
ବେଗୁନିଆପଡ଼ା: ଗଛ ମଣିଷ ବାଇଧର ମଣ୍ଡଳ। ବୟସ ପାଖାପାଖି ୫୪। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ତାଳସର ପଂଚାୟତର ହଂସତୁଳି ଗ୍ରାମରେ ତାଙ୍କର ଘର। ବୃକ୍ଷ ହିଁ ତାଙ୍କ ଜୀବନ। ବୃକ୍ଷକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ବାଇଧର ଆଜି ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି। ବୃକ୍ଷରୋପଣ ସହ ବୃକ୍ଷ ସେବା ହିଁ ତାଙ୍କୁ ସମସ୍ତଙ୍କ ପାଖରେ ପରିଚିତ କରିଛି।
ବାଇଧର ଜଣେ ସାଦା ସିଧା ମଣିଷ। ହଳଦିଆ ଧୋତି ସାଙ୍ଗକୁ ଧଳା ଗଞ୍ଜି ତାଙ୍କର ପୋଷାକ। ସଦା ବେଳେ ହସ ହସ ମୁହଁ। ସକାଳ ହେଲେ ସାଇକେଲଟିଏ ଧରି ଘରୁ ବାହାରି ଯାଆନ୍ତି। ସାଇକେଲ ହ୍ୟାଣ୍ଡେଲ୍ରେ ଝୁଲୁଥାଏ ଦଶରୁ ବାରଟି ପାଣି ବୋତଲ। କୋଦଳା ଠାରୁ ଅଙ୍ଗାର ଗାଁ ମଧ୍ୟରେ ଯେତେ ଗଛ ଲଗାଇଛନ୍ତି ସବୁଥିରେ ପାଣି ଦେବାରୁ ତାଙ୍କର ଯାତ୍ରା ଆରମ୍ଭ ହୁଏ। କୋଦଳା, ଦଣ୍ଡିଶ୍ଵର ମନ୍ଦିର, କେ. ବରିଡ଼ା ଅମରେଶ୍ବର, ବେଗୁନିଆପଡ଼ା ସ୍ଥିତ ସିଦ୍ଧେଶ୍ଵର, ଶାଙ୍କୁଡ଼ା ସ୍ଥିତ ଧବଳେଶ୍ୱର, ଷଣ୍ଢମୂଳ ସ୍ଥିତ ତୁମ୍ବେଶ୍ୱର, ହଂସତୁଳି ସ୍ଥିତ ଚନ୍ଦନେଶ୍ୱର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପୋଖରୀ ହୁଡ଼ା, ରାସ୍ତା ପାର୍ଶ୍ୱରେ ପାଖାପାଖି ୧୦ ହଜାରରୁ ଅଧିକ ବୃକ୍ଷରୋପଣ କରିବା ସହ ସେଗୁଡିକର ବରାବର ଯତ୍ନ ନେଇ ଆସୁଛନ୍ତି। ପାଣି ଦେବା ବେଳେ ବୋତଲର ପାଣି ଯେଉଁଠି ସରିଯାଏ ସେଇଠୁ ପୁଣି ପାଣି ଭର୍ତ୍ତି କରି ଆଗକୁ ଚାଲନ୍ତି ଗଛରେ ପାଣି ଦେବା ପାଇଁ।
ଗଛ ପ୍ରତି ବାଇଧରଙ୍କ ଅହେତୁକ ଦୁର୍ବଳତା। ବର୍ଷା ଦିନେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇ ସେଗୁଡିକର ଯତ୍ନ ନେଇ ଆତ୍ମସନ୍ତୋଷ ଲାଭ କରନ୍ତି। ଗଛ ଲଗାଇବା ପାଇଁ ସେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନରୁ ସେ ପ୍ରମାଣପତ୍ର ପାଇଛନ୍ତି। ଏ ସମ୍ପର୍କରେ ବାଇଧରଙ୍କ ସହ ଆଲୋଚନା ବେଳେ ‘ଧରମ କରିବୁ ଗଛ ଲଗାଇବୁ କରୁନାହିଁ ତତେ ମନା, ମଣିଷ ଗଛଟି କେବେ ନ ରୋପିବୁ କାଟି ନେବ ତୋର ଦାନା।’ ଏହା କହିବା ସହ ତାଙ୍କୁ ଗଛ ଲଗାଇବା ପାଇଁ ଭାରି ଭଲ ଲାଗେ, ଏହା ଏକ ମହତ କାମ। ଚାଲିବା ସାମର୍ଥ୍ୟ ଥିବା ପର୍ଯ୍ୟନ୍ତ ଏପରି ଗଛ ଲଗାଇବି ବୋଲି ସେ କହିଛନ୍ତି। ଆଜି ପର୍ଯ୍ୟନ୍ତ ୪୦ରୁ ୪୫ ପ୍ରକାର ଗଛ ଲଗାଇଥିବା କଥା ସେ ପ୍ରକାଶ କରିଥିଲେ। ସତରେ ଆଧୁନିକତା ନାମରେ ପ୍ରକୃତିକୁ ଧ୍ବଂସ କରି ଚାଲୁଥିବା ମନୁଷ୍ୟ ମାନେ ବାଇଧରଙ୍କ ଠାରୁ କିଛି ଶିଖିବା ଉଚିତ।
The post ଗଛ ମଣିଷ ବାଇଧର: ୨୫ ବର୍ଷରେ ପୋତିଲେଣି ୧୦ ହଜାରରୁ ଊର୍ଦ୍ଧ୍ବ ଗଛ first appeared on Sambad.
from ରାଜ୍ୟ – Sambad https://ift.tt/2KtB5pr
0 Comments