
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଖୋର୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଶିବପ୍ରସାଦ ଶ୍ରୀଚନ୍ଦନ। ଗିରଫ ପରେ ଶିବପ୍ରସାଦଙ୍କୁ ଖୋର୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରା ଯାଇଥିଲା। ଅଧିକ ତଦନ୍ତ ଲାଗି ୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା ଇଓଡବ୍ଲୁ। ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ ଦୁଇ ଦିନ ଲାଗି ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି। ଗତକାଲି ରିମାଣ୍ଡରେ ଯାଇଥିବା ଓଟିଭିର ସିଏଫ୍ଓ ତଥା ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ରିମାଣ୍ଡରେ ଯାଇଥିବା ବେଳେ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଶିବପ୍ରସାଦଙ୍କ ନାଁରେ ଜମିର ପାଵାର ଅଫ୍ ଆଟର୍ଣ୍ଣି ରହିଛି। ସେ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ଏଜେଣ୍ଟ ଭାବେ କାମ କରୁଥିଲେ ବୋଲି ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି। ଅନୁସୂଚିତ ଜମି ଜାଲିଆତିରେ ତାଙ୍କର ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିବା ପରେ ଗିରଫ କରା ଯାଇଥିବା କୁହାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି। ରିମାଣ୍ଡ ସମୟରେ ଉଭୟଙ୍କୁ ଜେରା ବେଳେ ଯେଉଁ ତଥ୍ୟ ମିଳିବ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ସାରୁଅରେ ଅନୁସୂଚିତ ଜାତି ବ୍ୟକ୍ତିଙ୍କ ଜମି କିଣା ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପରେ ଇଓଡବ୍ଲୁରେ ମାମଲା ରୁଜୁ ହୋଇଥିଲା। ଇଓଡବ୍ଲୁ ମାମଲାର ତଦନ୍ତ କରି ଗତକାଲି ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା।
The post ସାରୁଅ ଜମି ଦୁର୍ନୀତି ମାମଲା : ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ, ଦୁଇ ଦିନିଆ ରିମାଣ୍ଡରେ ଗଲେ first appeared on Sambad.
from ରାଜ୍ୟ – Sambad https://ift.tt/2TPPlud
0 Comments