ପୁରୀ, ବୀରମିତ୍ରପୁର ହାଜତ ମୃତ୍ୟୁ ପ୍ରସଂଗ : ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍

କଟକ : ପୁରୀ ବାସେଳିସାହି ଥାନା ଓ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ହାଜତ ମୃତ୍ୟ ପ୍ରସଂଗକୁ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଛି।

ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ପକ୍ଷରୁ କମିସନଙ୍କ ନିକଟରେ ଦାଖଲ ପିଟିସନରେ ଦର୍ଶାଯାଇଛି ଯେ ପୁରୀ ବାସେଳିସାହି ଥାନା ହାଜତରେ କେ.ରମେଶଙ୍କ ମୃତ୍ୟୁ ହୋଇଥିବାବେଳେ ମରଶରୀରର ବହୁ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କୁ ମଧ୍ୟ ମୃତ ଶରୀରକୁ ଦେଖିବାକୁ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ସେହିଭଳି ଭାବେ ବୀରମିତ୍ରପୁର ଥାନା ହାଜତରେ ତାରିକ ସଲିମଙ୍କୁ ନିର୍ଯାତନା ଦିଆଯିବାରୁ ତାଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ ହୋଇଛି। ଉଭୟ ମାମଲାରେ ପୁଲିସ ନିୟମ ଉଲ୍ଲଂଘନ କରିଛି। ଉଭୟ ମାମଲାରେ ସମ୍ବିଧାନ ପ୍ରଦାନ କରିଥିବା ମାନବିକ ଅଧିକାର ଉଲ୍ଲଂଘନ ହୋଇଛି ବୋଲି ଶ୍ରୀ ଦାସ ଦର୍ଶାଇଛନ୍ତି। ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାର ତଦନ୍ତ ମାନବାଧିକାର କମିସନ୍ ନିଜ ତଦନ୍ତକାରୀ ଡିଭିଜନ୍ ଦ୍ବାରା କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଏଥିସହିତ ଏପରି ହାଜତ ମୃତ୍ୟୁ ଘଟଣାରେ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀ ଦାସଙ୍କ ପକ୍ଷରୁ ମାନବାଧିକାର କମିସନଙ୍କ ନିକଟରେ ଦାଖଲ ପିଟିସନରେ ଉଲ୍ଲେଖ କରାଯାଇଛି।

The post ପୁରୀ, ବୀରମିତ୍ରପୁର ହାଜତ ମୃତ୍ୟୁ ପ୍ରସଂଗ : ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ first appeared on Sambad.



from ରାଜ୍ୟ – Sambad https://ift.tt/36XxRlx

Post a Comment

0 Comments