ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଜାଗି, ବୈଜୟନ୍ତ

କଟକ : ସାରୁଆ ଜମି ବିବାଦ ମାମଲାରେ ଆଗୁଆ ଜାମିନ ଲୋଡ଼ି ବୈଜୟନ୍ତ ପଣ୍ଡା ଓ ଜାଗିମଙ୍ଗତ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସାରୁଆ ଜମି ପ୍ରସଂଗକୁ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା (ଇଓଡବ୍ଳୁ) ଥାନାରେ ରୁଜୁ ମାମଲାରେ ଉଭୟ ଆଗୁଆ ଜାମିନ ପାଇଁ ଆବେଦନ ଦାୟର କରିଛନ୍ତି। ଏଥିସହିତ ଇଓଡବ୍ଲୁ ମାମଲାରେ ନିହାର ରଂଜନ ଭୂୟାଁଙ୍କ ପକ୍ଷରୁ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ରୁଜୁ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଇଓଡବ୍ଲୁ ମାମଲାକୁ ରଦ୍ଦ କରିବା ପାଇଁ ଓଡ଼ିଶା ଇନଫ୍ରାଟେକ୍ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାକୁ ଗତ ନଭେମ୍ବର ୨୦ରେ ହାଇକୋର୍ଟ ଖାରଜ କରିଥିଲେ। ଏହି ମାମଲାରେ ପ୍ରଥମରୁ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଆବେଦନକାରୀ ନଥିଲେ। ନଭେମ୍ବର ୫ରେ ମାମଲାର ଶୁଣାଣି ସମୟରେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍‌ ଲିମଟେଡ୍‌ର ପ୍ରମୋଟର ହୋଇଥିବାରୁ ଇଓଡବ୍ଲୁ ମାମଲାରେ ସେମାନଙ୍କ ଗିରଫଦାରୀର ଆଶଙ୍କା ରହିଛି ବୋଲି ଦର୍ଶାଯାଇଥିଲା। ଏଥିସହିତ ଉଭୟ ସଂସ୍ଥାର ପ୍ରମୋଟର ହୋଇଥିବାରୁ ଏହି ମାମଲାରେ ଆବେଦନକାରୀ ହେବା ପାଇଁ ଅନୁମତି ଦିଆଯାଉ ବୋଲି ମାମଲାର ଶୁଣାଣି ସମୟରେ ଦର୍ଶାଇଥିଲେ। ନଭେମ୍ବର ୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ପକ୍ଷ ରଖିବାକୁ କହିବା ସହିତ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଶ୍ରୀ ପଣ୍ଡା ଓ ଶ୍ରୀମତୀ ପଣ୍ଡାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନି‌ର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୨୦ରେ ହାଇକୋର୍ଟ ମୂଳ ଆବେଦନକୁ ଖାରଜ କରିବା ସହିତ ଗିରଫଦାରୀ ଉପରେ ଅଙ୍କୁଶ ସଂପର୍କିତ ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦେଇଥିଲେ। ଏହାପରେ ଶ୍ରୀ ପଣ୍ଡା ଓ ଶ୍ରୀମତୀ ପଣ୍ଡା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି।

The post ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଜାଗି, ବୈଜୟନ୍ତ first appeared on Sambad.



from ରାଜ୍ୟ – Sambad https://ift.tt/3lolpAJ

Post a Comment

0 Comments