ନାଗାର୍ଜୁନ ବେଶ ବିଭ୍ରାଟର ଅନ୍ତ ନାହିଁ : ନେଇଗଲେ ସୂର୍ଯ୍ୟ, ଚନ୍ଦ୍ର

ଉଠିଲା ପରିଚାଳନା କମିଟି ବରିଷ୍ଠ ସଦସ୍ୟଙ୍କ ନାଁ
ମୁଖ୍ୟ ପ୍ରଶାସକଙ୍କ ତଦନ୍ତ ନିର୍ଦ୍ଦେଶ
ଚିଠି ଲେଖିଲେ ଦାତା ବଳରାମ ଖୁଣ୍ଟିଆ

ପୁରୀ : ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ବେଳେ କେବଳ ନୀତିବିଳମ୍ବ ଭଳି ବିଶୃଙ୍ଖଳା ନୁହେଁ, ଏକ ବଡ଼ ବିଭ୍ରାଟର ଅଭିଯୋଗ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତିକୁ ଅମାନ୍ୟ କରି ପରିଚାଳନା କମିଟିର ଜଣେ ବରିଷ୍ଠ ସେବାୟତ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ଚନ୍ଦ୍ର ଓ ସୂର୍ଯ୍ୟ ନେଇ ଯାଇଛନ୍ତି। ‌ଏଥିରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର କିଛି ପ୍ରଶାସନିକ ଅଧିକାରୀଙ୍କ ହାତ ଥିବା ବି ଅଭିଯୋଗ ହୋଇଛି। ଏଭଳି ସଂଗିନ ଅଭିଯୋଗ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର କମାଣ୍ଡରଙ୍କୁ ଏହା ଉପରେ ସବିଶେଷ ରିପୋର୍ଟ ମଗାଯାଇଛି।

ସେପଟେ ଆଜି ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷର ସ୍ବର ଦେଖିବାକୁ ମିଳିଛି। ଗତକାଲି ନାଗାର୍ଜୁନ ବେଶ ଲାଗି ବେଳେ ବିଶୃଙ୍ଖଳାକୁ ନେଇ ଅସ‌ନ୍ତୋଷ ଥମି ନଥିବାବେଳେ ଆଜି ପୁନର୍ବାର ଏଭଳି ଘଟଣା ଶ୍ରୀମନ୍ଦିର ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରମ୍ପରା ରହିଛି କି ଯେଉଁ ଜଜମାନମାନେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରିଥାନ୍ତି, ସେମାନେ ଏହି ବେଶ ନେଇଥାନ୍ତି। କିନ୍ତୁ ଚଳିତ ବର୍ଷ ଜଗନ୍ନାଥ ବଲ୍ଲଭ ପରିସର ସଂଗ୍ରହାଳୟରେ ଏହାକୁ ସଂରକ୍ଷିତ ରଖାଯିବ ବୋଲି ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଉଦ୍ଦେଶ୍ୟ ଥିଲା ଦୀର୍ଘ ୨୬ ବର୍ଷ ପରେ ପଡ଼ିଥିବା ଏହି ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ଭକ୍ତ ସଂଗ୍ରହାଳୟରେ ଏହାକୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ। ନିଜେ ଦାତା ବଳରାମ ଖୁଣ୍ଟିଆ ବି ପ୍ରଥମେ ଏହି ପ୍ରସ୍ତାବ ଦେଇଥିଲେ। ଯାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ନିଜ ହେପାଜତରେ ଏହି ବେଶକୁ ରଖିବ ଓ ପରେ ସଂଗ୍ରହାଳୟ ସଂପୂର୍ଣ୍ଣ ହେଲେ ସେଠାରେ ଏହା ସଂରକ୍ଷିତ ରଖାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଗତକାଲି ଅପରାହ୍ଣ ୫ଟାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଓଲାଗି ପରେ ଏହାକୁ ସୁରକ୍ଷିତ ଗାରଦରେ ରଖାଯାଇଥିବା କୁହାଯାଇଥିଲା। କିନ୍ତୁ ଆଜି ଅପରାହ୍ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଜନୈକ ତଳିଆ କର୍ମଚାରୀ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଚନ୍ଦ୍ର, ସୂର୍ଯ୍ୟଙ୍କୁ ହାତରେ ଧରି ଶ୍ରୀମନ୍ଦିର ସିଂହଦ୍ବାର ଦେଇ ବାହାରୁଥିବା ଦେଖିବାକୁ ମିଳିଥିଲା। ଯାହା ମହାପ୍ରଭୁଙ୍କ ମସ୍ତକରେ ଲାଗି ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଏହା ଦେଖିବା ପରେ ସଂପୃକ୍ତ କର୍ମଚାରୀଙ୍କଠାରୁ ଏ ସଂପର୍କରେ ଜାଣିବାକୁ ଚାହିଁଥିଲେ। ସଂପୃକ୍ତ କର୍ମଚାରୀ ଜଣକ ନିଜ ଉତ୍ତରରେ ଜନୈକ ପରିଚାଳନା କମିଟି ସଦସ୍ୟଙ୍କ ନାଁ ନେଇଥିଲେ। ଏପରିକି ଗାରଦରୁ ଶ୍ରୀମନ୍ଦିର ପ୍ରଶାସନର ଜନୈକ ପ୍ରଶାସନିକ ଅଧିକାରୀ ଏହାକୁ ପରିଚାଳନା କମିଟି ସଦସ୍ୟଙ୍କୁ ଦେବାକୁ କହିଥିବା କର୍ମଚାରୀ ଜଣକ କହିଛନ୍ତି। ମୁଁ କେବଳ ଏହି ଚନ୍ଦ୍ର, ସୂର୍ଯ୍ୟକୁ ଦେବାକୁ ଯାଉଛି ବୋଲି କର୍ମଚାରୀ ଜଣକ କହିଥିଲେ। ଯାହାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଯାଇଛି।

