ନୂଆପଡ଼ା: ଦୁଇ ପୁଅ ମାନସିକ ବିକୃତ, ସ୍ବାମୀ ଦୃଷ୍ଟିହୀନ, ବୃଦ୍ଧା ମା’ଙ୍କ ଉପରେ ନିର୍ଭରଶୀଳ ପରିବାର

ନୂଆପଡ଼ା: ଦିନେ କି ଦୁଇ ଦିନ ନୁହଁ, ଦୀର୍ଘ ୧୨ ବର୍ଷ ହେବ ଦୁଇ ଭାଇ ମାନସିକ ବିକୃତ। ଜଣେ ଭାଇଙ୍କର ହାତରେ କଡ଼ି, ଗୋଡ଼ରେ ବେଡ଼ି । ଅନ୍ଧକାର କକ୍ଷରେ ବିତୁଛି ଜୀବନ। ବାପା ପୁଣି ଦୃଷ୍ଟିହୀନ, ବୃଦ୍ଧା ମା’ଙ୍କ ଉପରେ ନିର୍ଭରଶୀଳ ପରିବାର। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ସୁନାରୀ ସିକୁଆଁ ଗାଁର ରତ୍ନାକର ନିଆଲଙ୍କ ପରିବାରେ।

ରତ୍ନାକର ନିଆଲଙ୍କ ୨ ପୁଅ ନୀଳକଣ୍ଠ ନିଆଲ(୨୭) ଓ ଶୁକାନନ୍ଦ ନିଆଲ(୨୫)। ଆଉ ଜଣେ ପୁଅ ଏମାନଙ୍କୁ ଛାଡ଼ି ଅନ୍ୟତ୍ର ରହୁଛି । ଘରେ ବୃଦ୍ଧା ମା’ ଭରୁଆ ନିଆଲ। ଦିନ ଥିଲା ରତ୍ନାକରଙ୍କ ଦୁଇ ଭେଣ୍ତିଆ ପୁଅ ନୀଳକଣ୍ଠ ଓ ଶୁକାନନ୍ଦ ବିଭିନ୍ନ ହାଟ ବଜାରକୁ ଯାଇ ଜଳଖିଆ ବିକୁଥିଲେ। ଦୁଇ ଭାଇଙ୍କ ଅକ୍ଳାନ୍ତ ପରିଶ୍ରମରେ ବେଶ ଭଲ ରୋଜଗାର ହେଉଥିଲା। ପରିବାର ଆରାମରେ ଚଳି ଯାଉଥିଲା।
କିନ୍ତୁ ୨୦୦୮ ମସିହାରେ ସାନ ପୁଅ ଶୁକାନନ୍ଦ ହଠାତ୍ ମାନସିକ ରୋଗଗ୍ରସ୍ତ ହେଲେ। କିଛି ବର୍ଷ ପରେ ବଡ଼ ପୁଅ ନୀଳକଣ୍ଠ ମଧ୍ୟ ମାନସିକ ରୋଗଗ୍ରସ୍ତ ହେଲେ। ହେଲେ ଶୁକାନନ୍ଦଙ୍କର ପାଗଳାମି ଦିନକୁ ଦିନ ବଢିବାରୁ ମା’ ଭରୁଆ ଲୋକଙ୍କ କଥା ମାନି ହାତରେ କଡ଼ି ଓ ଗୋଡ଼ରେ ବେଡ଼ି ପକାଇ ଘର ଭିତରେ ବନ୍ଦି କରି ରଖିଲେ । ପୁଅ ଭଲ ହେବ ବୋଲି ଖଡ଼ିଆଳର ଏକ ଘରୋଇ ଡାକ୍ତରଖାନାକୁ ନେଲେ। କିନ୍ତୁ ପୁଅ ଭଲ ହେଲା ନାହିଁ। ଅର୍ଥାଭାବରୁ ପୁଅର ଉପଯୁକ୍ତ ଚିକିତ୍ସା କରାଯାଇ ପାରିଲା ନାହିଁ। ଘରେ ବାପା ଦୃଷ୍ଟିହୀନ, କାମ ଧନ୍ଦା କିଛି କରି ପାରନ୍ତି ନାହିଁ । ଏଣେ ବୟସର ଅପରାହ୍ନରେ ବୃଦ୍ଧା ମା’ ଭରୁଆ ୩ ଜଣଙ୍କ ଯତ୍ନ ନିଅନ୍ତି ।

ରତ୍ନାକରଙ୍କ ପରିବାରର ସମସ୍ୟା ସଂପର୍କରେ ଆମେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳି ପ୍ରସାଦ ବେହେରାଙ୍କୁ ଜଣାଇଥିଲୁ । ଏକ ମେଡିକାଲ ଟିମ୍ ତାଙ୍କ ପାଖକୁ ପଠାଇବା ସହ ଚିକିତ୍ସା ପାଇଁ ସହାୟତା କରିବେ ବୋଲି ସେ କହିଛନ୍ତି।

 

The post ନୂଆପଡ଼ା: ଦୁଇ ପୁଅ ମାନସିକ ବିକୃତ, ସ୍ବାମୀ ଦୃଷ୍ଟିହୀନ, ବୃଦ୍ଧା ମା’ଙ୍କ ଉପରେ ନିର୍ଭରଶୀଳ ପରିବାର first appeared on Sambad.



from ରାଜ୍ୟ – Sambad https://ift.tt/35dbBDo

Post a Comment

0 Comments