ହାଇକୋର୍ଟରେ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା: ହାଜର ହେଲେ ପୁଲିସ ଡିଜି, ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ରେ

କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ପୋଲିସ ଡିଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ଡିଜିପିଙ୍କ ପକ୍ଷରୁ ସତ୍ୟପାଠ ସହିତ ତଦନ୍ତର ଷ୍ଟାଟସ୍ ରିପୋର୍ଟ ବନ୍ଦ ଲଫାପାରେ ହାଇକୋର୍ଟରେ ଦାଖଲ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୧୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କୀୟ ଜନସ୍ବାର୍ଥ ମାମଲାର ଶୁଣାଣି କରୁଛନ୍ତି।

Odisha News Insight

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଅକ୍ଟୋବର ୬ରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାୟିତ୍ବ ନେଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କ୍ରାଇମବ୍ରାଞ୍ଚ ଏସପିଙ୍କୁ ତଦନ୍ତକାରୀ ଅଧିକାରୀ ନିଯୁକ୍ତି ଦିଆଯାଇଥିବା ବେଳେ ଜଣେ ଅତିରିକ୍ତ ଏସପି, ତିନି ଜଣ ମହିଳା ଇନ୍ସପେକ୍ଟର ଓ ସାଇବର ସେଲର ଜଣେ ଇନ୍ସପେକ୍ଟର ତଦନ୍ତରେ ସହଯୋଗ କରୁଛନ୍ତି। ଏହି ଘଟଣା ୨୦୨୦, ଏପ୍ରିଲ ମାସରେ ହୋଇଥିବା ବେଳେ ଚାରି ମାସର ବ୍ୟବଧାନରେ ଅଗଷ୍ଟ ୩୦ରେ ଏ ନେଇ ଏତଲା ରୁଜୁ ହୋଇଥିଲା। ଫଳରେ ବାୟୋଲୋଜିକାଲ୍ ଏଭିଡେନ୍ସ ପାଇବାରେ ତଦନ୍ତକାରୀ ସଂସ୍ଥା ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କୁ ଜେରା କରାଯାଇ ରେକର୍ଡ କରାଯାଇଥିବା ବୟାନର ସତ୍ୟସତ୍ୟ ପରୀକ୍ଷା କରିବା ପାଇଁ ଭୁବନେଶ୍ବର ଏସଏଫଏସଏଲରେ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଏ ସଂପର୍କିତ ଟେଷ୍ଟ ‌ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

ଆଇନଜୀବୀ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଏହି ଘଟଣାରେ ପୁଲିସ ବିଭାଗ କର୍ମଚାରୀଙ୍କ ସହିତ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ସଂପୃକ୍ତ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ କମିସନରେଟ୍ ପୁଲିସ ତଦନ୍ତ ସନ୍ତୋଷଜନକ ନୁହେଁ। ଏହା ଏକ ସମ୍ବେଦନଶୀଳ ପ୍ରସଂଗ। ରାଜନୈତିକ ରଙ୍ଗ ମଧ୍ୟ ଏହାକୁ ଦିଆଯାଉଥିବା ଅଭିଯୋଗ ହେଉଛି। ତଦନ୍ତକୁ ପ୍ରଭାବିତ କରିବାକୁ ଓ ବାଟବଣା କରିବାକୁ ଉଦ୍ୟମ ହେଉଛି। ଏଭଳି ସ୍ଥିତିରେ ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ପ୍ରଦାନ କରାଯାଉ। ନଚେତ ସବିଆଇ ଭଳି ସ୍ବାଧୀନ ଏଜେନ୍ସକୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ହାଇକୋର୍ଟ ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ହଜାର ହେବାକୁ ଗତ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

The post ହାଇକୋର୍ଟରେ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା: ହାଜର ହେଲେ ପୁଲିସ ଡିଜି, ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ରେ first appeared on Sambad.



from ରାଜ୍ୟ – Sambad https://ift.tt/36O7Xk7

Post a Comment

0 Comments