ଚଣ୍ଡିଖୋଲ ଆରଡି ସବଡିଭିଜନ୍‌ କେଳେଙ୍କାରୀ : ଗୋଟିଏ ରାସ୍ତା ପାଇଁ ୧୨୭ଟି ଗୁପ୍ତ ଟେଣ୍ଡର

ଯାଜପୁର : ଗ୍ରାମ୍ୟ ଉନ୍ନୟନ ବିଭାଗର ଜାରକା ଡିଭିଜନ୍ ଅନ୍ତର୍ଗତ ଚଣ୍ଡିଖୋଲ ସବ୍‌ଡିଭିଜନ୍‌ରେ ବ୍ୟାପକ ହରିଲୁଟ ଚାଲିଛି। ଗୋଟିଏ ନିର୍ଦ୍ଦିଷ୍ଟ ରାସ୍ତା କାମ ପାଇଁ ଠିକାଦାର ମାନଙ୍କ ନାମରେ ଏକାଧିକ ଗୁପ୍ତ ଟେଣ୍ଡର( ଏଫ-୨, ପି-୧) କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଛି। ଖୋଲା ଟେଣ୍ଡର ହେବ‌ା ପୂର୍ବରୁ ଗୁପ୍ତ ଟେଣ୍ଡର କରି ମିଥ୍ୟା ଭାଉଚର ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଯନ୍ତ୍ରୀ ଓ ଠିକାଦାର ଅସାଧୁ ମେଣ୍ଟ ହଡପ କରୁଥିବାର ଅଭିଯୋଗ ହେଉଛି।

ଅନୁସନ୍ଧାନରୁ ଜଣାପଡ଼ିଛି ରାଇଝର-ଶାଳପଡା ରାସ୍ତାରେ ୨୦୧୨-୧୩ ଆର୍ଥିକ ବର୍ଷରେ ୩୧ ଟି ଗୁପ୍ତ ଟେଣ୍ଡର ହୋଇଥିବା ବେଳେ ୨୦୧୩-୧୪ ଆର୍ଥିକ ବର୍ଷରେ ୧୪ ଟି, ୨୦୧୪-୧୫ ଆର୍ଥିକ ବର୍ଷରେ ୪୮ଟି ଗୁପ୍ତ ଟେଣ୍ଡର କରାଯାଇଛି। ପୁଣି୨୦୧୫-୧୬ ଆର୍ଥିକ ବର୍ଷରେ ୧୪ ଟି , ୨୦୧୬-୧୭ ଆର୍ଥିକ ବର୍ଷରେ ୨ ଟି , ୨୦୧୭-୧୮ ଆର୍ଥିକ ବର୍ଷରେ ୧୧ ଟି , ୨୦୧୮-୧୯ ଆର୍ଥିକ ବର୍ଷରେ ୫ ଟି ଓ ୨୦୧୯-୨୦ ରେ ୨ଟି ଗୁପ୍ତ ଟେଣ୍ଡର କରାଯାଇଛି। ମୋଟ ୧୨୭ଟି ଗୁପ୍ତ ଟେଣ୍ଡର୍ ଜରିଆରେ ଏହି ରାସ୍ତାରେ ୧କୋଟି ୬୧ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଦେଖାଯାଇଛି। ଏହି ରାସ୍ତାରେ ଶତାଧିକ ଗୁପ୍ତ ଟେଣ୍ଡର କରି ଠିକାଦାର ଓ ଯନ୍ତ୍ରୀ ବ୍ୟାପକ ଅର୍ଥ ହରିଲୁଟ୍ କରିଛନ୍ତି ବୋଲି ଅଭିଯୋଗ ହେଉଛି। ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା , ମୁଖ୍ୟମନ୍ତ୍ରୀ ସଡକ ଯୋଜନା ବା ଅନ୍ୟ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରି ଖୋଲା ଟେଣ୍ଡର କରାଯାଉନାହିଁ। ଦୀର୍ଘବର୍ଷ ଧରି କାମକୁ ଭାଗ ଭାଗ କରି ଚୁକ୍ତି କରାଯାଉଛି। ସେହିପରି ଏହି ଚଣ୍ଡିଖୋଲ ସବ୍‌‌ଡିଭିଜନ୍‌ ବରୁଣିଆ-ପଇଦା ରାସ୍ତାରେ ୩ କୋଟି ୪୧ ଲକ୍ଷ ୪୯ ହଜାର ୫୧୫ ଟଙ୍କାର ଖୋଲା ଟେଣ୍ଡର କରାଯାଇ ଏକ ଠିକା ସଂସ୍ଥା ୨୦୧୭-୧୮ ଆର୍ଥିକ ବର୍ଷରେ ଏଗ୍ରିମେଣ୍ଟ ନମ୍ବର ୧୮୦ ରେ କାମ କରିଥିଲା। ତେବେ ଠିକା ସଂସ୍ଥା ରାସ୍ତାରେ ମେଣ୍ଟାଲିଂ ନକରି ପୁରୁଣା ମେଣ୍ଟାଲିଂ ଉପରେ ପିଚୁ କାମ କରିଥିବା ଅଭିଯୋଗ ହେଉଛି। ଯାହାକି ତଦନ୍ତ ସାପେକ୍ଷ।

