ପିପିଲି ପୁଲିସର ଥାର୍ଡ ଡିଗ୍ରି : ବାଡ଼େଇ ହାତ ଭାଙ୍ଗିଛନ୍ତି

କଟକ : ଡାକ୍ତରୀ ର‌ିପୋର୍ଟରୁ ପିପିଲି ପୁଲିସ୍‌ ଥାର୍ଡ ଡିଗ୍ରି ଘଟଣାର ପ୍ରକୃତ ସତ ସାମ୍‌ନାକୁ ଆସିଛି। ପୁଲିସ୍‌ ଯେ ଅମାନୁଷିକ ଭାବେ ଅଭିଯୁକ୍ତଙ୍କୁ ନିର୍ଯାତନା ଦେଇଥିଲା, ଏହି ରିପୋର୍ଟରୁ ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଏହି ୫ଜଣ ଅଭିଯୁକ୍ତଙ୍କ ଏକ୍ସରେ’ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ୩ ଜଣଙ୍କ ହାତ ଭାଙ୍ଗିଛି। କଟକ ବଡ଼ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗ ସେମାନଙ୍କ ହାତକୁ ପ୍ଲାଷ୍ଟର କରିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ବି ଗୁରୁତର ଥିବା ଜଣାପଡ଼ିଛି।

ଅନ୍ୟପଟେ ସମସ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ଆଜି ପୁଣି ଅଲଟ୍ରାସାଉଣ୍ଡ ତଥା ବିଭିନ୍ନ ପରୀକ୍ଷା ପାଇଁ ପଠାଯାଇଛି। ତା’ ସହିତ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ପାଇଁ ମଧ୍ୟ ଆଜି ସ୍ବାବ୍‌ ପଠାଯାଇଛି। ଚିକିତ୍ସା ପାଇଁ ସର୍ଜରି, ଅର୍ଥୋପେଡିକ ଓ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ଚିକିତ୍ସା ଚାଲିଛି। ପୁରୀ ପୁଲିସର ଥାର୍ଡ ଡିଗ୍ରି ଯୋଗୁଁ ଆହତମାନଙ୍କୁ ଏବେ କଡ଼ା ପୁଲିସ ପହରା ଭିତରେ ସର୍ଜରି ବିଭାଗରେ ରଖାଯାଇଛି। ସମସ୍ତଙ୍କୁ ଗୋଟିଏ ସ୍ଥାନରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ସେହି ସ୍ଥାନକୁ କାହାରିକୁ ଛଡ଼ାଯାଉନି। ଏପରିକି ସଂପର୍କୀୟଙ୍କୁ ମଧ୍ୟ ସେମାନଙ୍କୁ ଭେଟିବାକୁ ଦେଉନି ପୁଲିସ। ଗତକାଲି ଆହତ ଜଗନ୍ନାଥ ପୁଷ୍ପାଳକଙ୍କ ବାପା ଓ ଭାଇ ଦେଖିବାକୁ ଆସିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଭେଟ କରିବାକୁ ଦେଇ ନ ଥିଲା। ଆହତମାନଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ହୋଇଥିବାବେଳେ ଶରୀରରେ ମାଡ଼ର ସ୍ପଷ୍ଟ ଦାଗ ରହିଛି।

ପିପିଲି ଥାନାରେ ୬ ଅଭିଯୁକ୍ତଙ୍କୁ ପୁଲିସ୍‌ ନିସ୍ତୁକ ପିଟିବାରୁ ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇପଡ଼ିଥିଲେ। ସମସ୍ତ ଆହତ ଅଭିଯୁକ୍ତଙ୍କୁ ଶୁକ୍ରବାରଠାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

The post ପିପିଲି ପୁଲିସର ଥାର୍ଡ ଡିଗ୍ରି : ବାଡ଼େଇ ହାତ ଭାଙ୍ଗିଛନ୍ତି first appeared on Sambad.



from ରାଜ୍ୟ – Sambad https://ift.tt/3l112t7

Post a Comment

0 Comments