
ଭୁବନେଶ୍ୱର : ରାଜ୍ୟରେ ନନ୍ ଫର୍ଫର୍ମିଂ ଆସେଟ୍ (ଏନ୍ପିଏ) ବା ଅସୁଲ ହୋଇପାରୁନଥିବା ଋଣ ଉଦ୍ବେଗଜନକ ସ୍ଥିତିରେ ରହିଛି। ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ୧୦,୭୧୧.୪୧ କୋଟି ଟଙ୍କାର ଋଣ ରାଶି ଏନ୍ପିଏ ଖାତାରେ ରହିଛି। ରାଜ୍ୟର ବ୍ୟାଙ୍କଗୁଡ଼ିକ ମୋଟ ଯେତିକି ଟଙ୍କାର ଋଣ ଆବଣ୍ଟନ କରିଥିଲେ ସେଥି ମଧ୍ୟରୁ ୬.୫୮ ପ୍ରତିଶତ ରାଶି ଅସୁଲ ହୋଇପାରିନାହିଁ। ଶିକ୍ଷା ଋଣ ଓ କୃଷି ସଂକ୍ରାନ୍ତୀୟ ଋଣ ଖାତାରେ ଅସୁଲ ହୋଇପାରୁନଥିବା ଋଣ ପରିମାଣ ଚିନ୍ତାଜନକ ସ୍ଥିତିରେ ରହିଛି। ଏହା ବ୍ୟତୀତ ବିଭିନ୍ନ ସ୍କିମ୍ରେ ବ୍ୟାଙ୍କଗୁଡ଼ିକ ଯେଉଁ ଋଣ ଆବଣ୍ଟନ କରିଥିଲେ ତାହାର ସିଂହ ଭାଗ ରାଶି ମଧ୍ୟ ଅସୁଲ ହୋଇପାରିନାହିଁ। ଏନ୍ପିଏ ମାମଲାରେ ସରକାରୀ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଖରାପ ରହିଛି। ସରକାରୀ ବ୍ୟାଙ୍କର ଏନ୍ପିଏ ୮.୧୫% ରହିଥିବା ବେଳେ ଘରୋଇ ବ୍ୟାଙ୍କର ଏନ୍ପିଏ ୨.୫୫% ରହିଛି। ଗୃହ ଋଣକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ଋଣରେ ଏନ୍ପିଏ ହାର ୮ ପ୍ରତିଶତରୁ ଉଚ୍ଚ ସ୍ତରରେ ରହିଛି ବୋଲି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି) ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ମାର୍ଚ୍ଚ ତୁଳନାରେ ଜୁନ୍ରେ ଏନ୍ପିଏ ରାଶି ୬୦୪.୫୬ କୋଟି ଟଙ୍କା ହ୍ରାସ ପାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଏନ୍ପିଏ ରାଶି ପରିମାଣ ୧୧,୩୧୫.୯୭ କୋଟି ଟଙ୍କା ଥିଲା। ଜୁନ୍ ସୁଦ୍ଧା ତାହା ୧୦,୭୧୧ କୋଟି ଟଙ୍କାକୁ ହ୍ରାସ ପାଇଛି। ଏନ୍ପିଏ ବୋଝ କମ୍ କରିବାକୁ ହେଲେ ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ଦେବାକୁ ପଡ଼ିବ ଏବଂ ସେହି ସମୟରେ ରିକଭରିକୁ ଆହୁରି ତ୍ବରାନ୍ବିତ କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ଏସ୍ଏଲ୍ବିସିର ୧୬୦ତମ ବୈଠକରେ ଏନ୍ପିଏ ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଯଦିଓ ମାର୍ଚ୍ଚ ତ୍ରୟମାସ ତୁଳନାରେ ସ୍ଥିତିରେ ସାମାନ୍ୟ ସୁଧାର ଘଟିଛି, ମାତ୍ର ଏ କ୍ଷେତ୍ରରେ ଆହୁରି ଉନ୍ନତିର ଆବଶ୍ୟକତା ରହିଛି ବୋଲି ବୈଠକରେ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା।