ଏ ସଂପର୍କରେ ଦାତା ବଳରାମ ଖୁଣ୍ଟିଆ ଗଣମାଧ୍ୟମକୁ କହିଛନ୍ତି, ମୋ ଉପସ୍ଥିତିରେ ମହାପ୍ରଭୁଙ୍କ ମଇଲମ କରାଯାଇଥିଲା। ସୋଲର ଏହି ଚନ୍ଦ୍ର, ସୂର୍ଯ୍ୟଙ୍କୁ ମହାପ୍ରଭୁଙ୍କୁ ଲାଗି ହୋଇଥିଲା। କିନ୍ତୁ ସଂରକ୍ଷଣ ବଦଳରେ ଏହି ବେଶ ସେବାୟତଙ୍କ ଘରକୁ ଯିବା ଦୁର୍ଭାଗ୍ୟଜନକ। ଏ ସଂପର୍କରେ ସେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିବା ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏ ସଂପର୍କରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କୁ ସୁବର୍ଣ୍ଣର ଚନ୍ଦ୍ର, ସୂର୍ଯ୍ୟ ଲାଗି ହୋଇଥିଲା। ସୋଲର ଚନ୍ଦ୍ର, ସୂର୍ଯ୍ୟ ଲାଗିଥିଲା କି ନାହିଁ, ତାହା ତଦନ୍ତସାପେକ୍ଷ। ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏହାର ରିପୋର୍ଟ ମଗାଯାଇଥିବା ସେ କହିଛନ୍ତି। ଅନ୍ୟପଟେ ଓଲାଗି ନାଗାର୍ଜୁନ ବେଶକୁ ଜଗନ୍ନାଥ ବଲ୍ଲଭ ଅର୍ଦ୍ଧନିର୍ମିତ ସଂଗ୍ରହାଳୟ ପରିସରରେ ସୁରକ୍ଷିତ ରଖାଯାଇଥିବା ସେ କହିଛନ୍ତି।

The post ନାଗାର୍ଜୁନ ବେଶ ବିଭ୍ରାଟର ଅନ୍ତ ନାହିଁ : ନେଇଗଲେ ସୂର୍ଯ୍ୟ, ଚନ୍ଦ୍ର first appeared on Sambad.



from ରାଜ୍ୟ – Sambad https://ift.tt/3lbsqoo

Post a Comment

0 Comments