ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହତ୍ୟା ଘଟଣା: ଆଉ ୨ଜଣଙ୍କୁ ଗିରଫ କଲା କମିସନରେଟ୍ ପୁଲିସ୍‌‌

ଭୁବନେଶ୍ୱର : ସାମନ୍ତରାପୁରରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁକୁ ହାଣି ହତ୍ୟା କରିବା ଘଟଣାରେ କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ଆଉ ୨ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏଦୁହେଁ ସୁପାରି କିଲର୍ ବୋଲି କୁହାଯାଉଛି। ଉଭୟଙ୍କୁ ବାଲିଗୁଡ଼ାରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଏହି ଦୁଇ ଜଣ ଯୁବକ ମିଠା ଦୋକାନୀଙ୍କୁ ହତ୍ୟା କରିବା ପାଇଁ ୪୦ ହଜାର ଟଙ୍କା ଲେଖାଏଁ ସୁପାରି ନେଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଦୁଇ ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡା ଏବଂ ବାଇକ୍ ଜବତ କରିଛି ସ୍ପେସାଲ ସ୍କ୍ବାଡ୍‌।ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ୍। ଏହି ଘଟଣାରେ ଆଗରୁ ୬ଜଣଙ୍କୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ, ସୁପାରି କିଲର୍‌ଙ୍କ ସନ୍ଧାନରେ କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ବ୍ରହ୍ମପୁରରେ ପହଞ୍ଚିଥିଲା। ସ୍କ୍ବାଡ୍‌ର ଦୁଇଟି ଟିମ୍‌ ସ୍ଥାନୀୟ ପୁଲିସ୍‌ ସହାୟତାରେ ଅପରାଧୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ସୁପାରି କିଲର୍ ଦୁଇଜଣ ନୁହନ୍ତି, ବରଂ ୩ଜଣ ବୋଲି ଜଣାପଡ଼ିଥିଲା। ଜଣେ ମାଷ୍ଟରମାଇଣ୍ଡ୍ ଥିବା ବେଳେ ଅନ୍ୟ ଦୁଇଜଣ ତା’ ପାଇଁ କାମ କରନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଥିଲା। ପୂର୍ବରୁ ରାଜ୍ୟ ବାହାରେ ମଧ୍ୟ ସେମାନେ ଟଙ୍କା ନେଇ ହତ୍ୟା‌କାଣ୍ଡ କରୁଥିବା ପୁଲିସ୍‌ ସୁରାକ୍‌ ପାଇଥିଲା। ଭୁବନେଶ୍ବର, ପୁରୀ ଓ ଗଞ୍ଜାମ ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ଏହି ଗୋଷ୍ଠୀ ଏଭଳି କାଣ୍ଡ ଘଟାଉଥିବା ଜଣାପଡ଼ିଥିଲା।



from ରାଜ୍ୟ – Sambad https://ift.tt/36XSsbk

Post a Comment

0 Comments