ଦୀପାବଳିରେ ଦୀପ ପ୍ରଜ୍ୱଳନ କରିବାର ରହସ୍ୟ କ’ଣ?

ପ୍ରତ୍ୟେକ ପର୍ବକୁ ପାଳନ କରିବାର ଲୁକ୍କାୟିତ ଥାଏ ଆଧ୍ୟାତ୍ମିକ ଗୁଢ଼ ରହସ୍ୟ। ଏହାକୁ ହୁଦୟଙ୍ଗମ କଲେ, ଏକ ନୂତନ ଚେତନା ମନ ଭିତରେ ସଞ୍ଚରିତ ହୁଏ।

ଦୀପାବଳି ପର୍ବ ପାଳିତ ହୁଏ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଅର୍ଥାତ୍ ଅନ୍ଧକାର ରାତିରେ। ଅନ୍ଧକାରକୁ ସମାପ୍ତ କରିବା ପାଇଁ ଆଲୋକର ଆବଶ୍ୟକତା ଥାଏ। ଏଠାରେ ଅନ୍ଧକାର ହେଉଛି- ‘ଅଜ୍ଞାନ’ ଏବଂ ଆଲୋକ ହେଉଛି -‘ଜ୍ଞାନ’।

ଶ୍ରୀମଦ୍ ଭଗବତ୍ ଗୀତାର ୪ର୍ଥ ଅଧ୍ୟାୟ ୭ମ ଶ୍ଲୋକ- “ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ……” କଳ୍ପ ପର୍ବରୁ କଳିଯୁଗର ଅନ୍ତ ସମୟରେ ଯେତେବେଳେ ସର୍ବମନୁଷ୍ୟାତ୍ମା ଅଜ୍ଞାନ ଅନ୍ଧକାରରେ ନିଜକୁ, ପରମପିତା ପରମାତ୍ମା ଏବଂ କର୍ତ୍ତବ୍ୟକୁ ଭୁଲି ପାପ, ଅନ୍ୟାୟ, ଅତ୍ୟାଚାରରେ ମଜ୍ଜିତ ହୁଅନ୍ତି; ସେତେବେଳେ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ଏହି ଧରାରେ ଅବତରିତ ହୋଇ ନିଜର ପ୍ରକୃତ ପରିଚୟ ପ୍ରଦାନ କରନ୍ତି। ଏବଂ, ସଙ୍ଗେ ସଙ୍ଗେ ଶ୍ରୀମତ୍ ରୂପୀ ସତ୍‌ମାର୍ଗ ଦର୍ଶାଇ ଏହି ଦୁଃଖ-ଅଶାନ୍ତ କଳିଯୁଗ ଦୁନିଆକୁ ସୁଖଶାନ୍ତି ସମ୍ପନ୍ନ ସତ୍ୟଯୁଗୀ ଦୁନିଆରେ ପରିବର୍ତ୍ତନ କରନ୍ତି। ଯେପରି ଦୀପଟି ଲିଭି ହୋଇ ଯାଉଥିବାବେଳେ ଯଦି ତେଲ ବା ଘିଅ ଢାଳିଲେ, ଦୀପଟି ପୁନଶ୍ଚ ଜଳିଉଠେ ଠିକ୍ ସେହିପରି, ପରମାତ୍ମାଙ୍କ ଜ୍ଞାନ ଘୃତ ଦ୍ୱାରା ଆତ୍ମା ଜ୍ୟୋତି ପୁନଶ୍ଚ ଜଳିଉଠେ। ସେହି ସ୍ମୃତି ଉବ୍ଦେଶ୍ୟରେ ଦୀପାବଳିରେ ଦୀପ ପ୍ରଜ୍ଜ୍ବଳନ କରାଯାଏ।

