
ଭାରତରେ କୋଭିଡ୍-୧୯ ପରି ଅନେକ ନୂତନ ମହାମାରୀ ଏବଂ ମହାମାରୀ ଉତ୍ପତ୍ତିର ବୀଜ ବପନ କରୁଥିବା ଜୀବାଣୁ ଓ ଭୂତାଣୁ ମାନଙ୍କ ଦ୍ବାରା ସଂକ୍ରମିତ ରୋଗ ଯଥା: ଇବୋଲା, ଜିକା, ଏଚଆଇଭି, ଜାପାନିଜ୍ ଏନ୍ସେଫାଲାଇଟ୍ସ, ଡେଙ୍ଗୁ, ରାବିଜ୍, ଆନ୍ଥ୍ରାକ୍ସ, ଚିକେନଗୁନିଆ ଭଳି ରୋଗ ରହିଛି। ଯାହାକୁ ପ୍ରତିହତ କରିବାକୁ ହେଲେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀ, ଡାକ୍ତରଖାନା ପରିଚାଳନା ଅଧିକାରୀ ଓ ଗବେଷଣାକାରୀଙ୍କର ଆମ ଦେଶରେ ବହୁତ ଆବଶ୍ୟକତା ରହିଛି। ଏସବୁ ମହାମାରୀ ଏବଂ ମହାମାରୀ ପ୍ରତିଷେଧକ ବ୍ୟବସ୍ଥା କେବଳ ଉପଯୁକ୍ତ ପରିଚାଳନା ନୁହେଁ ବରଂ ରୋଗ ସୃଷ୍ଟି କରୁଥିବା ଜୀବାଣୁ ଓ ଜୀବାଣୁର ଉତ୍ପତ୍ତିସ୍ଥଳ ଉପରେ ନିରନ୍ତର ଧ୍ୟାନ ରଖିବା ନିତ୍ୟାନ୍ତ ଜରୁରୀ। ଯାହାଦ୍ବାରା ରୋଗ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ପ୍ରଶାସକମାନଙ୍କ ଦ୍ବାରା କରାଯାଉଥିବା ଯୋଜନା ଓ ପଦକ୍ଷେପମାନ ଠିକ୍ ସମୟରେ କାର୍ଯ୍ୟକାରୀ ହୋଇପାରିବ।
ଏସବୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଆଇପିଏଚ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ଚଳିତ ୨୦୨୦-୨୧ ଶିକ୍ଷାବର୍ଷରୁ ୟୁଜି, ପିଜି ଏବଂ ପିଏଚଡି ସ୍ତରରେ ଅନେକ ଗୁଡ଼ିଏ ପାଠ୍ୟକ୍ରମ ଆରମ୍ଭ କରିଛି। ଯାହାଦ୍ବାରା ବୃତ୍ତିଗତ ଭାବେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ ପରିଚାଳନା ଅଧିକାରୀମାନଙ୍କୁ ଗଢ଼ିତୋଳିବାରେ ସହାୟକ ହେବ।
ସେଗୁଡ଼ିକ ହେଲା: ୩ ବର୍ଷିଆ ସ୍ନାତକ ଡିଗ୍ରି ହେଲ୍ଥ କେୟାର ମ୍ୟାନେଜମେଣ୍ଟ (BBA), ୨ ବର୍ଷିଆ ସ୍ନାତକତ୍ତୋର ଡିଗ୍ରି ହେଲ୍ଥ କେୟାର ମ୍ୟାନେଜମେଣ୍ଟ (MBA) ଏହାସହିତ ଯେ କୌଣସି ଗୋଟିଏ ମୁଖ୍ୟ ବିଷୟ (୧) ଜନସ୍ବାସ୍ଥ୍ୟ କିମ୍ବା (୨) ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରିଚାଳନା। ସମସ୍ତ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ପାରାମେଡିକାଲ୍ ଷ୍ଟାଫ୍, ଫିଜିଓଥେରାପିଷ୍ଟ, ଫାର୍ମାସିଷ୍ଟ ଏବଂ ଡାକ୍ତରଖାନାରେ କାର୍ଯ୍ୟନିର୍ବାହୀ ବୃତ୍ତିଗତଧାରୀମାନଙ୍କ ପାଇଁ ବିଶ୍ବବିଦ୍ୟାଳୟରେ ୩ବର୍ଷିଆ ସ୍ବାସ୍ଥ୍ୟସେବା ପରିଚାଳନା ଏବଂ ୩ବର୍ଷିଆ ଡାକ୍ତରଖାନା ପରିଚାଳନା (ମ୍ୟାନେଜମେଣ୍ଟ) ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହି ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନଙ୍କୁ ସନ୍ଧ୍ୟା ଓ ସପ୍ତାହନ୍ତରେ ଶିକ୍ଷା ଦିଆଯିବ। ସ୍ନାତକୋତ୍ତର ଉପାଧିଧାରୀମାନେ ଶିକ୍ଷାଦାନ ଓ ଗବେଷଣାମୂଳକ ଶିକ୍ଷାରେ ନିଜକୁ ଗଢ଼ିତୋଳିବାକୁ ଚାହୁଁଥିଲେ, ସେମାନଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟସେବା ବିଷୟରେ ପିଏଚଡି ସୁବିଧା ଏଠାରେ ଉପଲବ୍ଧ।
