ଅଭୟକାନ୍ତଙ୍କ ବଲାଙ୍ଗୀର ଲିଙ୍କ୍ : ସବୁଜ ହୀରାରୁ କରୁଥିଲେ ହରିଲୁଟ୍‌

ବଲାଙ୍ଗୀର : ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ବଲାଙ୍ଗୀର ଲିଙ୍କ୍ ବି ଏବେ ପଦାକୁ ଆସିଛି। ଆଗକୁ ଭିଜିଲାନ୍ସ ଏହା ଉପରେ ଖୋଳତାଡ଼ କରିପାରେ ବୋଲି ସୂଚନା ମିଳୁଛି। କାରଣ ବି ସ୍ପଷ୍ଟ। ବଲାଙ୍ଗୀରରେ ବହୁ ବର୍ଷ ଧରି ସିସିଏଫ୍‌(କେନ୍ଦୁଲିଫ୍‌) ପଦରେ ଥିଲେ ଅଭୟକାନ୍ତ। ବେଶ୍‌ ଗରମ କଥାବାର୍ତ୍ତା କରି ତଳିଆ ଅଧିକାରୀ ଓ କର୍ମଚାରୀଙ୍କୁ ଶାସନ କରୁଥିଲେ। ମନଇଚ୍ଛା ନିଲମ୍ବନ କରୁଥିଲେ ଓ ମନମାନୀ ଚଳାଇଥିଲେ ବୋଲି ତାଙ୍କ ସହ କାମ କରୁଥିବା କିଛି କର୍ମଚାରୀ କହୁଛନ୍ତି। କିନ୍ତୁ ସବୁଜ ହୀରା କୁହାଯାଉଥିବା କେନ୍ଦୁପତ୍ର କାରବାରରୁ ସେ ବେଶ୍‌ ମୋଟାଅଙ୍କର ଅର୍ଥ ଗୋଟାଇଥିବା ଅଭିଯୋଗ ବି ରହିଛି। ଏଥିସହ ତାଙ୍କ ଅମଳରେ କିଛି ଏଭଳି ନିଷ୍ପତ୍ତି ହୋଇଥିଲା ଯେ, ଯେଉଁଥିଲାଗି ଏଯାଏ ସରକାର ସେଥିଲାଗି ରାଜସ୍ୱ ହରାଇ ଆସୁଛନ୍ତି ବୋଲି ବିଭାଗରେ ଥିବା ପୁରୁଣା ଅଧିକାରୀ ଓ କର୍ମଚାରୀ ଆଲୋଚନା କରୁଛନ୍ତି।

ବଲାଙ୍ଗୀର କେନ୍ଦୁଲିଫ୍‌ ସିସିଏଫ୍ ଭାବରେ ଯୋଗଦେବା ପୂର୍ବରୁ ସେ ବ୍ରହ୍ମପୁରରେ ୨୦୦୮ ମସିହାରୁ ବନ ଉନ୍ନୟନ ନିଗମରେ ଜେନେରାଲ ମ୍ୟାନେଜର ରହିଥିଲେ। ସେତେବେଳେ ବି ବଲାଙ୍ଗୀର ଶାଖାର ଅତିରିକ୍ତ ଦାୟିତ୍ୱରେ ଥିଲେ। କେନ୍ଦୁପତ୍ର ସଂଗ୍ରହ ପରେ ନିଗମ ଜରିଆରେ ବାହାର ରାଜ୍ୟରେ ବିକ୍ରି ହୁଏ। ସେ ଜେନେରାଲ ମ୍ୟାନେଜର ଥିବାରୁ ସବୁ କିଛି ବୁଝାବୁଝି କରୁଥିଲେ। ଏହାପରେ ୨୦୧୬-୧୭ ଆର୍ଥିକ ବର୍ଷରେ ବଲାଙ୍ଗୀର କେନ୍ଦୁଲିଫ ସର୍କଲରେ ଯୋଗଦେଇଥିଲେ। କିଛି ପୁରୁଣା କର୍ମଚାରୀଙ୍କ କହିବା ଅନୁସାରେ, ସିସିଏଫ୍‌ ଦାୟିତ୍ୱ ନେବା ପରେ ସେ ଏକଚାଟିଆ କାରବାର ଚଳାଇଥିଲେ। କାରଣ କେନ୍ଦୁପତ୍ର କାରବାରର ସବୁ ବିଦ୍ୟା ପାଠକଙ୍କୁ ଜଣାଥିଲା। କେନ୍ଦୁପତ୍ର ସଂଗ୍ରହ ପରେ ସବୁ ପରିଚାଳନାରେ ସେ ମୁଣ୍ଡ ପୂରାଉଥିଲେ। ତାଙ୍କ ସମୟରେ ଘଟିଥିଲା କିଛି ଚର୍ଚ୍ଚିତ ଘଟଣା। ଖପ୍ରାଖୋଲ ବ୍ଲକ୍‌ରେ ଥିବା କେନ୍ଦୁପତ୍ର ଫଡ଼ି ଘରଗୁଡ଼ିକରେ ଗୋଟିଏ ପରେ ଗୋଟିଏରେ ନିଆଁ ଲାଗିଥିଲା। ନକ୍ସଲ ପୋଡ଼ି ଦେଉଥିଲେ ବୋଲି ଖବର ବାହାରୁଥିଲା। ସେ ନିଆଁରେ କୋଟି କୋଟି ଟଙ୍କାର କେନ୍ଦୁପତ୍ର ଜଳି ଯାଇଥିବା କାଗଜପତ୍ରରେ ଦର୍ଶାଯାଇଥିଲା। ଏ ନେଇ ପୁଲିସ ତଦନ୍ତ ବି ହୋଇଥିଲା। ନିଆଁ ଲାଗିଲା ବେଳେ ଫଡ଼ିଘରେ ପତ୍ର ଗଚ୍ଛିତ ଥିଲା ନା ଘଟଣା ପଛରେ ଆଉ କିଛି ଥିଲା ସେ ନେଇ ପ୍ରଶ୍ନ ଉଠିଥିଲା। ଫଡ଼ିଘର ପୋଡ଼ି ମାମଲାରେ ବିଭାଗୀୟ ହାତ ଥିବା ପୁଲିସ ବି ସନ୍ଦେହ କରିଥିଲା।

