ଆନନ୍ଦ ମହିନ୍ଦ୍ରାଙ୍କ ଆଖିରେ ପଡ଼ିଲା ମାଲକାନଗିରି ଲୋକଙ୍କ କଷ୍ଟ, ଭରା ନଦୀ ସହ ସଂଗ୍ରାମ ପାଇଁ ବୋଟ୍ ଯୋଗାଇ ଦେବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ବର  : ମାଲକାନଗିରି ଜିଲ୍ଲାର ଦୁର୍ଗମ ସ୍ବାଭିମାନ ଅଞ୍ଚଳର ଲୋକମାନଙ୍କ  ଦୁଃଖ ