ବିଜୁ ସେତୁ ପ୍ରକଳ୍ପ ନେଇ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ସମୀକ୍ଷା : ବୈଠକରେ ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ୱର : ପୁରୀ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ବିଜୁ ସେତୁ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍‌ ଅର୍ଥ ବ୍ୟୟ ସମ୍ପର୍କରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ରାସ୍ତା ପ୍ରକଳ୍ପ ଚୂଡ଼ାନ୍ତ କଲାବେଳେ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କ ମତାମତ ନିଆଯାଉନି। ଏ ନେଇ ବୈଠକରେ ଉପସ୍ଥିତ ଥିବା ରାଜ୍ୟ ଏସ୍‌ସି-ଏସ୍‌ଟି ଓ ସଂଖ୍ୟାଲଘୁ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଓ ମକରନ୍ଦ ମୁଦୁଲି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସର୍ବୋଚ୍ଚ ଯନ୍ତ୍ରୀଙ୍କ କନଫରେନ୍‌ସ ହଲରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଦାସ ବର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, ଏଣିକି ଜିଲ୍ଲାର ବିକାଶ ପାଇଁ କୌଣସି ରାସ୍ତା, ବ୍ରିଜ୍‌ ଓ ସେତୁ ପ୍ରକଳ୍ପ ଯୋଜନା କରିବା ପୂର୍ବରୁ ସ୍ଥାନୀୟ ବିଧାୟକମାନଙ୍କ ପରାମର୍ଶ ଓ ମତାମତ ନିଆଯିବ। ଏହି ଦୃଷ୍ଟିରୁ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପାଇଁ ଯୋଜନା ହୋଇଥିବା ପ୍ରକଳ୍ପଗୁଡ଼ିକର ଆଉ ଥରେ ଦୁଇଟି ଜିଲ୍ଲାର ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ କରାଯିବ। ଖୁବଶୀଘ୍ର ଏଥିପାଇଁ ଆଉ ଗୋଟିଏ ବୈଠକ ଡାକିବାକୁ ସେ ଗୁରୁତ୍ବ ଦେଇଛନ୍ତି। ଏହାସହିତ ପୁରୀ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ନେଇ ଶ୍ରୀ ଦାସ ବର୍ମା ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରମୌଳି ପଟ୍ଟନାୟକ, ରାସ୍ତା ଯୋଜନା ମୁଖ୍ୟ ଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତୀଙ୍କ ସମେତ ବିଭାଗୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

The post ବିଜୁ ସେତୁ ପ୍ରକଳ୍ପ ନେଇ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ସମୀକ୍ଷା : ବୈଠକରେ ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ ଓ ବିଧାୟକ first appeared on Sambad.



from ରାଜ୍ୟ – Sambad https://ift.tt/3mXzSow

Post a Comment

0 Comments