ପାଟଣାଗଡ଼ରେ ଲୋମଟାଙ୍କୁରା ଗଣହତ୍ୟା, ପରିବାରର ୬ ଜଣଙ୍କୁ ହତ୍ୟା

ବଲାଙ୍ଗୀର/ପାଟଣାଗଡ଼: ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ବୁଲୁ ଜାନୀ(୫୦ବର୍ଷ), ତାଙ୍କ ସ୍ତ୍ରୀ ଜ୍ୟୋତି(୪୮ବର୍ଷ) ଓ ଦୁଇପୁଅ ଭୀଷ୍ମ ଜାନୀ(୫ବର୍ଷ) ଓ ସଂଜୀବ ଜାନୀ(୨ବର୍ଷ), ଦୁଇ ଝିଅ ସରିତା ଜାନୀ(୧୪ବର୍ଷ), ଶ୍ରୀୟା ଜାନୀ(୩ବର୍ଷ)। କୁନି କୁନି ଶିଶୁଙ୍କୁ ବି ଛାଡ଼ିନାହିଁ ହତ୍ୟାକାରୀ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ନିକଟ ସଅଁରାପଡ଼ା କୁସୁମତଲଠାରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ଘଟଣାଟି ମଙ୍ଗଳବାର ବିଳମ୍ବିତ ରାତିର ବୋଲି ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଜାରି ରଖିଛି। ଏସ୍‌ପି ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ନିଜେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି। ଏସ୍‌ପିଙ୍କ କହିବାନୁସାରେ, ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଉଛି। ହତ୍ୟାକାରୀଙ୍କୁ ଧରିବାକୁ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ସେ କହିଛନ୍ତି। ବୁଧବାର ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ କୁସମତଲରେ ରହୁଥିବା ବୁଲୁଙ୍କ ପରିବାର ସଦସ୍ୟ କେହି ଘରୁ ବାହାରି ନ ଥିଲେ। ଏହାକୁ ନେଇ ପଡ଼ାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପଡ଼ୋଶୀ ଘର ଲୋକ ଗତ ରାତିରେ ପାଟିତୁଣ୍ଡ ଶବ୍ଦ ଶୁଣିଥିବା କହିବା ପରେ ଲୋକେ ବୁଲୁଙ୍କ ଘର ସମ୍ମୁଖରେ ଜମା ହୋଇଥିଲେ। ବୁଲୁ ଓ ସ୍ତ୍ରୀଙ୍କୁ ଡାକିଥିଲେ ବି କେହି ଶୁଣିନଥିଲେ। ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ପୁଲିସ ପହଞ୍ଚିବା ପରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ସବୁ ସଦସ୍ୟ ପଡ଼ିଥିବା ଦେଖିବାକୁ ପାଇଥିଲେ। କମ୍ବଳ ସବୁରେ ରକ୍ତ ଛିଟା ବି ଲାଗିଥିଲା।

