ଏଥର ୭୧ଲକ୍ଷ ଟନ୍ ଧାନ କିଣାଯିବ

ଅଧିକ ଧାନ ଆସିଲେ ବି ସରକାର କିଣିବେ
୪୮ ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଯିବ ଟଙ୍କା
ଏମ୍ଏସ୍‌ପି କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କା
ଏମ୍ଏସ୍‌ପିରୁ କମ୍‌ରେ କିଣିଲେ ଦଣ୍ଡ

ଭୁବନେଶ୍ୱର : ଚଳିତବର୍ଷ ୪୮ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅର୍ଥାତ୍ ୭୧ଲକ୍ଷ ମେଟ୍ରିକ୍ ଟନ୍‌ ଧାନ କିଣାଯିବ। ଖରିଫ୍‌ ଋତୁରେ ୫୪ଲକ୍ଷ ଏବଂ ରବି ଋତୁରେ ୧୭ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯଦି ପଞ୍ଜୀକୃତ ଚାଷୀଙ୍କ ଠାରୁ ମଣ୍ଡିକୁ ଅଧିକ ଧାନ ଆସିବ, ତେବେ ବି ସରକାର କିଣିବେ। ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଏ କ୍ଷେତ୍ରରେ ସରକାର ଅଖଣ୍ଡ କ୍ଷମତା ଧରାଇଛନ୍ତି। ସେ ଆବଶ୍ୟକ ହେଲେ ଏହି ସୀମା ବଢ଼ାଇପାରିବେ। ଏକଥା ପ୍ରଥମରୁ ସ୍ପଷ୍ଟ କରିଦିଆଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଖାଦ୍ୟ ଓ ସଂଗ୍ରହଣ ନୀତିରେ ମୋହର ଲାଗିଛି। ମୋଟ ୧୮ଟି ପ୍ରସ୍ତାବ ବିଭିନ୍ନ ବିଭାଗ କ୍ୟାବିନେଟ୍ ସାମ୍ନାକୁ ଆଣିଥିଲେ। ୨୦୧୯-୨୦ରେ ୭୦.୫୬ଲକ୍ଷ ମେଟ୍ରିକ୍ ଟନ୍ ଧାନ (୪୭.୭୮ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ) ସରକାର କିଣିଥିଲେ। ଏଥର ବନ୍ୟା ଓ ବିପର୍ଯ୍ୟୟ ସତ୍ତ୍ବେ ଅଧିକ ଭଲ ଚାଷ ହୋଇଥିବାରୁ ସରକାର ଲକ୍ଷ୍ୟ ବୃଦ୍ଧି କରିଛନ୍ତି।

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ଚଳିତବର୍ଷ ପାଇଁ ଧାନ କିଣା ନଭେମ୍ବର ପହିଲା ପରଠାରୁ ଆରମ୍ଭ ହୋଇଯାଇଛି। ରବି ଧାନ ମେ’ରୁ ଜୁନ୍ ୨୦୨୧ ମଧ୍ୟରେ ସଂଗ୍ରହ କରାଯିବ। ଜିଲ୍ଲାମାନେ ସେମାନଙ୍କର ଧାନ ସଂଗ୍ରହ ଅବଧି ନିଜେ ନିର୍ଣ୍ଣୟ କରିବେ।

www.thehindu.com

ସରକାର କହିଛନ୍ତି ଯେ ଏଥର କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ହିଁ ଧାନ କିଣାଯିବ। ଧାନ ବିକ୍ରି ପାଇଁ ଆଧାର ହେଉଛି ଏକମାତ୍ର ପରିଚୟ ପତ୍ର। ଧାନ ବିକ୍ରି ସମୟରେ ପୂର୍ବଭଳି ଆଧାର ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ ପଦ୍ଧତି ଅବଲମ୍ବନ କରାଯିବ। ପ୍ୟାକ୍ସ, ଲ୍ୟାମ୍ପ୍ସ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କିଣାଯିବ ଏବଂ ପ୍ରକୃତ ଚାଷୀଙ୍କ ବ୍ୟତୀତ ଭାଗଚାଷୀ ବି ଏହି ପ୍ରକ୍ରିୟାରେ ସାମିଲ ହୋଇପାରିବେ। ୩୧୦ ଧାନ ସଂଗ୍ରହକାରୀ ବ୍ଲକରେ ସଂଗ୍ରହ ପ୍ରକ୍ରିୟା ପି-ପାସ୍ ମାଧ୍ୟମରେ କରାଯିବ।

ଚଳିତବର୍ଷ ପାଇଁ ସାଧାରଣ ଧାନ କ୍ଷେତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କା ରଖାଯାଇଛି। ଗ୍ରେଡ୍-ଏ ଧାନ କ୍ଷେତ୍ରରେ ଏହାର ମୂଲ୍ୟ ୧୮୮୮ ଟଙ୍କା ହେବ। ଯଦି ଏଫ୍‌ଏକ୍ୟୁ ମାନର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍ ଦରରେ ବିକ୍ରି ହେଲା, ତେବେ ଅତ୍ୟାବଶ୍ୟକ ଆଇନ-୧୯୫୫ ଅନୁସାରେ ସଂପୃକ୍ତ ସଂସ୍ଥାକୁ ଦଣ୍ଡ ବିଧାନ କରାଯିବ। ଚାଷୀଙ୍କ ଧାନ ବାବଦ ପ୍ରାପ୍ୟ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ। ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ସେମାନେ ଏହି ଅର୍ଥ ପାଇପାରିବେ। ଅନ୍ୟପକ୍ଷରେ ଯେଉଁ ମିଲର, ପୂର୍ବବର୍ଷର ସମସ୍ତ ଆଦାୟ ଯୋଗ୍ୟ ଚାଉଳ ଶତ ପ୍ରତିଶତ ଫେରସ୍ତ କରିନଥିବେ, ସେମାନଙ୍କୁ ଏଥର ଧାନ ସଂଗ୍ରହ ବ୍ୟବସ୍ଥାରେ ଅଂଶଗ୍ରହଣ କରିବାକୁ ଦିଆଯିବ ନାହିଁ।

ମୁଖ୍ୟସଚିବ କହିଛନ୍ତି ଯେ ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିତରଣ ପାଇଁ ୨୩ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆବଶ୍ୟକ। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ ଜରିଆରେ କେନ୍ଦ୍ରୀୟ ଭଣ୍ଡାରକୁ ପଠାଯିବ।

The post ଏଥର ୭୧ଲକ୍ଷ ଟନ୍ ଧାନ କିଣାଯିବ first appeared on Sambad.



from ରାଜ୍ୟ – Sambad https://ift.tt/36C8h5M

Post a Comment

0 Comments