ଏଥର ବାଣ ମନା : କୋଭିଡ୍‌ ପାଇଁ ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ, କେହି ବାଣ ବିକ୍ରି କରିପାରିବେ ନାହିଁ କି ଫୁଟାଇ ପାରିବେ ନାହିଁ

ଭୁବନେଶ୍ୱର : କୋଭିଡ୍‌ ପାଇଁ ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେହି ବାଣ ବିକ୍ରି କରିପାରିବେ ନାହିଁ କି ଫୁଟାଇ ପାରିବେ ନାହିଁ। ନଭେମ୍ବର ୧୦ରୁ ୩୦ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ। ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି କରାଯାଇଛି।

ବର୍ତ୍ତମାନ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ହୋଇଥିଲେ ବି ବିପଦ ଟଳି ନାହିଁ। ଏପରିକି ଶୀତ ଋତୁରେ ମହାମାରୀ ଅଧିକ ବ୍ୟାପିବାର ଆଶଙ୍କା ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ସା‌ଧାରଣତଃ ଶୀତ ଦି‌ନରେ ବୟସ୍କ ବ୍ୟକ୍ତି, ପିଲା, ଅନ୍ୟ ରୋଗ ଥିବା ବ୍ୟକ୍ତିମାନଙ୍କର ଶ୍ବାସ ଜନିତ ସମସ୍ୟା ବୃଦ୍ଧି ହୋଇଥାଏ। ପୁଣି ବାୟୁ ପ୍ରଦୂଷଣ ସାଙ୍ଗକୁ ବାୟୁମଣ୍ଡଳରେ ଭାସମାନ ଦ୍ରବ୍ୟ କଣିକାର ଅଧିକ ମିଶ୍ରଣ ଫଳରେ ଶ୍ବାସଜନିତ ସମସ୍ୟା ଗୁରୁତର ହୋଇଥାଏ। ଏହାକୁ ନଜରରେ ରଖି ବାଣ ଉପରେ ସରକାର କଟକଣା ଜାରି କରିଛନ୍ତି।

Zee News

ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସାଧାରଣତଃ ଆମ ରାଜ୍ୟରେ ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମାରେ ଲୋକମାନେ ବାଣ ଫୁଟାନ୍ତି। କିନ୍ତୁ ଏ କଥା ସ୍ପଷ୍ଟ ଯେ ବାଣ ଫୁଟାଇବା ଫଳରେ ଅଧିକ ମାତ୍ରାରେ ନାଇଟ୍ରସ୍‌ ଅକ୍ସାଇଡ୍‌, ସଲଫର୍‌ ଡାଇଅକ୍ସସାଇଡ୍‌, କାର୍ବନ୍ ମନୋକ୍‌ସାଇଡ୍‌ ପରି କ୍ଷତିକାରଣ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ତାହା ସମ୍ବେଦନଶୀଳ ଲୋକଙ୍କର ଶ୍ବାସଜନିତ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଗୃହ ପୃଥକବାସରେ ରହିଥିବା ତଥା କୋଭିଡ୍‌-୧୯ ସଂକ୍ରମିତ ଥିବା ଲୋକଙ୍କର ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ଖରାପ କରିଦେବାର ଆଶଙ୍କା ରହିଛି। କୋଭିଡ୍‌ ସ୍ଥିତିରେ ରାଜ୍ୟ ସରକାରଙ୍କ ବୈଷୟିକ ବିଶେଷଜ୍ଞ କମିଟି ବାଣ ଫୁଟାଇବା ନିଷେଧ କରିବାକୁ ସୁପାରିସ୍‌ କରିଥିଲେ।

ବାଣ ଫୁଟାଇବାର କ୍ଷତିକାରକ ଦିଗ ଓ ଶୀତ ଋତୁକୁ ବିଚାରକୁ ନେଇ ଆସନ୍ତା ୧୦ରୁ ୩୦ ତାରିଖ ମଧ୍ୟରେ ବାଣ ଉପରେ ସରକାର ସମ୍ପୂର୍ଣ୍ଣ ନିଷାଧାଦେଶ ଜାରି କରିଛନ୍ତି। ଏହାକୁ ଅବମାନନା କଲେ ଆଇନ୍ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି ସରକାର ସତର୍କ କରାଇ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଶାସନ ଓ ପୁଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଆଲୋକର ପର୍ବ ଦୀପାବଳିକୁ ପାରମ୍ପରିକ ପ୍ରଥାରେ ମାଟି ଦୀପ, ମହମବତୀ ତଥା ଅନ୍ୟ ଆଲୋକୀକରଣ ପଦାର୍ଥ ବ୍ୟବହାର କରି ପାଳନ କରିବା‌ ପାଇଁ ସରକାର ପରାମର୍ଶ ଦେଇଛନ୍ତି।

The post ଏଥର ବାଣ ମନା : କୋଭିଡ୍‌ ପାଇଁ ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ, କେହି ବାଣ ବିକ୍ରି କରିପାରିବେ ନାହିଁ କି ଫୁଟାଇ ପାରିବେ ନାହିଁ first appeared on Sambad.



from ରାଜ୍ୟ – Sambad https://ift.tt/3mQxcbY

Post a Comment

0 Comments