ଯକ୍ଷ୍ମା ନିରାକରଣରେ ଓଡ଼ିଶା ଦେଶରେ ଦ୍ୱିତୀୟ

ଦେଶର ୧୦ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାରେ ଓଡ଼ିଶାର ୪
ରାଜ୍ୟରେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ସଫଳତା ହାର ୮୭%

ଭୁବନେଶ୍ୱର : ଦୁଇବର୍ଷ ତଳେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ଥିଲା ୨୫ ନମ୍ବର। ହେଲେ ଏବେ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେବଳ ଦ୍ବିତୀୟ ସ୍ଥାନରେ ନୁହେଁ, ରାଜ୍ୟର ୪ଟି ଜିଲ୍ଲା ଦେଶର ୧୦ଟି ଅଗ୍ରଣୀ ଜିଲ୍ଲାରେ ସ୍ଥାନ ପାଇଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭିତରେ ସୋନପୁର ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ଦେବଗଡ଼ ୩, ଜଗତସିଂହପୁର ୫ ଓ ବୌଦ୍ଧ ଜିଲ୍ଲା ୬ ନମ୍ବର ସ୍ଥାନରେ ରହିଛି। ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ମୁକ୍ତ ଦେଶ ତଥା ଓଡ଼ିଶା ଆଡ଼କୁ ରାଜ୍ୟ ଆଉ ଏକ ପାଦ ଆଗେଇଛି।

ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ଯକ୍ଷ୍ମା ନିରାକରଣ ପାଇଁ କେନ୍ଦ୍ର ସରକାର ୯ଟି ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। ଏଥିରେ ଯକ୍ଷ୍ମା ରୋଗୀ ଚିହ୍ନଟ ସହିତ କେନ୍ଦ୍ର ସରକାର ‘ନିକ୍ଷ’ ପୋର୍ଟାଲରେ ତଥ୍ୟ ଅପଲୋଡ୍‌କୁ ଗୁରୁତ୍ବ ଦିଆଯାଇଛି। ଏଥିରେ ଜଣେ ରୋଗୀଙ୍କର ସମସ୍ତ ତଥ୍ୟ ରହୁଛି। ଆଶାମାନେ ଘରକୁ ଘର ବୁଲି ଯକ୍ଷ୍ମା ସନ୍ଦେହ ଥିବା ରୋଗୀଙ୍କୁ ଚିହ୍ନଟ ଉପରେ ଗୁରୁତ୍ବ ଦିଆଯାଇଥିଲା। ସନ୍ଦେହ ଥିବା ବ୍ୟକ୍ତିମାନଙ୍କର କଫ ସଂଗ୍ରହ କରାଯାଇ ମାଇକ୍ରୋସ୍କୋପ୍ କିମ୍ବା ‘ସିବିନାଟ୍‌’ ମେସିନ୍‌ କିମ୍ବା ଏକ୍ସ-ରେ ଜରିଆରେ ଜଣେ ବ୍ୟକ୍ତି ଯକ୍ଷ୍ମା ଦ୍ବାରା ଆକ୍ରାନ୍ତ କି ନାହିଁ ତାହା ସ୍ପଷ୍ଟ ହୋଇଥାଏ। ରାଜ୍ୟର ସବୁ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ‘ସିବିନାଟ୍‌’ ମେସିନ୍ ର‌ହିଛି।

