
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ୨୪ଘଣ୍ଟିଆ ଧର୍ମଘଟରେ ବ୍ୟାବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
ଗାଡ଼ି ମଟର, ଟ୍ରେନ, ବସ୍ ଚଳାଚଳ ବନ୍ଦ ରଖିବାକୁ ସିଟୁ ପକ୍ଷରୁ ଆହ୍ୱାନ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳ ଠାରୁ ଆରମ୍ଭ ହୋଇଛି ପିକେଟିଂ, ରାସ୍ତାରୋକ । ରାୟଗଡ଼ା ଓ ଗୁଣୁପୁରରେ ଟାୟାର ଜାଳି ରାସ୍ତା ରୋକ କରାଯାଇଛି । ଭୁବନେଶ୍ୱର ବିଭିନ୍ନ ଛକରେ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି । ରାଜଧାନୀର ବାଣୀବିହାର ଛକରେ ମଧ୍ୟ ରାସ୍ତାରେ ବିକ୍ଷୋଭ ଏବଂ ପିକେଟିଂ କରାଯାଇଛି ।





ରାସ୍ତାରୋକ କରି ଧାରଣାରେ ବସିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ। ନାଲକୋ ସ୍ମଲଟର ପ୍ଲାଣ୍ଟ ଓ ସିପିପି ପ୍ଲାଣ୍ଟ ଆଗରେ ସମସ୍ତ ଶ୍ରମିକ ସଂଗଠନ ଆଇଏନଟିୟୁସି, ଏଚଏମଏସ୍ , ସିଟୁ ଏଆଇୟୁଟିୟୁସି ପକ୍ଷରୁ ଧାରଣା ଦିଆଯାଇଛି। ସେହିଭଳି କନ୍ଧମାଳ, ଭଦ୍ରକ, ଭୁବନେଶ୍ବର ସମେତ ଅନେକ ସ୍ଥାନରେ ଶ୍ରମିକ ସଂଗଠନମାନେ ଧାରଣା ଦେଇଛନ୍ତି।
ଭାରତ ବନ୍ଦକୁ ସମର୍ଥନ କରି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର କଂଗ୍ରେସ କମିଟିି ତରଫରୁ ବନ୍ଦ କରାଯାଇଛି । କଂଗ୍ରେସ ନେତା ପ୍ରଭୁଦତ୍ତ ଭଟଙ୍କ ନେତୃତ୍ୱରେ ଏହି ବନ୍ଦ ହୋଇଛି । ଏଠାରେ କଂଗ୍ରେସ କମିଟିର ନେତା ଆଉ କର୍ମୀମାନେ ଉପସ୍ଥିତ ଅଛନ୍ତି।
ଏହା ସହ ଭାରତ ବନ୍ଦର ପ୍ରଭାବ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ପଡିଛି l ଆଜି ସକାଳ ଛଅଟି ଶ୍ରମିକ ସଙ୍ଗଠନର ନେତା କର୍ମୀମାନେ ବିର୍ସା ମୁଣ୍ଡା ଛକରେ ଏକାଠି ହୋଇ ବିକ୍ଷୋଭ କରିଛନ୍ତି l ସିଆଇଟିୟୁର ସର୍ଭଭାରତୀୟ ଉପ ସଭାପତି ବିଷ୍ଣୁ ମହାନ୍ତି, ଏଚଏମଏସର ଶଶଧର ନାୟକ , ଆଇଏନଟିୟୁସିର ପ୍ରଶାନ୍ତ ବେହେରା, କଂଗ୍ରେସ ଜିଲ୍ଲା ସଭାପତି ଜର୍ଜ ତିର୍କୀ, ଜିଏମଏମର ଗୋପାଳ ଦାସଙ୍କ ସମେତ ଅନ୍ୟ ସଙ୍ଗଠନର ଅଜିତ ଦାସ, ବିଷ୍ଣୁ ପଣ୍ଡା , ନିହାର ଦାଶ, ବିମାନ ମାଈତି ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି l ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ବୁଝାଉଛନ୍ତି l ରାଉରକେଲା ପରି କଲୁଙ୍ଗା ଶିଳ୍ପାଞ୍ଚଳ, ସାରନଗରୀ, ବଣାଇ, କୋଇଡା, ବରସୁଆଁ , ସୁନ୍ଦରଗଡ଼, ବେଦବ୍ୟାସ ଆଦି ସ୍ଥାନରେ ଶ୍ରମିକ ସଙ୍ଗଠନ ଗୁଡିକ ଏକାଠି ହୋଇ ରାସ୍ତା ଅବରୋଧ ସହ ଦୋକାନ ବଜାର ବନ୍ଦ କରୁଛନ୍ତି l ବନ୍ଦ ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି l ସୁରକ୍ଷା ଦୃଷ୍ଟିରୁ ପ୍ରମୁଖ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି l
ଅନ୍ୟପଟେ ଭାରତ ବନ୍ଦ ନେଇ କୌଣସି ସୂଚନା ସଂଘକୁ ଦିଆଯାଇ ନଥିବାରୁ ଘରୋଇ ବସ୍ ଚାଲିବ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସହରର ପ୍ରମୁଖ ଛକ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେଳଷ୍ଟେସନ, ବସ୍ଷ୍ଟାଣ୍ଡ ପ୍ରଭୃତି ୧୭ଟି ସ୍ଥାନରେ ପିକେଟିଂ କରିବାକୁ ସଂଗଠନ ସମୂହ ଯୋଜନା କରିଛନ୍ତି। ଏଥିପାଇଁ କମିସନରେଟ୍ ପୁଲିସ ପ୍ରସ୍ତୁତ ରହିଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ସରକାରୀ କ୍ଷେତ୍ରର ଘରୋଇକରଣ ତଥା ନୂତନ ଚାଷ ଆଇନ ଭଳି କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଏହି ଭାରତ ବନ୍ଦ ଆରମ୍ଭ ହୋଇଛି। ଏହି ବନ୍ଦ ପାଇଁ ଆହ୍ଵାନ ଦେଇଥିବା ଶ୍ରମିକ ସଂଗଠନଗୁଡ଼ିକ ହେଲେ ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (ଏଆଇଟିୟୁସି), ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ ୟୁନିଅନ (ଏଆଇସିସଟିୟୁ), ସେଣ୍ଟର ଅଫ୍ ଇଣ୍ଡିଆନ ଟ୍ରେଡ୍ ୟୁନିୟନ (ସିଆଇଟିୟୁ), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ ସେଣ୍ଟର (ଏଆଇୟୁଟିୟୁସି) ପ୍ରମୁଖ ଅନ୍ତର୍ଭୁକ୍ତ।

The post ରାଜ୍ୟରେ ଭାରତ ବନ୍ଦର ପ୍ରଭାବ : ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନର ଧାରଣା, ବିକ୍ଷୋଭ ଓ ରାସ୍ତାରୋକ first appeared on Sambad.
from ରାଜ୍ୟ – Sambad https://ift.tt/364CATu
0 Comments