ଦଶହରା କିଛିଦିନ ପରେ ଦୀପାବଳି ପର୍ବ ପାଳିତ ହେବାର ରହସ୍ୟ କ’ଣ? ଦଶହରା ପର୍ବ ହେଉଛି ଅବଗୁଣ ରୂପୀ ରାବଣ ଉପରେ ସଦ୍‌ଗୁଣ ସମ୍ପନ୍ନ ପରମାତ୍ମା ନିରାକାର ରାମଙ୍କର ବିଜୟ। ଯେତେବେଳେ ପରମାତ୍ମା ଏହି ଧରାରେ ଅବତରିତ ହୋଇ ସର୍ବାତ୍ମାଙ୍କୁ ହୃଦୟଙ୍ଗମ କରାନ୍ତି ଯେ, ଉଭୟ ପୁରୁଷ ଏବଂ ନାରୀ ଭିତରେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ରୂପୀ ପାଞ୍ଚ ବିକାର ହିଁ ସମସ୍ତ ଦୁଃଖ, ଅଶାନ୍ତିର କାରଣ। ଏହି ବିକାରକୁ ବିଜୟ କରିପାରିଲେ ହିଁ ସୁଖଶାନ୍ତି ସମ୍ପନ୍ନ ନୂତନ ସୃଷ୍ଟିର ନିର୍ମାଣ ହୋଇପାରିବ। ଏହି ବିକାର ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ପରମାତ୍ମା ଶିବ ଅତି ସହଜ ମାର୍ଗ ଦର୍ଶାନ୍ତି। ଯାହା ଶ୍ରୀମଦ୍‌ ଭଗବତ ଗୀତାର ନବମ ଅଧ୍ୟାୟ ୩୪ ଶ୍ଲୋକରେ ବର୍ଣ୍ଣିତ- “ମନ୍ମନା ଭବ ମଦ୍ଭକ୍ତୋ ମଦ୍‌ଯାଦୀ ମାଂ ନମସ୍କୁରୁ….”। ଅର୍ଥାତ ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ଯଥାର୍ଥ ରୂପେ ଜାଣି ମନେ ପକାଇଲେ, ମୋତେ ନିଶ୍ଚୟ ପ୍ରାପ୍ତ ହେବ। ଯେପରି ମୋବାଇଲ ବ୍ୟାଟେରିକୁ ଚାର୍ଜ କରିବାପାଇଁ ପ୍ଲଗ୍‌ ସହିତ ଚାର୍ଜର ସଂଯୋଗ ଦରକାର, ଠିକ୍‌ ସେହିପରି ଆତ୍ମା ରୂପୀ ବ୍ୟାଟେରିକୁ ସର୍ବ ଶକ୍ତିମାନ ପରମାତ୍ମାଙ୍କ ସଙ୍ଗେ ଯୋଡିଲେ ଅର୍ଥାତ୍ ସ୍ମରଣ କଲେ, ଆତ୍ମା ଭିତରେ ବିଦ୍ୟମାନ ଅବଗୁଣର ବିନାଶ ହେବା ସଙ୍ଗେ ସଙ୍ଗେ ଆତ୍ମାର ଅନାଦି ଏବଂ ଆଦିଗୁଣ ଜାଗୃତି ହୁଏ। ଏହି ଅଭ୍ୟାସ ନିରନ୍ତର ଦ୍ୱାରା ଆତ୍ମା ସମ୍ପୂର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରେ। ତାହା ହିଁ ସ୍ମୃତିର ଉତ୍ସବ ରୂପରେ ଦୀପାବଳି ଭ‌ାବେ ପାଳିତ ହୁଏ। କାରଣ ଆତ୍ମା ରୂପୀ ଜ୍ୟୋତି ସମସ୍ତଙ୍କ ଭିତରେ ଜାଗ୍ରତ ହେବା ଦ୍ୱାରା ଏହି ସୃଷ୍ଟିରେ ଏକ ମହାନ ପରିବର୍ତ୍ତନ ହୋଇ ନୂତନ ସୃଷ୍ଟି ଅର୍ଥାତ ସତ୍ୟର ସମୟ-ସତ୍ୟଯୁଗର ଆରମ୍ଭ ହୁଏ। ଦଶହରା ଆର୍ଥାତ ପୁରୁଷାର୍ଥ ବା ପ୍ରଚେଷ୍ଟା। ଦୀପାବଳି ଅର୍ଥାତ୍‌ ସମ୍ପୂର୍ଣ୍ଣ ଅବସ୍ଥାକୁ ପ୍ରାପ୍ତି। ସେଇଥିପାଇଁ ଉତ୍ସବ। ଯେପରି ବିଦ୍ୟାର୍ଥୀ ଡିଗ୍ରି ପାଇବା ପରେ ଉତ୍ସବ ମନାନ୍ତି।

ବ୍ରହ୍ମାକୁମାରୀଜ୍‌, ଝାଞ୍ଜିରୀମଙ୍ଗଳା, କଟକ

The post ଦୀପାବଳିରେ ଦୀପ ପ୍ରଜ୍ୱଳନ କରିବାର ରହସ୍ୟ କ’ଣ? first appeared on Sambad.



from ରାଜ୍ୟ – Sambad https://ift.tt/36zgpUj

Post a Comment

0 Comments