ଘର ବାହାରେ ଏକ ଧାରୁଆ ଅସ୍ତ୍ର ପଡ଼ିଥିବା ପୁଲିସ ଦେଖିଥିଲା। ପାଟଣାଗଡ଼ ପୁଲିସ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲା। ଅତିରିକ୍ତ ଏସ୍‌ପି ଘଟଣାସ୍ଥଳକୁ ପହଞ୍ଚିଥିଲେ। ପରେ ପରେ ସାଇଣ୍ଟିଫିକ ଟିମ୍‌, ଡଗ୍‌ ସ୍କ୍ୱାଡ୍‌ ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଏସ୍‌ପି ମଧ୍ୟାହ୍ନରେ ଗଣମାଧ୍ୟମକୁ ଜଣାଇଥିଲେ। ପୁଲିସ ଏକ ଗଇଁତି ଜବତ କରିଛି। ଯେଉଁଥିରେ ସମସ୍ତଙ୍କୁ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଆଜି ଦିନସାରା ଏସ୍‌ପି, ଅତିରିକ୍ତ ଏସ୍‌ପି, କଣ୍ଟାବାଞ୍ଜି ଏସ୍‌ଡିପିଓ ଏସ.କେ  ମହାପାତ୍ର, ପାଟଣାଗଡ଼ ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ସଦର ଥାନା ଆଇଆଇସି ତୋଫାନ ବାଗ ଓ ପୁଲିସର ଅନ୍ୟ ଅଧିକାରୀ ସବୁ ତଦନ୍ତ କରିଥିଲେ। ମାଜିଷ୍ଟ୍ରେଟ ଡ. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିତିରେ ଦିନ ୪ଟା ସମୟରେ ଘର ଭିତରୁ ୬ଟି ଶବ ବାହାରକୁ ବାହାର କରାଯାଇଥିଲା। ସମସ୍ତଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ବେଳେ ମୃତଦେହଗୁଡ଼ିକରେ ଗଇଁତି ଚୋଟର କ୍ଷତ ଚିହ୍ନ ସବୁ ଦେଖିବାକୁ ମିଳିଥିଲା। ବୁଲୁଙ୍କ ବେକ ଓ ପିଠିରେ ଚୋଟ ପଡ଼ିଥିଲା। ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ, ଦୁଇ ଝିଅଙ୍କୁ ବି ସେହି ସମାନ ଢଙ୍ଗରେ କାହା ମୁଣ୍ଡରେ ଚୋଟ ବାଜିଛି ତ ଆଉ କାହାର ବେକରେ ଚୋଟ ବାଜିଛି। ଦେହସାରା କ୍ଷତବିକ୍ଷତ ଚିହ୍ନ ସବୁ ରହିଛି। ସମଗ୍ର ଘଟଣାରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ମୃତ ବୁଲୁଙ୍କ କାହା ସହ ପୂର୍ବ ଶତ୍ରୁତା ଥିଲା କି? ଟଙ୍କା ପଇସାକୁ ନେଇ କିଛି ଗଣ୍ଡଗୋଳ ରହିଥିଲା କି? ନା ଆଉ କିଛି କାରଣ ଥାଇପାରେ ଏସବୁକୁ ନେଇ ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଛି ବୋଲି ଏସ୍‌ପି କହିଛନ୍ତି। ମୃତ ବୁଲୁ ପେସାରେ ଫେରିବାଲା କାମ କରୁଥିଲେ। ଗାଁ ଗାଁ ବୁଲି ପ୍ଲାଷ୍ଟିକ ସାମଗ୍ରୀ, ଚୁଡ଼ି ଆଦି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ପୁଅଝିଅଙ୍କ ସଂଖ୍ୟା ସ୍ଥାନୀୟ ଲୋକେ କିଏ ୧୦ କହୁଛନ୍ତି ତ କିଏ ୧୨ ଥିବା କହୁଛନ୍ତି। ପରିବାରର ୬ ଜଣ ସଦସ୍ୟ କେବଳ ଏଠାରେ ରହୁଥିବା ବେଳେ ବଡ଼ ପୁଅମାନେ କିଛି ବାହାର ଜିଲ୍ଲା ଓ ବାହାର ରାଜ୍ୟରେ ରହୁଥିବା ସ୍ଥାନୀୟ ଲୋକ କହୁଛନ୍ତି। ପୁଲିସ ମୃତ ବୁଲୁଙ୍କ ଦୁଇ ପୁଅଙ୍କୁ ଯୋଗାଯୋଗ କରୁଥିବା ସୂଚନା ମିଳିଛି। ଏତେ ବଡ଼ ହତ୍ୟାକାଣ୍ଡ କିଏ ଓ କାହିଁକି ଘଟାଇଲା ତାକୁ ନେଇ ସ୍ୱତନ୍ତ୍ର ଟିମ୍‌ ଛାନଭିନ କରୁଛି। ପୁଲିସ ହାତରେ କୌଣସି ସୁରାକ ମିଳିନଥିବା ବେଳେ ଘରୁ ହତ୍ୟାକାଣ୍ଡରେ ବ୍ୟବହୃତ ଗଇଁତି ଜବତ ହୋଇଛି। ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ଜରିଆରେ ପୁଲିସ ବିଭିନ୍ନ ଦିଗକୁ ନେଇ ଘର ଭିତରେ ତଦନ୍ତ କରିଛି। ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ ବୁଲୁଙ୍କ ନାଁରେ ବି ପୂର୍ବରୁ କିଛି ଅପରାଧ ମାମଲା ରହିଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବୁଲୁଙ୍କ ଘର ଅଗଣାରେ ଝୁଲାଯାଇଥିବା ନଡ଼ିଆ, ଲେମ୍ବୁକୁ ନେଇ ଚର୍ଚ୍ଚା ହେଉଛି। କିଛି ଦିନ ଆଗରୁ ଘର ପ୍ରତିଷ୍ଠା ସମୟରେ ସେ ପୂଜା କରାଇ ତାହା ଲଗାଇଥିଲେ। ହେଲେ ପୁଲିସ ପହଞ୍ଚିବା ସମୟରେ ଘର ଅଗଣାରେ ଏକ କଳସୀ ଓ ତା’ ଭିତରେ ପାଣି ରହିଥିଲା। ନିକଟରେ ଏକ ଲେମ୍ବୁ ଚିପୁଡ଼ା ହୋଇ ପଡ଼ି ରହିଥିଲା। ଏଠାରେ ଚାଉଳ ପକାଇ ପୂଜା କରାଯାଇଥିବା ସନ୍ଦେହ କରାଯାଉଛି। ବୁଲୁ ମଦ ପିଇ ବିଭିନ୍ନ ସମୟରେ ଘରେ ବି ଗଣ୍ଡଗୋଳ କରୁଥିଲେ। ଗତ ରାତିରେ ତାଙ୍କ ଘର ଭିତରୁ ପାଟିତୁଣ୍ଡ ଶବ୍ଦ ବାହାରୁଥିବା ଜଣେ ବୟସ୍କ ପଡ଼ୋଶୀ ବ୍ୟକ୍ତି କହିଛନ୍ତି। ଘର ଭିତରେ ମଦ ପାଉଚ, କପ୍‌ ବି ପଡ଼ି ରହିଥିଲା। ଏଣୁ ଘଟଣା ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଛଅ ଜଣଙ୍କୁ ହତ୍ୟା ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଖୁବ୍‌ ଶୀଘ୍ର ପୁଲିସ ହାତରେ ଅପରାଧୀ ଧରାପଡ଼ିବେ ବୋଲି ଏସ୍‌ପି ସମ୍ପତ୍‌ କହିଛନ୍ତି।

The post ପାଟଣାଗଡ଼ରେ ଲୋମଟାଙ୍କୁରା ଗଣହତ୍ୟା, ପରିବାରର ୬ ଜଣଙ୍କୁ ହତ୍ୟା first appeared on Sambad.



from ରାଜ୍ୟ – Sambad https://ift.tt/38zFXDx

Post a Comment

0 Comments