ବସ୍‌କୁ ଅସ୍ଥାୟୀ ପର୍‌ମିଟ୍‌ ତୁରନ୍ତ ଦିଆଯାଉ

ଭୁବନେଶ୍ୱର : ବସ୍‌ଗୁଡ଼ିକର ଅସ୍ଥାୟୀ ପର୍‌ମିଟ୍‌ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ନିକଟରେ ଆବେଦନ କରାଯାଉଛି। କିନ୍ତୁ ଦୀର୍ଘ ମାସ ଧରି ସେସବୁ ତାଙ୍କ କାର୍ଯ୍ୟାଳୟରେ ପଡ଼ି ରହୁଛି। ଠିକ୍ ସମୟରେ ସେଗୁଡ଼ିକର ବିଚାର କରାଯାଉନି। ଏହାକୁ ନେଇ ବସ୍‌ ମାଲିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭୁବନେଶ୍ବର ବସ୍‌ ମାଲିକ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଡକାଯାଇ ଏ ସମ୍ପର୍କରେ ଆଲୋଚନା ହୋଇଛି। ଅସ୍ଥାୟୀ ପର୍‌ମିଟ୍‌ର ଦରଖାସ୍ତଗୁଡ଼ିକୁ ପ୍ରତ୍ୟେକ ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ଅନୁମତି ପ୍ରଦାନ କରିବାକୁ ‌ସଂଘ ଦାବି କରିଛି।

ସଂଘର ଉପସଭାପତି ଅଖିଳ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କୁହାଯାଇଥିଲା ଯେ ବସ୍‌ ମାଲିକମାନେ ବସ୍‌ଗୁଡ଼ିକ ଠିଆ କରି ରଖି ମଧ୍ୟ ରାଜ୍ୟ ସରକାରଙ୍କୁ ମାସିକ ଟିକସ, ଅର୍ଥ ଲଗାଣକାରୀ ସଂସ୍ଥାରୁ ଆଣିଥିବା ଋଣ ବାବଦକୁ ମାସିକ ଦେୟ, ବୀମା ଦେୟ ଓ ଅନ୍ୟାନ୍ୟ ସରକାରୀ ଦେୟ ଦେଇ ମଧ୍ୟ ବସ୍‌ ଚଳାଇବା ପାଇଁ ପର୍‌ମିଟ୍‌ ପାଉ ନାହାନ୍ତି। ଟୁରିଷ୍ଟ୍‌ ପର୍‌ମିଟ୍‌ ଆଣି ଗାଡ଼ି ଚଳାଇବା ସମୟରେ ପରିବହନ ବିଭାଗ କର୍ମଚାରୀ ସେହି ବସ୍‌ଗୁଡ଼ିକୁ ତନଖି କରି ଜରିମାନା କରୁଛନ୍ତି। ପରେ ବସ୍‌କୁ ଜବତ କରି ବିଭିନ୍ନ ଗଣମାଧ୍ୟମରେ ତାହାର ପ୍ରସାର କରି ବସ୍‌ ମାଲିକମାନଙ୍କୁ ନିନ୍ଦିତ କରୁଛନ୍ତି।

ସଂଘର ଦାବିଗୁଡ଼ିକ ହେଲା, ଏନ୍‌ଆଇସି ପକ୍ଷରୁ ସଫ୍ଟୱେର୍‌ଗୁଡ଼ିକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବା ସହ ପର୍‌ମିଟ୍‌ ଇସ୍ୟୁ ପାଇଁ ହାଇକୋର୍ଟଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ଏସ୍‌ଟିଏର ପାସେଞ୍ଜର୍‌ ସର୍ଭେ ୟୁନିଟ୍‌କୁ କାର୍ଯ୍ୟକ୍ଷମ କରାଯାଉ। ସର୍ବନିମ୍ନ ୫ ବର୍ଷ ସ୍ଥାୟୀ ପର୍‌ମିଟ୍‌ରେ ଚଳାଇଥିବା ବସ୍‌ ମାଲିକଙ୍କୁ ଆବଶ୍ୟକ ସ୍ଥଳେ ବସ୍‌ ବିକ୍ରି କରିବା ସହ ସେହି ବସ୍‌ର ପର୍‌ମିଟ୍‌କୁ ମଧ୍ୟ ବସ୍‌ ସହ ଲଗାଇ ବିକ୍ରି କରିବାକୁ ଅନୁମତି ଦିଆଯାଉ। ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ବିଭିନ୍ନ ଦରଖାସ୍ତ ଏବଂ ଟ୍ୟାକ୍ସ ଓ ଫି’ ପଇଠ କରିବା ପାଇଁ ଉଭୟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉ। ପୂର୍ବ ପରି ବସ୍‌ ମାଲିକଙ୍କୁ ନୂଆ ବସ୍‌ର ପର୍‌ମିଟ୍‌ ପାଇବା ପାଇଁ ଏନ୍‌ଓସି ଦିଆଯାଉ। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦେବା ଦ୍ବାରା ମାଲିକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛି। କୌଣସି ରୁଟ୍‌ର ସମୟ ସାରଣୀରେ କେବଳ ଘରୋଇ ବସ୍‌ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଉଛି। ‘ମୋ ବସ୍‌’କୁ ସମୟ ସାରଣୀରେ ଅନ୍ତର୍ଭୁକ୍ତ କରା ନ ଯାଇ ଅନ୍ୟ ସମୟରେ ଚଳାଚଳ କରିବାକୁ ଅନୁମତି ଦିଆଯାଉଛି। ଏହା ଦ୍ବାରା ଘରୋଇ ବସ୍‌ ମାଲିକମାନଙ୍କ ବ୍ୟବସାୟରେ ଆର୍ଥିକ କ୍ଷତି ହେଉଛି। ତେଣୁ ସବୁ ବସ୍‌କୁ ନେଇ ସମୟ ସାରଣୀ ପ୍ରସ୍ତୁତ କରିବାକୁ ସଂଘ ଦାବି କରିଛି।

The post ବସ୍‌କୁ ଅସ୍ଥାୟୀ ପର୍‌ମିଟ୍‌ ତୁରନ୍ତ ଦିଆଯାଉ first appeared on Sambad.



from ରାଜ୍ୟ – Sambad https://ift.tt/3qhTGW7

Post a Comment

0 Comments