
ଭୁବନେଶ୍ୱର : ରୁପେଲି ପରାଦରେ ବେଶ୍ ଲୋକପ୍ରିୟତା ସାଉଁଟିଥିବା ଗୀତିକାର ସୁବ୍ରତ ସ୍ବାଇଁଙ୍କ ବଛାବଛା ଗୀତକୁ ନେଇ ରଚିତ ଗୀତିକବିତା ପୁସ୍ତକ ‘କେବେ ଶହେ କେବେ ଶୂନ’ ଆଜି ସମ୍ବାଦ ଭବନ ପରିସରରେ ଲୋକାର୍ପିତ ହୋଇଛି। ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ଗୀତ ପାଣ୍ଡୁଲିପିକୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଲୋକାର୍ପଣ କରି କହିଲେ, ମଣିଷ ପାଇଁ ଜୀବନରେ ସୂଚନା ଓ ଖବର ଭଳି ଗୀତର ବି ଆବଶ୍ୟକତା ରହିଛି। ତେଣୁ ସୁବ୍ରତ ସାମ୍ବାଦିକତା ଓ ଗୀତ ଲେଖିବାର ପ୍ରବଣତା ବଜାୟ ରଖନ୍ତୁ। ସମ୍ଭାବନାର କୌଣସି ସୀମା ନଥିବାରୁ ସେ ସମ୍ଭାବନାକୁ ଛୁଇଁ ଆଗକୁ ଆଗେଇ ଚାଲନ୍ତୁ।
ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ଅକ୍ଷୟ ମହାନ୍ତିଙ୍କଠୁ ନେଇ ସାରଦା ପ୍ରସନ୍ନ ନାୟକଙ୍କ ପର୍ଯ୍ୟନ୍ତ ଲେଖି ଯାଇଥିବା ଗୀତର ସମୟ ସୁବର୍ଣ୍ଣ ଯୁଗ ଥିଲା। ତେବେ ସବୁ ଲୋକପ୍ରିୟ ଗୀତ କ୍ଲାସିକ୍ ହୋଇନପାରେ। ଉଭୟ ଲୋକପ୍ରିୟ ଓ କ୍ଲାସିକ୍ ହୋଇଥିବା ଗୀତର ସଂଖ୍ୟା କମ୍। ସାହିତ୍ୟରେ ଯେତେ କୃତି ଅଛି, ଗୀତ ସବୁଠୁ ବେଶି ଦିନ ତିଷ୍ଠି ରହେ ବୋଲି ସେ କହିଥିଲେ। ସୁବ୍ରତ ଲୋକପ୍ରିୟ ହୋଇସାରିଥିବାରୁ ଆହୁରି ଭଲ ଗୀତ ରଚନା କରି ଚାଲନ୍ତୁ। ଗବେଷକ ଡ. ଅସିତ ମହାନ୍ତି ଶୂନରେ ଅଛ ବୋଲି ଭାବି ଶହେରେ ପହଞ୍ଚିବାକୁ ଚେଷ୍ଟା କରିବାକୁ ସୁବ୍ରତଙ୍କୁ ଆହ୍ବାନ ଦେଇଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର କହିଲେ, ସମ୍ବେଦନଶୀଳତା ଗୀତକୁ ଜୀବନ୍ତ କରେ। ଯାହା ଏହି ବହିରେ ରହିଛି। ଖ୍ୟାତନାମା ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ସୁବ୍ରତଙ୍କ ଗୀତ ବାବଦରେ ଆଲୋକପାତ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ (ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ, ଉପ ମହାପ୍ରବନ୍ଧକ (ବାର୍ତା) ଗୌତମବୁଦ୍ଧ ଦାସ, ଉପ ମହାପ୍ରବନ୍ଧକ (ସମ୍ବାଦ ଡିଜିଟାଲ୍) ଧୃତିକାମ ମହାନ୍ତି ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସୁବ୍ରତ ନିଜ ଗୀତିକାର ଜୀବନ ଯାତ୍ରା ବାବଦରେ କହିଥିଲେ। ପୁସ୍ତକର ପ୍ରକାଶକ ତଥା ଯୁବ ସାହିତ୍ୟିକ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ଭାଷଣ ରଖିଥିଲେ। ‘ସମ୍ବାଦ’ର ପ୍ରକାଶକ କମଳାକାନ୍ତ ମହାପାତ୍ର ଏବଂ ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ‘କଥା’ର ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
The post ସୁବ୍ରତ ସ୍ବାଇଁଙ୍କ ‘କେବେ ଶହେ କେବେ ଶୂନ’ ଲୋକାର୍ପିତ : ମଣିଷ ପାଇଁ ଜୀବନରେ ଖବର ଭଳି ଗୀତର ଆବଶ୍ୟକତା ରହିଛି first appeared on Sambad.
from ରାଜ୍ୟ – Sambad https://ift.tt/2IZ2Ohj
0 Comments