୨୪ ଘଣ୍ଟାରେ ସ୍ୱାଭାବିକ ହେବ ତାପମାତ୍ରା : ଥଣ୍ଡା କମିବ, ତାପମାତ୍ରା ବଢ଼ିବ

ଭୁବନେଶ୍ୱର : ରାଜ୍ୟରେ ଲଗାତାର ୫ ଦିନ ଧରି ତାପମାତ୍ରା ଖସିବାରେ ଲାଗିଥିବା ବେଳେ ଫେବ୍ରୁଆରିର ଶୀତ ଏବେଠାରୁ ଅନୁଭୂତ ହେଉଥିଲା। କିଛି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ଓ କେତେକ ସ୍ଥାନର ପାରଦ ୫ ଡିଗ୍ରି ପର୍ଯ୍ୟନ୍ତ ଖସି ଏବେଠାରୁ ଶୀତ ଡରାଉଥିଲା। କିନ୍ତୁ ଆସନ୍ତା ୨୪ ଘଣ୍ଟାରେ ପୁଣି ସ୍ବାଭାବିକ ସ୍ତରକୁ ଆସିଯିବ ରାଜ୍ୟର ତାପମାତ୍ରା। ରାଜ୍ୟକୁ ପୂର୍ବ ତରଙ୍ଗାୟିତ ପବନର ପ୍ରବାହ ଫଳରେ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ଏବେ ୩/୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। କିଛି ସ୍ଥାନରେ ପାରଦସ୍ତର ୫ ଡିଗ୍ରି ପର୍ଯ୍ୟନ୍ତ ବି ଖସିଛି। ଏବେ ପୂର୍ବ ତରଙ୍ଗାୟିତ ପବନର ପ୍ରଭାବରେ ଆସନ୍ତା ୨/୩ ଦିନରେ ତାପମାତ୍ରା ୩/୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଟ୍ରଫ୍‌ ଲାଇନ୍‌ ରହିଛି। ଏହାର ପ୍ରଭାବରେ ପୂର୍ବ ତରଙ୍ଗାୟିତ ପବନ ଓଡ଼ିଶାକୁ ବିଶେଷ କରି ଉପକୂଳ ଓଡ଼ିଶାକୁ ପ୍ରବାହିତ ହେବ। ଫଳରେ ଆଜି ରାତିରୁ ପୁରୀ, ଗଜପତି ଓ ଗଞ୍ଜାମର କିଛି କିଛି ସ୍ଥାନରେ ହାଲ୍‌କା ବର୍ଷା ହୋଇଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ଦକ୍ଷିଣ ଉପକୂଳର ଜିଲ୍ଲାଗୁଡ଼ିକରେ ଯଥା, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୨ ତାରିଖ ଦିନ ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁରର କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ବର୍ଷା ହୋଇପାରେ। ଅବଶିଷ୍ଟ ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ। ଅନ୍ୟପଟେ ପୂର୍ବ ତରଙ୍ଗାୟିତ ପବନ ଯୋଗୁଁ ରାଜ୍ୟରେ ଥଣ୍ଡା କମିବ ବୋଲି ସେ କହିଛନ୍ତି। ଭୁବନେଶ୍ବରରେ ଆଜି ସକାଳୁ ସର୍ବନିମ୍ନ ତାପମାତ୍ରା ୧୭.୪ ଓ କଟକରେ ୧୬.୪ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ଭୁବନେଶ୍ବରର ତାପମାତ୍ରା ୧୯ ଡିଗ୍ରିକୁ ଚାଲିଆସିବ ଓ ୧୨ ତାରିଖ ବେଳକୁ ଏହା ୨୧ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଯିବ ବୋଲି ଶ୍ରୀ ବିଶ୍ବାସ ସୂଚନା ଦେଇଛନ୍ତି।

ଆଜି ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ରହିଛି। ସୋନପୁର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଥିବା ବେଳେ ଏହାର ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗବାଡ଼ିରେ ୯.୫, ଫୁଲବାଣୀରେ ୯.୮, ଭବାନୀପାଟଣା ୧୧, କୋରାପୁଟରେ ୧୦.୬, ଅନୁଗୁଳ‌ରେ ୧୦.୮, ବଲାଙ୍ଗୀର ୧୪, କେନ୍ଦୁଝର ୧୪, ଟିଟିଲାଗଡ଼ ୧୪.୩, ଝାରସୁଗୁଡ଼ା ୧୪.୪ ଓ ବାରିପଦା ୧୫.୦ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।

The post ୨୪ ଘଣ୍ଟାରେ ସ୍ୱାଭାବିକ ହେବ ତାପମାତ୍ରା : ଥଣ୍ଡା କମିବ, ତାପମାତ୍ରା ବଢ଼ିବ first appeared on Sambad.



from ରାଜ୍ୟ – Sambad https://ift.tt/3knShsK

Post a Comment

0 Comments