
ଭୁବନେଶ୍ୱର : ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇଥିଲା ଯେ ଚଳିତମାସ ୨୮ ଓ ୨୯ ତାରିଖ ଏବଂ ଡିସେମ୍ବର ୫ ଓ ୬ ତାରିଖରେ ଭୋଟର ତାଲିକା ସଂଶୋଧନ ହେବ। ଏହି ସ୍ବତନ୍ତ୍ର ଅଭିଯାନ ଦିବସରେ ପ୍ରତ୍ୟେକ ରାଜନୈତିକ ଦଳ ବୁଥ୍ସ୍ତରରେ ଜଣେ ଲେଖାଏଁ ଏଜେଣ୍ଟ୍ ନିଯୁକ୍ତ କରିପାରିବେ। ଭୋଟର ତାଲିକାରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ଅନୁପାତ କମ୍ ଭୋଟର ତାଲିକାରେ ଅଧିକ ମହିଳାଙ୍କ ନାମ ସାମିଲ୍ ସହିତ ବ୍ୟାପକ ସଚେତନତା ପାଇଁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଆବଶ୍ୟକ ବୋଲି ଶ୍ରୀ ଲୋହାନୀ କହିଥିଲେ। କେବଳ ସେତିକି ନୁହେଁ, ଗୋଟିଏ ପରିବାରର ଭୋଟରଙ୍କ ନାମ ଏକ ନିର୍ଦିଷ୍ଟ ଭୋଟ୍ ଗ୍ରହଣ କେନ୍ଦ୍ରରେ ରହିବା କଥା। ଯଦି ଏଥିରେ କୌଣସି ବ୍ୟତିକ୍ରମ ଥାଏ କିମ୍ବା କୌଣସି ପରିବାରର ଭୋଟରଙ୍କ ନାମ ନିର୍ଦିଷ୍ଟ ବୁଥ୍ ପରିବର୍ତ୍ତେ ଅନ୍ୟ ବୁଥ୍ରେ ଥାଏ, ତେବେ ଚିଠା ଭୋଟର ତାଲିକା ଯାଞ୍ଚ ପରେ ଏହାର ସମାଧାନ ହୋଇପାରିବ।
ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ଶିବାନନ୍ଦ ରାୟ, ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ବହୁଜନ ସମାଜବାଦି ପାର୍ଟିର ରାଜ୍ୟ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସହ ସଂପାଦକ ଡକ୍ଟର ପ୍ରଶାନ୍ତ ମିଶ୍ର, ରାଜ୍ୟ ଇସି ସଦସ୍ୟ ରମେଶ ଚନ୍ଦ୍ର ପାଢୀ, ଭାରତୀୟ କମ୍ୟୁନିଷ୍ଟ (ମାର୍କିଷ୍ଟ) ପାର୍ଟିର ରାଜ୍ୟ ସଂପାଦକ ଦୁଷ୍ମନ୍ତ କୁମାର ଦାସ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ସାଧାରଣ ସଂପାଦକ ବିଉରାମ ସ୍ବାଇଁ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପାଇଁ ପ୍ରସ୍ତୁତି ଆରମ୍ଭ, ସର୍ବଦଳୀୟ ବୈଠକ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ first appeared on Sambad.
from ରାଜ୍ୟ – Sambad https://ift.tt/35Jbvoz
0 Comments