୁ କଷ୍ଟରେ ନାବାଳିକା ଜଣଙ୍କ ସେଠାରୁ ଆସି ଘରେ ପହଞ୍ଚି ତଳେ ପଡ଼ିଯାଇଥିଲେ। ରକ୍ତବାନ୍ତି କରିବା ସହ ତାଙ୍କ ପାଟିରୁ ଗରଳ ବାହାରିଥି‌ଲା। ‘ମୁଁ ମରିଯିବି ମୋତେ ତୁରନ୍ତ ହସ୍ପିଟାଲ୍‌ ନିଅ’ ବୋଲି ଝିଅର ଚିତ୍କାର ଶୁଣି ପରିବାରଲୋକ ଧାଇଁ ଆସିଥିଲେ। ଏଭଳି ଅବସ୍ଥାରେ ଦେଖି କ’ଣ ହୋଇଛି ବୋଲି ଘଟଣା ବିଷୟରେ ପଚରାଉଚରା କରିବା ସହ ତୁରନ୍ତ ତାଙ୍କୁ ନୀଳଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେ‌ଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବ‌େ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ୪ ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସେ ନୀଳଗିରି ଥାନାରେ ଅଭିଯୋଗ ପରେ ପୁଲିସ ଇଟାଭାଟିସ୍ଥଳକୁ ଯାଇ ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିବା ନାବାଳିକାଙ୍କ ଦାଦା କହିଛନ୍ତି।

ଅନ୍ୟପଟେ ନୀଳିଗିରି ଥାନା ଆଇଆଇସି ପ୍ରଭଞ୍ଜନ ବେହେରା ଘଟଣାକୁ ନେଇ ଭିନ୍ନ ମତ ରଖିଛନ୍ତି। ଦୁଷ୍କର୍ମ ଓ ହତ୍ୟାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ନାବାଳିକାଙ୍କ ଦାଦାଙ୍କ ସହ କଥା ହୋଇଛି। ତାଙ୍କ କହିବା କଥା ଯେ, ନାବାଳିକାଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ପରିବାରଲୋକ ଘଟଣା ବିଷୟରେ ଜାଣିବା ପରେ ତାଙ୍କୁ ମାଡ଼ମାରିଥିଲେ। ଆଜି ସକାଳେ ସେ ଗାଧୋଇ ଯାଇଥିବା ବେଳେ ବିଷ ପିଇଦେଇ ଥିଲେ। ସେଠାରୁ ଘରକୁ ଆସି ବାନ୍ତିକରି ଅସୁସ୍ଥ ହୋଇପଡ଼ିଯିବାରୁ ପରିବାରଲୋକ ପ୍ରଥମେ ତାଙ୍କୁ ନୀଳଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବଡ଼ମେଡ଼ିକାଲ ନେଇ ଆସିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ସେ ନାବାଳିକାଙ୍କ ମୃତ୍ୟୁ ଖବର ମେଡ଼ିକାଲ୍‌ରୁ ସୂତ୍ରରୁ ପାଇଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଆଇଆଇସି ଶ୍ରୀ ବେହେରା କହିଛନ୍ତି।

ଘଟଣାର ତଦନ୍ତ ଜାରି ରହିଛି ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ ସାମ୍‌ନାକୁ ଆସିବ ବୋଲି ସେ କହିଛନ୍ତି। ତେବେ ନାବାଳିକାଙ୍କ ଦାଦା ଗୋଟିଏ କଥା କହୁଥିବା ବେଳେ ପୁଲିସ ଭିନ୍ନ କଥା କହୁଛି। ତେବେ ପୁଲିସ କୌଣସି ଚାପରେ ରହି ଭିନ୍ନ ମତ ଦେଉ ନାହିଁ ତ ? ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ଦୁଷ୍କର୍ମ ପରେ ବିଷ ପିଆଇ ନାବାଳିକାଙ୍କୁ ହତ୍ୟା! first appeared on Sambad.



from ରାଜ୍ୟ – Sambad https://ift.tt/3oh8y5j

Post a Comment

0 Comments