ରାଜ୍ୟରେ ୨୫୪୦ କିନ୍ନର ଅଛନ୍ତି, ମୟୂରଭଞ୍ଜରେ ସର୍ବାଧିକ, ନୂଆପଡ଼ାରେ ସର୍ବନିମ୍ନ

ଭୁବନେଶ୍ୱର : ରାଜ୍ୟରେ ୨୫୪୦ ଜଣ କିନ୍ନରଙ୍କୁ ଚିହ୍ନଟ କରାଯାଇଛି। ମୟୂରଭଞ୍ଜରେ ସର୍ବାଧିକ ୩୬୬ ଜଣ କିନ୍ନର ଥିଲା ବେଳେ ବାଲେଶ୍ବରରେ ୩୦୨ ଓ ରାୟଗଡ଼ାରେ ୨୦୮ ଜଣ କିନ୍ନର ଅଛନ୍ତି। ନୂଆପଡ଼ା ଜିଲ୍ଲାରେ ସର୍ବନିମ୍ନ ୪ ଜଣ କିନ୍ନର ଅଛନ୍ତି। ବିଧାନସଭାରେ ବିଧାୟକ ମୌଷଧି ବାଗ୍‌ଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଏହି ତଥ୍ୟ ଦେଇଛନ୍ତି। ତେବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ ରାଜ୍ୟରେ କିନ୍ନରଙ୍କ ଜୀବିକା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ନାମରେ ଏକ ସ୍ବତନ୍ତ୍ର ଯୋଜନା ୨୦୧୮-୧୯ ମସିହାରୁ କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ କିନ୍ନରମାନଙ୍କ ଚିହ୍ନଟ, ପିତାମାତାଙ୍କୁ ସହାୟତା, ଛାତ୍ରବୃତ୍ତି, ବ୍ୟକ୍ତିତ୍ବ ବିକାଶ, ପ୍ରଶିକ୍ଷଣ, ଆତ୍ମନିଯୁକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ଓ ସଚେତନତା କାର୍ଯ୍ୟକ୍ରମମାନ କରିବାର ବ୍ୟବସ୍ଥା କରାଯାଇ କାର୍ଯ୍ୟକାରୀ କରାଯାଉଛି। ଏହା ବାଦ୍ ରାଜ୍ୟ ସରକାର କିନ୍ନରମାନଙ୍କୁ ମଧୁ ବାବୁ ପେନ୍‌ସନ୍ ଯୋଜନାରେ ସାମିଲ କରି ସେମାନଙ୍କୁ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରିଛନ୍ତି।

The post ରାଜ୍ୟରେ ୨୫୪୦ କିନ୍ନର ଅଛନ୍ତି, ମୟୂରଭଞ୍ଜରେ ସର୍ବାଧିକ, ନୂଆପଡ଼ାରେ ସର୍ବନିମ୍ନ first appeared on Sambad.



from ରାଜ୍ୟ – Sambad https://ift.tt/338CpEM

Post a Comment

0 Comments