
ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ଓ ବିଜେପି ଦେଉଥିବା ପ୍ରତିଶ୍ରୁତିକୁ ନେଇ ଉଭୟ ଦଳ ବିରୋଧରେ ବିଷୋଦଗାର କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟର୍ଗେଟ୍ କରି ସେ କହିଛନ୍ତି ଯେ ଅସତ୍ୟ କଥା କହି ଏବଂ ପ୍ରତିଶ୍ରୁତି ଦେଇ ଅର୍ଥବଳ, ପ୍ରଶାସନ କଳକୁ ବ୍ୟବହାର କରି ଭୋଟ ନେବାରେ ମୋଦୀ ଓ ନବୀନ ବାବୁ ସିଦ୍ଧହସ୍ତ। କେତେ ପ୍ରକାର ପ୍ରତିଶ୍ରୁତି ଦେଇଛନ୍ତି ଓ ଅସତ୍ୟ କହିଛନ୍ତି ତା’ର ଲମ୍ବା ତାଲିକା ରହିଛି। ସେଥିରେ ଭୋଟର୍ମାନେ ଭାସି ନ ଯିବାକୁ ସେ ନିବେଦନ କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନବୀନ ବାବୁ ଭର୍ଚୁଆଲ ରାଲି କରି ବାଲେଶ୍ୱର ଓ ତିର୍ତୋଲର ଦାୟିତ୍ୱ ସେ ନିଜେ ନେଲେ ବୋଲି କହିଲେ। ତା’ହେଲେ କ’ଣ ୨୧ ବର୍ଷ ଧରି ଏହି ଦୁଇଟି ବିଧାନସଭା ନିର୍ବଚନମଣ୍ଡଳୀର ଦାୟିତ୍ୱ ତାଙ୍କର ନ ଥିଲା କି ? ଯଦି ଏହି ଦୁଇଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନବୀନ ବାବୁ ନେଲେ, ତେବେ ଅନ୍ୟ ୧୪୫ଟିର ଦାୟିତ୍ୱ କାହାର? ଏପରି ଭାବରେ ସେ ବିଜେପୁରରେ ମଧ୍ୟ ପ୍ରଚାର କରିଥିଲେ। ସେଠାରେ ନିଜର କେତେ ପ୍ରତିଶ୍ରୁତି ରଖିଥିଲେ, ସେକଥା ସେଠାକାର ଲୋକଙ୍କୁ ପଚାରିଲେ ସେମାନେ କହିବେ। ନିଜେ ସୁରକ୍ଷିତ ରହି ଶହ ଶହ ଲୋକଙ୍କୁ ଡାକି ଭର୍ଚୁଆଲ ରାଲି କରି ସେମାନଙ୍କୁ କ’ଣ ପାଇଁ ବିପଦକୁ ଠେଲି ଦେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ପିସିସି ସଭାପତି ଆହୁରି କହିଛନ୍ତି ଯେ ମୋଦୀ ମହାଶୟଙ୍କର ପ୍ରତିଶ୍ରୁତିର ମଧ୍ୟ ଲମ୍ବା ତାଲିକା ରହିଛି। ଚାଇନା ପଟୁ ଇଞ୍ଚେ ସୁଦ୍ଧା ଭାରତ ଭୂମିକୁ ମାଡ଼ି ନାହିଁ ବୋଲି ସେମାନେ କହୁଛନ୍ତି। କିନ୍ତୁ ଲଦାଖ୍ରେ ଯାଇ ଆମେ ପଚାରିବା କି ପ୍ରକୃତରେ ଚାଇନା କେତେ ମାଡ଼ିଆସିଛି ବୋଲି। ଏପରି ଅସତ୍ୟ କଥା ଓ ଅସତ୍ୟ ପ୍ରତିଶ୍ରୁତି ଦେଇ ସେ ଭୋଟ ନେବାରେ ଯେଉଁ ନିପୁଣତା ହାସଲ କରିଛନ୍ତି, ଆଜି ତା’ର ଉଚିତ ଜବାବ ଦେବାପାଇଁ ସମୟ ଆସିଛି। ବାଲେଶ୍ୱରବାସୀ ଓ ତିର୍ତୋଲବାସୀ ଏସବୁର ଉଚିତ ଜବାବ ଦେବେ ଓ ଭବିଷ୍ୟତରେ ପରିବର୍ତନର ଏକ ମୂଳଦୁଆ ଏହିଠାରୁ ଆରମ୍ଭ କରି ଭାରତ ଓ ଓଡ଼ିଶାର ଉପକାର କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି।
The post ମୋଦୀ ଓ ନବୀନଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଭୋଟର୍ ଭାସି ନ ଯାଆନ୍ତୁ : ନିରଞ୍ଜନ first appeared on Sambad.
from ରାଜ୍ୟ – Sambad https://ift.tt/35Uq3Av
0 Comments