ଓଡ଼ିଶାରେ ଆରମ୍ଭ ହେଲା ଏଆଇଜି ହସ୍ପିଟାଲର ଓପିଡି ସେବା

ଭୁବନେଶ୍ୱର : ହାଇଦ୍ରାବାଦସ୍ଥିତ ଦେଶର ଅଗ୍ରଣୀ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ହସ୍ପିଟାଲ ଏଆଇଜିର ଓପିଡି ସେବା ଭୁବନେଶ୍ବରରେ ଆରମ୍ଭ ହୋଇଛି। କଳିଙ୍ଗ ନଗରସ୍ଥିତ ଡିଏଭି ସ୍କୁଲ୍‌ ସମ୍ମୁଖରେ ଆଜିଠାରୁ ଓପିଡି କାର୍ଯ୍ୟକ୍ଷମ ହୋଇଛି। ଏଆଇଜି ହସ୍ପିଟାଲର ବିଶେଷଜ୍ଞମାନେ ପ୍ର‌ାରମ୍ଭିକ ପର୍ଯ୍ୟାୟରେ ମାସକରେ ଥରେ ଏହି ସେବା ଯୋଗାଇ ଦେବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଆଜି ହସ୍ପିଟାଲର ଯକୃତ ପ୍ରତିରୋପଣ ପ୍ରତିଷ୍ଠାନର ନିର୍ଦେଶକ ଡା. ପି.ବାଲଚନ୍ଦ୍ରନ୍ କହିଲେ, ଚଳିତବର୍ଷ ମାର୍ଚରେ ଓଡ଼ିଶାରେ ପ୍ରଥମଥର ଲାଗି ଯକୃତ ପ୍ରତିରୋପଣ ସଫଳତାର ସହ କରାଯାଇଛି। ଏଆଇଜି ହସ୍ପିଟାଲର ସମ୍ ହସ୍ପିଟାଲ ସହିତ ଏ ନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। କେବଳ ଲିଭର ଓପିଡି ନୁହେଁ, ଯକୃତ ପ୍ରତିରୋପଣ, ଯକୃତ କର୍କଟ ଓ ଜଣ୍ଡିସ୍ ଭଳି ଗ୍ୟାଷ୍ଟ୍ରୋ ସମସ୍ୟା ଭୋଗୁଥିବା ‌ରୋଗୀମାନଙ୍କୁ ଓପିଡି ଜରିଆରେ ସ୍କ୍ରିନିଂ କରାଯିବ। ଏଆଇଜି ହସ୍ପିଟାଲ ଗ୍ୟାଷ୍ଟ୍ରୋ କ୍ଷେତ୍ରରେ ବେଶ୍‌ ଉନ୍ନତ ହସ୍ପିଟାଲ ହୋଇଥିବାରୁ ଓଡ଼ିଶାରେ ସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ଏଥିପାଇଁ ତାଲିମ ପ୍ରଦାନ କରାଯିବ। ତେବେ ସ୍କ୍ରିନିଂ ସମୟରେ ଯେଉଁ ରୋଗୀମାନଙ୍କର ଅବସ୍ଥା ସ୍ଥିର ଥିବ ଓ ତାଙ୍କର ପ୍ରତିରୋପଣ ଆବଶ୍ୟକ ପଡ଼େ ତାହାଲେ ସମ୍ ହସ୍ପିଟାଲରେ ପ୍ରତିରୋପଣ କରାଯିବ। ଅପରପକ୍ଷରେ ଯଦି ରୋଗୀଙ୍କ ପ୍ରତିରୋପଣ ଅତ୍ୟନ୍ତ ଜରୁରୀ ରହିଛି ତା’ହେଲେ ତାଙ୍କୁ ହାଇଦ୍ରାବାଦ୍ ନିଆଯାଇ ସେଠାରେ ଅସ୍ତ୍ରୋପଚାର କରାଯିବ। ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ଥର ଲାଗି ଯକୃତ ପ୍ରତିରୋପଣ କରାଯିବାର ଯୋଜନା ରହିଛି ବୋଲି ଡା.ବାଲଚନ୍ଦ୍ରନ କହିଛନ୍ତି।

ଏଆଇଜି ହସ୍ପିଟାଲର ଉପ-ସଭାପତି ସନ୍ତୋଷ କୁମାର ସାହୁ କହିଲେ, ଭୁବନେଶ୍ବରରେ ଏହି ଆଉଟରିଚ୍ କ୍ଲିନିକ୍ ଖୋଲାଯିବା ଫଳରେ ରୋଗୀମାନେ ଉପକୃତ ହୋଇପାରିବେ। ହାଇଦ୍ରାବାଦ୍‌ରେ ୮ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ଗ୍ୟାଷ୍ଟ୍ରୋ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛି। ଆଗାମୀ ଦିନରେ ହୃଦ୍‌ରୋଗ, କିଡ୍‌ନି, ଏଣ୍ଡୋଭାସ୍କୁଲାର ଓ ହେପାଟୋଲୋଜି ଭଳି ବିଭାଗର ସେବା ଲୋକମାନେ ପାଇପାରିବେ। ହାଇଦ୍ରାବାଦ୍‌ସ୍ଥିତ ହସ୍ପିଟାଲରରୁ ଡାକ୍ତରମାନେ ଭୁବନେଶ୍ବରକୁ ଆସି ରୋଗୀମାନଙ୍କ ଚିକିତ୍ସା କରିବେ। ଆଗାମୀ ଦିନରେ ସମ୍ବଲପୁରରେ ଏଆଇଜି ହସ୍ପିଟାଲର ଏକ ଓପିଡି ଶାଖା ଖୋଲାଯିବାର ଯୋଜନା ରହିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେବେ ଏହା ଖୋଲିବ ତାହା ସ୍ଥିର ହୋଇନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

ଅପରପକ୍ଷରେ ରାଜ୍ୟର ପ୍ରଥମ ଯକୃତ ପ୍ରତିରୋପଣ କରିଥିବା ବାଲେଶ୍ବରର ଜୟନ୍ତ ବିଶ୍ବାଳ ଉପସ୍ଥିତ ରହି ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ୨୦୧୬ ମସିହାରୁ ତାଙ୍କର ଯକୃତ ଖରାପ ହୋଇଥିବା ବେଳେ ଏଆଇଜି ହସ୍ପିଟାଲର ଡା. ପି.ବାଲଚନ୍ଦ୍ରନଙ୍କ ପାଇଁ ସେ ନୂଆ ଜୀବନ ପାଇଥିବା ପାଇଛନ୍ତି। ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଶ୍ରୀ ବିଶ୍ବାଳ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀନିବାସ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

The post ଓଡ଼ିଶାରେ ଆରମ୍ଭ ହେଲା ଏଆଇଜି ହସ୍ପିଟାଲର ଓପିଡି ସେବା first appeared on Sambad.



from ରାଜ୍ୟ – Sambad https://ift.tt/2HQZAvY

Post a Comment

0 Comments