କେବଳ ରୋଗୀଙ୍କ ଚିହ୍ନଟ ନୁହେଁ, ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି କି ନାହିଁ ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ରାଜ୍ୟରେ ୮୭ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କ ସଫଳତାର ସହ ଚିକିତ୍ସା ସମ୍ଭବ ହୋଇପାରୁଛି। ରାଜ୍ୟ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ଚାଲୁଥିବା ବେଳେ ସେମାନଙ୍କ ପୋଷଣ ଖାଦ୍ୟ ପାଇଁ ମାସିକ ୫ଶହ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ୬ମାସରୁ ଆରମ୍ଭ ହୋଇ ୨ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଏହାସହ ଯେଉଁ ରୋଗୀମାନଙ୍କ ଚିକିତ୍ସା ଚାଲୁଛି ସେମାନଙ୍କ ମଧ୍ୟରୁ କେତେ ଜଣ ଅଧାରୁ ନିଜର ଚିକିତ୍ସା ଛାଡ଼ି ଦେଉଛନ୍ତି ତାହାର ଚିହ୍ନଟ କରିବା ଧାର୍ଯ୍ୟ ମାନଦଣ୍ଡ ଭିତରୁ ଗୋଟିଏ। ଏହାସହ ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ବା ଡିଆରଟିବି ରୋଗୀଙ୍କ ଚିକିତ୍ସା ମଧ୍ୟ ଧାର୍ଯ୍ୟ ମାନଦଣ୍ଡ ଭିତରେ ରହିଛି। ଏହି ରୋଗୀମାନଙ୍କ ସାଧାରଣ ଯକ୍ଷ୍ମା ରୋଗୀଙ୍କଠାରୁ ଭିନ୍ନ ଚିକିତ୍ସା କରାଯାଇଥାଏ। ତେଣୁ କେତେ ସଂଖ୍ୟକ ଡିଆରଟିବି ରୋଗୀଙ୍କ ଚିକିତ୍ସା କରାଗଲା ତାହାର ଅନୁଧ୍ୟାନ ମଧ୍ୟ ଜରୁରୀ। ୨୦୧୮ ମସିହା ପରଠାରୁ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡ଼ିଶା ଧୀରେ ଧୀରେ ଆଗକୁ ବଢ଼ୁଥିଲା। ଏବେ ଦେଶରେ ଦ୍ବିତୀୟ ସ୍ଥାନରେ ପହଞ୍ଚି ପାରିଛି। ୨୦୨୫ ସୁଦ୍ଧା ରାଜ୍ୟରେ ଯକ୍ଷ୍ମା ନିରାକରଣ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀମତୀ ପଣ୍ଡିତ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟର ୬ଟି ଯକ୍ଷ୍ମା ପ୍ରଭାବିତ ଜିଲ୍ଲାରେ ଘରୋଇ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଯକ୍ଷ୍ମା ରୋଗୀ ଚିହ୍ନଟ କରି ‘ନିକ୍ଷ’ ପୋର୍ଟାଲରେ ତଥ୍ୟ ଅପଲୋଡ୍‌ ପାଇଁ ‌୧ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଯେହେତୁ କୋଭିଡ୍‌ ପାଇଁ ଅଧିକାଂଶ ଘରୋଇ ଚିକିତ୍ସକ ନିଜର ଚିକିତ୍ସାକୁ ବନ୍ଦ ରଖିଥିଲେ, ତେଣୁ ଆଗାମୀ ଦିନରେ ସେମାନଙ୍କୁ ରୋଗୀଙ୍କ ଚିହ୍ନଟ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଘରୋଇ ଚିକିତ୍ସକଙ୍କ ନିକଟରେ ଚିକିତ୍ସା ହେବାକୁ ଚାହୁଁଥିବା ବ୍ୟକ୍ତି ଚିକିତ୍ସା ହେବାରେ କୌଣସି ସମସ୍ୟା ନାହିଁ, ମାତ୍ର ସେମାନଙ୍କ ତଥ୍ୟ ପ୍ରଦାନ କରିବାକୁ ହେବ। ଯେହେତୁ ସବୁ ଜିଲ୍ଲାରେ ସିବିନାଟ ମେସିନ୍ ରହିଛି ତେଣୁ ୨ଘଣ୍ଟା ଭିତରେ ଜଣେ ବ୍ୟକ୍ତି ଯକ୍ଷ୍ମା କିମ୍ବା ଡ୍ରଗ ରେଜିଷ୍ଟାଣ୍ଟ ଯକ୍ଷ୍ମା ଚିହ୍ନଟ ହୋଇପାରୁଛି। ବିଭିନ୍ନ ସମୟରେ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରାଯାଉଥିବା ଅଧିକାରୀ ସୂଚନା ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ଯକ୍ଷ୍ମା ଚିହ୍ନଟ ବଢ଼ିଛି। ୨୦୧୭ରେ ୫୧,୨୧୮, ୨୦୧୮ରେ ୪୭,୬୬୭, ୨୦୧୯ରେ ୫୨୮୩୯ ଓ ଚଳିତବର୍ଷ ଆଜି ପର୍ଯ୍ୟନ୍ତ ୩୯,୪୫୧ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପ୍ରତିବର୍ଷ ଯେତେ ରୋଗୀ ଚିହ୍ନଟ ହେଉଛନ୍ତି, ତାହାର ପ୍ରାୟ ୫ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହେଉଛି। ୨୦୧୭ ଓ ୨୦୧୮ରେ ୫ ପ୍ରତିଶତ, ୨୦୧୯ରେ ୬ ପ୍ରତିଶତ ଏବଂ ଚଳିତ ବର୍ଷ ଏଯାଏ ୫ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଛି।

The post ଯକ୍ଷ୍ମା ନିରାକରଣରେ ଓଡ଼ିଶା ଦେଶରେ ଦ୍ୱିତୀୟ first appeared on Sambad.



from ରାଜ୍ୟ – Sambad https://ift.tt/37jle4y

Post a Comment

0 Comments