ବାହାର ରାଜ୍ୟରେ ବଲାଙ୍ଗୀର କେନ୍ଦୁପତ୍ରର ଚାହିଦା ବହୁତ। କେଉଁମାନଙ୍କୁ କେନ୍ଦୁପତ୍ର ଦରକାର ଭଲ ଭାବରେ ଜାଣିଥିଲେ ପାଠକ। ଏବେ ପାଠକ ଧରାପଡ଼ିବା ପରେ ସେ ସମୟର ଘଟଣା ଅଘଟଣ ଚର୍ଚ୍ଚାର ପରିସକୁ ଆସିଛି। ଅନ୍ୟପଟେ ଫଡ଼ିଘର ମରାମତି, କେନ୍ଦୁପତ୍ର ସଂଗ୍ରହରୁ ନେଇ କର୍ପୋରେସନକୁ ଯିବା ଯାଏ ସବୁରେ ବାବୁଙ୍କ ଭାଗ ରହୁଥିଲା। ଜଣେ ଡେପୁଟି ରେଞ୍ଜରଙ୍କୁ ସେ ତାଙ୍କ ସମୟରେ ନିଲମ୍ବନ କରିଥିଲେ। କୁହାଯାଏ ଉକ୍ତ ଅଧିକାରୀ ସିସିଏଫ୍‌ଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଥିଲେ। ଏଣୁ ସେ ପାଟି ଖୋଲିବାରୁ ତାଙ୍କୁ ନିଲମ୍ବିତ ହେବାକୁ ପଡ଼ିଥିଲା। ବ୍ୟାଙ୍କ କାରବାର ବେଳେ ଅଫିସ କର୍ମଚାରୀଙ୍କ ଅପେକ୍ଷା ନିଜ ପୁଅ ଉପରେ ବେଶି ଭରସା କରୁଥିଲେ ଓ ପୁଅଙ୍କ ସହ ବ୍ୟାଙ୍କ ଯାଉଥିଲେ ବୋଲି ମଧ୍ୟ ସୂଚନା ମିଳିଛି। ତାଙ୍କ ସମୟରେ କେନ୍ଦୁପତ୍ର କାରବାରର ଘରୋଇକରଣ କରାଯାଇଥିଲା। ବଲାଙ୍ଗୀର କେନ୍ଦୁପତ୍ର ସର୍କଲ ଅଧୀନରେ ଥିବା ଜୟପୁର ଓ ନବରଙ୍ଗପୁର ଡିଭିଜନର କେନ୍ଦୁପତ୍ର କିଣାବିକା ଦାୟିତ୍ବ ବେସରକାରୀ ଲୋକଙ୍କୁ ଦିଆଯାଇଥିଲା। ସେହିଦିନରୁ ଏହି ବ୍ୟବସ୍ଥା ଚାଲୁ ରହିଛି। ଫଳରେ ସରକାରଙ୍କ ରାଜସ୍ୱ କ୍ଷତି ହେଉଥିବା କୁହାଯାଉଛି। ବଲାଙ୍ଗୀର ସର୍କଲର ସବୁଜ ସୁନା ପାଠକଙ୍କ ଅମାପ ସଂପତ୍ତି ବୃଦ୍ଧିରେ ସହାୟକ ହୋଇଥିଲା ବୋଲି ଏବେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ଭିଜିଲାନ୍ସ ବଲାଙ୍ଗୀରରେ ପାଠକଙ୍କ କାରନାମାର ତଦନ୍ତ କରିପାରେ। ଏଠି ବହୁ ଦିନ ରହିଥିବାରୁ ଏଠାରେ ତାଙ୍କ ସମୟ ଫାଇଲ ଭିଜିଲାନ୍ସ ଖୋଲିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି।

