ପାଣିପାଗ ପ୍ରାକ୍ ସୂଚନା ଯୋଗୁଁ ୧.୭ କୋଟି କୃଷକମାନଙ୍କର ବୃଦ୍ଧି ହୋଇଛି ଆୟ

ନୂଆଦିଲ୍ଲୀ: ପାଣିପାଗ ସମ୍ବନ୍ଧୀୟ ପ୍ରାକ୍ ସୂଚନା ଦାରିଦ୍ର୍ୟ ସୀମାରେଖା ତଳେ ଥିବା କୃଷକ ଓ ମତ୍ସୀଜୀବୀଙ୍କ ପାଇଁ ସହାୟକ ହୋଇଛି। ନ୍ୟାସନାଲ କାଉନ୍‌ସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚ (ଏନସିଏଇଆର)ର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। କେନ୍ଦ୍ର ସରକାରଙ୍କ ଭୂ-ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଓଡ଼ିଶାର ୧୬ଟି ସମେତ ଦେଶର ୧୬ଟି ରାଜ୍ୟ ଅନ୍ତର୍ଗତ ସମୁଦାୟ ୧୭୩ଟି ଜିଲ୍ଲାରେ ଏହି ସର୍ଭେ କରାଯାଇଥିଲା। ସର୍ଭେରେ ଦର୍ଶାଯାଇଛି ଯେ, ପାଖାପାଖି ୯୮ ପ୍ରତିଶତ ଚାଷୀ ପାଣିପାଗ ଜନିତ ପରାମର୍ଶବଳୀକୁ ଧ୍ୟାନରେ ରଖି ନିଜ ନିଜର ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି। ଯେଉଁଥିରୁ ୯୪ ପ୍ରତିଶତ ଚାଷୀମାନଙ୍କର ଆୟରେ ବୃଦ୍ଧି ହୋଇଥିଲା ଏବଂ ସେମାନେ କ୍ଷତିରୁ ବଞ୍ଚି ଯାଇଥିଲେ। ୭୫ ପ୍ରତିଶତ ପଶୁସମ୍ପଦ ପାଳକମାନେ ପାଣିପାଗ ସୂଚନା ଅନ୍ତର୍ଗତ ସେମାନଙ୍କର ଯୋଜନା ପ୍ରସ୍ତୁତ କରିଥିଲେ, ଯାହାଦ୍ୱାରା ସେମାନଙ୍କୁ ଲାଭ ହୋଇପାରିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ପାଖାପାଖି ୮୨ ପ୍ରତିଶତ ମତ୍ସ୍ୟଜୀବୀ ଏଥର ପାଣିପାଗ ପ୍ରାକ୍‌ସୂଚନା ପାଇ ସମୁଦ୍ରକୁ ଯାଇନଥିଲେ। ଫଳରେ, ସେମାନଙ୍କର ପରୋକ୍ଷରେ ୧୮.୨୫ କୋଟି ଟଙ୍କାର ସଞ୍ଚୟ ହୋଇପାରିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ବାଲେଶ୍ୱର, ଅନୁଗୁଳ, ବରଗଡ଼, ଭଦ୍ରକ, ଗଜପତି, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର ଓ ସୂବର୍ଣ୍ଣପୁର ଜିଲ୍ଲାମାନଙ୍କରୁ ସମୁଦାୟ ୪୬୩ଟି ନମୁନା ସର୍ଭେ କରାଯାଇଥିଲା।

The post ପାଣିପାଗ ପ୍ରାକ୍ ସୂଚନା ଯୋଗୁଁ ୧.୭ କୋଟି କୃଷକମାନଙ୍କର ବୃଦ୍ଧି ହୋଇଛି ଆୟ first appeared on Sambad.



from ରାଜ୍ୟ – Sambad https://ift.tt/389MtRe

Post a Comment

0 Comments