ଅନ୍ତର୍ଜାତୀୟସ୍ତରରେ ଉତ୍ତମ ପାଠ୍ୟ ଖସଡ଼ା
ଏହି ପାଠ୍ୟକ୍ରମର ପାଠ୍ୟ ଖସଡ଼ା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ବାସ୍ଥ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସୁନାମଧନ୍ୟ ବିଶେଷଜ୍ଞ ଓ ନିଯୁକ୍ତିଦାତାଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। ଅନ୍ତର୍ଜାତୀୟ ସ୍ବୀକୃତିପ୍ରାପ୍ତ ୱାସିଂଟନ ଚୁକ୍ତିନାମାର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପାଠ୍ୟ ଖସଡ଼ାର ଉଦ୍ଦେଶ୍ୟ ଓ ଫଳାଫଳ ନିର୍ଭୁଲ ଭାବେ ତିଆରି ହୋଇଛି। ତଥ୍ୟ ସଂଗ୍ରହ. ଅନୁଧ୍ୟାନ, ଦକ୍ଷତାର ବିକାଶ ଓ ବିଶ୍ବସ୍ତରୀୟ ଆଭିମୁଖ୍ୟ ଚିନ୍ତାଧାରାକୁ ନେଇ ନିରନ୍ତର ଶିକ୍ଷା ଉପରେ ଧ୍ୟାନ ଦିଆଯାଇଛି। ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ମିଳିତ ସହଯୋଗରେ ଏଆଇପିଏଚ ବିଶ୍ବବିଦ୍ୟାଳୟ ଏହାର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଓ ତାଲିମ ପ୍ରଦାନ ପାଇଁ ସୁବିଧାଜନକ ଓପନ ଅନ୍ଲାଇନ ପାଠ୍ୟକ୍ରମ ତିଆରି କରୁଛି ଯେପରି ଭାବରେ SWAYAM ପ୍ଲାଟଫର୍ମ ତିଆରି ହୋଇଛି। ଏହାସହିତ ଶିଳ୍ପ ବିଶେଷଜ୍ଞମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ଓ ବେସରକାରୀ (ଜାତୀୟ ଓ ଅନ୍ତର୍ଜାତୀୟ) ଏବଂ କର୍ପୋରେଟ ସଂସ୍ଥାମାନଙ୍କରେ ଯୋଗଦେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ଏଆଇପିଏଚ ବିଶ୍ବବିଦ୍ୟାଳୟ ହେଉଛି ପୂର୍ବ ଭାରତର ପ୍ରଥମ ଓ ଆମ ଦେଶର ଦ୍ବିତୀୟ ଜନସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସ୍ବାସ୍ଥ୍ୟସେବା ଉପରେ ବିଶେଷ ଜ୍ଞାନ ଲାଭ କରିଥାନ୍ତି। ଯଦିଓ ଏହା ରାଜ୍ୟ ବିଧାନସଭାର ଏକ ଅଧିନିୟମ ଦ୍ବାରା ସ୍ଥାପିତ ହୋଇଛି, କିନ୍ତୁ ଏହା ପୂର୍ବରୁ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ ପବ୍ଲିକ୍ ହେଲ୍ଥ ନାମରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଶିକ୍ଷା ଓ ଅନୁସନ୍ଧାନ କ୍ଷେତ୍ରରେ ବହୁ ସୁନାମ ଆଣିଛି। ଏକ ଅଣ-ଲାଭକାରୀ ସଂସ୍ଥା ଭାବରେ ଏଆଇପିଏଚ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ସ୍ବଳ୍ପ ମୂଲ୍ୟ ନେଇ ଶିକ୍ଷାଦାନ ଦିଆଯାଏ ଏବଂ ପରୀକ୍ଷାରେ ଭଲ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ବୃତ୍ତିର ସୁବିଧା ମଧ୍ୟ ରହିଛି।
The post ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ଅଭିନବ ପଦକ୍ଷେପ first appeared on Sambad.
from ରାଜ୍ୟ – Sambad https://ift.tt/34Kg0yC
0 Comments