ବିଭିନ୍ନ ରାଜ୍ୟ ସହ ଚାଲିଥିବା ସୀମା ବିବାଦର ଆପୋସ ବୁଝାମଣାରେ ସମାଧାନର ବାଟ ଖୋଲିବ : ମନ୍ତ୍ରୀ

ଭୁବନେଶ୍ବର : ବିଭିନ୍ନ ରାଜ୍ୟ ସହ ଚାଲିଥିବା ସୀମା ବିବାଦର ଆପୋସ ସମାଧାନ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହ ହୋଇଥିବା ସୀମା ବିବାଦରେ ସରକାର ଏପରି ଆଭିମୁଖ୍ୟ ପୋଷଣ କରିଛନ୍ତି। ବିଧାନସଭା‌େର ସୀମା ବିବାଦ ସମ୍ପର୍କିତ ମୁଲତବୀ ଆଲୋଚନାର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଦେଇଥିବା ତଥ୍ୟରୁ ଏହି ଆଭାସ ମିଳୁଛି।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଓଡ଼ିଶା ସହ ଅନ୍ୟାନ୍ୟ ରାଜ୍ୟର ସୀମା ବିବାଦ ସମ୍ପର୍କରେ ସଚେତନ ଅଛନ୍ତି ଓ ଏହି ବାବଦରେ ନିୟମିତ ସମୀକ୍ଷା କରାଯାଉଛି। ନିକଟରେ ପଟାଙ୍ଗୀ ତହସିଲ୍‌ ଅନ୍ତର୍ଗତ ସମ୍ବାଇ ଗ୍ରାମରେ ବିଶାଖାପାଟଣା ଜିଲ୍ଲାର ଡୁମୁରିଗୁଡ଼ା ଗ୍ରାମବାସୀଙ୍କ ଦ୍ବାରା କରାଯାଇଥିବା ରାସ୍ତାରୋକ୍ ହଟାଇ ଦିଆଯାଇଛି। ବିଶାଖାପାଟଣା ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି ଯେ ଆପୋସ ବୁଝାମଣା ମାଧ୍ୟମରେ ସୀମା ଚିହ୍ନଟ କରାଯିବ। ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ରାଜସ୍ବ ନକ୍ସା ଆଧାରରେ ଏହି ସୀମା ଚିହ୍ନଟ ହେବ। ରାଜ୍ୟ ବିଧାନସଭାର ଗୃହ କମିଟି ମଧ୍ୟ ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟ‌ରେ ରହିଥିବା ବିଭିନ୍ନ ସୀମା ବିବାଦ ସମୀକ୍ଷା କରି ଏହାର ସମାଧାନ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାକୁ ନେଇ ବାଲେଶ୍ବର ଜିଲ୍ଲାରେ ନିର୍ଦ୍ଦିଷ୍ଟ ଭାବେ ୯ଟି ରାଜସ୍ବ ଗ୍ରାମର ସମସ୍ୟା ରହିଛି। ସେହି ଗ୍ରାମଗୁଡ଼ିକ ହେଲା ସାହାବାଜପୁର, ବିଳାସପୁର, ଗୋପାଳପୁର, ମାଙ୍କଡ଼ିଆ, କୁଅଁରପୁର, ତୋଟାପଡ଼ା, ବେହେରା ସାହି, ପହରାଜପୁର, ଦକ୍ଷିଣ ପହରାଜପୁର ଓ ମକରାମପୁର। ଗତ ୨୪.୦୭୨୦୧୯ରେ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜସ୍ବ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ମୁତାବକ ସୀମା ଚିହ୍ନଟ କରାଯିବା ସହିତ ବେଆଇନ ବାଲି ଉଠାଣକୁ ରୋକାଯିବ। ବାଲେଶ୍ବର ଏବଂ ପୂର୍ବ ମେଦିନାପୁର ଜିଲ୍ଲାପାଳ ସେମାନଙ୍କ ସ୍ତରରେ ବିଭିନ୍ନ ସମସ୍ୟାର ସମାଧାନ ସହମତି ଭିତ୍ତିରେ କରିବେ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରି‌େବ। ସେହିପରି ସୁବର୍ଣ୍ଣରେଖା ନଦୀ କୂଳବର୍ତ୍ତୀ ଗ୍ରାମଗୁଡ଼ିକର ସୀମା ଚିହ୍ନଟ ପାଇଁ ୧୩.୦୩.୨୦୨୦ରେ ରାଜ୍ୟ ସରକାର ଏକ ସର୍ଭେ ଟିମ୍‌ ଗଠନ କରିଛନ୍ତି। ସୀମା ନିର୍ଦ୍ଧାରଣ ଖୁବ୍ ଶୀଘ୍ର କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

The post ବିଭିନ୍ନ ରାଜ୍ୟ ସହ ଚାଲିଥିବା ସୀମା ବିବାଦର ଆପୋସ ବୁଝାମଣାରେ ସମାଧାନର ବାଟ ଖୋଲିବ : ମନ୍ତ୍ରୀ first appeared on Sambad.



from ରାଜ୍ୟ – Sambad https://ift.tt/2HI3Hug

Post a Comment

0 Comments