
ନୟାଗଡ଼ : ‘ ଏ କଥାଗୁଡ଼ା ତୁ ଭଲ କରଉନୁ, ତୁ ଲିମିଟେସନ୍ ବାହାରକୁ ପଳେଇ ଗଲୁଣୁ, ତୁ ସେମାନଙ୍କୁ ଯେତିକି ଶିଖଉଛୁ, ସେମାନେ ସେତିକି କହୁଛନ୍ତି।’ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପରୀର ଗ୍ରାମ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ଏହିଭଳି କହୁଥିବା ଏକ ଅଡିଓ ଆଜି ଭାଇରାଲ୍ ହୋଇଛି। ମନ୍ତ୍ରୀ ଡ. ସାହୁ ଆହୁରି ମଧ୍ୟ କହୁଛନ୍ତି ଯେ ‘ ତୁ ଏଭଳି କଲେ, ମୁଁ ତୋ ସହିତ ସମ୍ପର୍କ କାଟିଦେବି।’ ଶେଷରେ ‘ ଭାଇ, ମୁଁ ଆପଣଙ୍କୁ ଦେଖା କରିବି’ ବୋଲି ସରପଞ୍ଚ କହୁଥିବା ଶୁଣିବାକୁ ମିଳିଛି। ଏହି ଅଡିଓକୁ ପ୍ରାୟତଃ ଧମକ ମନେକରି, ନିଜର ସୁରକ୍ଷା ପାଇଁ ସରପଞ୍ଚ ଗଣମାଧ୍ୟମକୁ ଦେଇଥିବା ଓ ଭାଇରାଲ୍ କରିଥିବା ଅନୁମାନ କରାଯାଉଛି। ଏହି ଅଡିଓ ମୋବାଇଲ୍ରୁ ମୋବାଇଲକୁ ଘୂରି ବୁଲୁଛି। ତେବେ ଘଟଣା ପରଠାରୁ ସରପଞ୍ଚଙ୍କ ଫୋନ୍ ସ୍ବିଚ୍ଡଅଫ୍ ରହିଥିବା ଦେଖାଯାଇଛି।
ପରୀ ହତ୍ୟାକାରୀଙ୍କୁ ଧରିବା ଦାବିରେ ତା’ର ବାପା, ମା’ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ଏବଂ ମାମଲରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନାମ ଯୋଡ଼ିହେବା ପରେ ଘଟଣାକୁ ଗୁରୁତର ସହ ବିରୋଧୀ ଦଳ ଗ୍ରହଣ କରିଛନ୍ତି। ପରୀର ଗ୍ରାମ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଧୀନ ଯଦୁପୁରରେ ମଧ୍ୟ ହଟଚମଟ ସୃଷ୍ଟି ହୋଇଛି। ପରୀର ବାପା, ମା’ଙ୍କୁ ସ୍ଥାନୀୟ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ପ୍ରବର୍ତ୍ତାଇ ଏଭଳି କାଣ୍ଡ କରିଥିବା ମନ୍ତ୍ରୀ ଡ. ସାହୁ ସନ୍ଦେହ କରି ଆଜି ସକାଳେ ସରପଞ୍ଚଙ୍କୁ ଫୋନ୍ କରି ତାଗିଦ୍ କରିଥିବା କୁହାଯାଉଛି।
The post ଅରୁଣଙ୍କ ଅଡିଓ ଭାଇରାଲ୍, ସରପଞ୍ଚଙ୍କ ଫୋନ୍ ବନ୍ଦ first appeared on Sambad.
from ରାଜ୍ୟ – Sambad https://ift.tt/3nXdHPM
0 Comments