୨୦୧୮ ପରଠାରୁ କିନ୍ତୁ ରାଜ୍ୟରେ ଏନ୍ପିଏ ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଛି। ୨୦୧୭ ମାର୍ଚ୍ଚ ସୁଦ୍ଧା ଏନ୍ପିଏ ଖାତାରେ ୧୩,୪୨୦.୫୭ କୋଟି ଟଙ୍କା ଥିଲା। ୨୦୧୮ ମାର୍ଚ୍ଚରେ ତାହା ୧୪,୧୪୬ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। କିନ୍ତୁ, ୨୦୧୯ ମାର୍ଚ୍ଚ ସୁଦ୍ଧା ସେଥିରେ ଜବରଦସ୍ତ ଉନ୍ନତି ଦେଖିବାକୁ ମିଳିଥିଲା ଓ ଏନ୍ପିଏ ରାଶି ପରିମାଣ ୯,୭୩୮ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ୨୦୨୦ ମାର୍ଚ୍ଚ ସୁଦ୍ଧା ତାହା ପୁଣି ୧୧,୩୧୫ କୋଟି ଟଙ୍କାକୁ ବୃଦ୍ଧି ପାଇବା ପରେ ପରବର୍ତୀ ତିନି ମାସରେ ଅର୍ଥାତ ୨୦୨୦ ଜୁନ୍ ଶେଷ ସୁଦ୍ଧା ଏନ୍ପିଏ ରାଶି ପରିମାଣ ୧୦,୭୧୧.୪୧ କୋଟି ଟଙ୍କାକୁ ହ୍ରାସ ପାଇଛି।
ବିଭିନ୍ନ କ୍ଷେତ୍ର ଅନୁଯାୟୀ, ସ୍ବଳ୍ପମିଆଦୀ ଫସଲ ଋଣରେ ଏନ୍ପିଏ ହାର ୬.୩୩ ପ୍ରତିଶତ ରହିଥିବା ବେଳେ ମିଆଦୀ କୃଷି ଋଣରେ ୯.୮୭ ପ୍ରତିଶତ, କୃଷି ସମ୍ପର୍କିତ ଋଣରେ ୧୪.୬୮ ପ୍ରତିଶତ, ମୋଟ କୃଷି ଋଣରେ ୮.୫୫ ପ୍ରତିଶତ, ଏମ୍ଏସ୍ଏମ୍ଇରେ ୮.୫୫ ପ୍ରତିଶତ, ଶିକ୍ଷାରେ ୧୪.୫୭ ପ୍ରତିଶତ ଓ ଗୃହ ଋଣରେ ଏନ୍ପିଏ ହାର ୨.୪୬ ପ୍ରତିଶତ ରହିଛି। ସ୍କିମ୍ଗୁଡ଼ିକରେ ଦିଆଯାଇଥିବା ଋଣର ଏନ୍ପିଏ ସ୍ଥିତି ମଧ୍ୟ ଉଦ୍ବେଗଜନକ ରହିଛି। ପିଏମ୍ଇଜିପିରେ ଏନ୍ପିଏ ହାର ୧୮.୦୪ ପ୍ରତିଶତ, ପିଏମ୍ଆର୍ୱାଇରେ ୨୭.୫୩ ପ୍ରତିଶତ, ଏସ୍ଏଚ୍ଜିରେ ୮.୯୮ ପ୍ରତିଶତ, ଏନ୍ୟୁଏଲ୍ଏମ୍ରେ ୧୦.୬୧ ପ୍ରତିଶତ ଓ ବୁଣାକାର କ୍ରେଡିଟ୍ କାର୍ଡରେ ଏନ୍ପିଏ ହାର ୨୫.୯୭ ପ୍ରତିଶତ ରହିଛି।
The post ଏନ୍ପିଏରେ ଫସିଛି ୧୦,୭୧୧ କୋଟି first appeared on Sambad.
from ରାଜ୍ୟ – Sambad https://ift.tt/3jNKsw1
0 Comments