କେନ୍ଦୁଲିଫ୍‌ରେ ଅନେକ କୋଟିପତି!
ବଲାଙ୍ଗୀର କେନ୍ଦୁଲିଫ୍‌ ସର୍କଲରେ କାର୍ଯ୍ୟରତ ଅନେକ ଅଧିକାରୀ ଏବେ କୋଟିପତି ପାଲଟି ସାରିଛନ୍ତି। ଏଠି ଯିଏ ରହିଛି ସିଏ ମାଲାମାଲ୍‌। ପ୍ରତ୍ୟେକ ବର୍ଷ ଫଡ଼ି ମରାମତି ନାଁରେ ଟଙ୍କା ଆସେ, ହରିଲୁଟ ହୁଏ। କେନ୍ଦୁପତ୍ର ସବୁ ବର୍ଷ ଏଠି ଚୋରା ଚାଲାଣ ହୁଏ। ବିଗତ ଦିନରେ ଚୋରା ଚାଲାଣ ସମୟରେ କେନ୍ଦୁପତ୍ର ଧରା ବି ପଡ଼ିଛି। ଏହାବାଦ୍‌ କେନ୍ଦୁଲିଫ୍‌ରେ ଅନେକ ଯୋଜନା ବି ରହିଛି। ସବୁରୁ ଚାଲିଛି ହରିଲୁଟ। ସରକାରୀ ନିୟମକୁ ମନଇଚ୍ଛା ମୋଡ଼ିମାଡ଼ି ସବୁ କାରବାର ହୁଏ। ପ୍ରମାଣ ସହିତ ତଥ୍ୟ ଲୋକଲୋଚନକୁ ଆସିଲେ ବି ଦୁର୍ନୀତିର ତଦନ୍ତ ନାଲିଫିତା ତଳେ ଚାପି ହୋଇ ରହିଯାଏ। ଜିଲ୍ଲାରେ ଫଡ଼ି ଘର ମରାମତିରେ କେମିତି ଦୁର୍ନୀତି ହୋଇଛି; ଗତ ଲକ୍‌ଡାଉନ୍‌ ସମୟରେ ‘ସମ୍ବାଦ’ ତାହା ଉପରେ ଲଗାତାର ରିପୋର୍ଟ ଛାପିଥିଲା। ତାହାର ତଦନ୍ତ ବି ହୋଇଥିଲା। ହେଲେ କାର୍ଯ୍ୟାନୁଷ୍ଠାନ କିଛି ହେଲା ନାହିଁ। ଏବେ ବି ଘଟଣାର ତଦନ୍ତ କାଗଜପତ୍ରରେ ଚାଲିଛି। ଉପରିସ୍ଥ ଅଧିକାରୀଙ୍କଠାରୁ ନେଇ ତଳିଆ ଯାଏ ମିଳିମିଶି ଦୁର୍ନୀତି ଟଙ୍କା ଭାଗବଣ୍ଟା କରୁଥିବା ଅଭିଯୋଗ ହେଉଛି। ନିରପେକ୍ଷ ଖୋଳତାଡ଼ କରାଗଲେ ଅନେକ ଅଧିକାରୀଙ୍କ ଗୁମର ନିଶ୍ଚିତ ଖୋଲିବ। ଭିଜିଲାନ୍ସ ଏହା ଉପରେ ନଜର ପକାଇବାକୁ ସାଧାରଣରେ ଦାବି ହେଉଛି।

The post ଅଭୟକାନ୍ତଙ୍କ ବଲାଙ୍ଗୀର ଲିଙ୍କ୍ : ସବୁଜ ହୀରାରୁ କରୁଥିଲେ ହରିଲୁଟ୍‌ first appeared on Sambad.



from ରାଜ୍ୟ – Sambad https://ift.tt/3ltpoMi

Post a Comment

0 Comments