ଏହି ରାସ୍ତା ଟେଣ୍ଡର ନେଇଥିବା ଠିକା ସଂସ୍ଥା ୧୨ ଫେବ୍ରୁଆରି ୨୦୧୮ ରୁ କାମ ଆରମ୍ଭ କରି ୧୧ ନଭେମ୍ବର ୨୦୧୮ ରେ କାମ ସରିବା ପାଇଁ ଚୁକ୍ତି କରିଥିଲା। ଠିକା ସଂସ୍ଥା ରାସ୍ତା କାମ କରିବା ଠିକ୍ ପୂର୍ବରୁ ଅତି ଚତୁରତାର ସହ ୨୦୧୭-୧୮ ଆର୍ଥିକ ବର୍ଷର ଏଗ୍ରିମେଣ୍ଟ ନମ୍ବର ୭୨, ୮୨, ୮୩, ୮୬, ୯୩ ଏଭଳି ୫ଟି ଗୁପ୍ତ ଟେଣ୍ଡର ଜରିଆରେ ୧୯ ଲକ୍ଷ ୫୫ ହଜାର ୩୩୬ ଟଙ୍କା ଚଳୁ କରାଯାଇଛି। ଟେଣ୍ଡର ହୋଇଥିବା ରାସ୍ତାରେ ପୁଣି ଏଗ୍ରିମେଣ୍ଟ କରାଇ କି କାମ କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ଜାଲିଆତି ପଦାକୁ ଆସିବ ବୋଲି ଅଭିଯୋଗ ହେଉଛି। ପ୍ରକାଶ ଥାଉକି ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଚଳିତ ମାସ ଶେଷରେ ଅବସର ନେବେ। ଏହି ସୁଯୋଗରେ କେତେକ ଠିକାଦାର ଓ ଅଧିକାରୀ ଅସାଧୁ ମେଣ୍ଟ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଚଳାଇଛନ୍ତି। ସରକାରୀ ଅନୁଦାନକୁ ହରିଲୁଟ କରିବା ପାଇଁ ଗଳା ବାଟରେ ବେକାର ଇଂଜିନିୟରଙ୍କୁ ଠିକାଦାର ସଜାଇଛନ୍ତି। ଏଠାରେ ଗୁପ୍ତ ଟେଣ୍ଡର ସହିତ ମିଥ୍ୟା ବିଲ୍ କରାଯାଉଥିବା ଅଭିଯୋଗ ହେଉଛି।

The post ଚଣ୍ଡିଖୋଲ ଆରଡି ସବଡିଭିଜନ୍‌ କେଳେଙ୍କାରୀ : ଗୋଟିଏ ରାସ୍ତା ପାଇଁ ୧୨୭ଟି ଗୁପ୍ତ ଟେଣ୍ଡର first appeared on Sambad.



from ରାଜ୍ୟ – Sambad https://ift.tt/3q6uIZu

Post a Comment

0 Comments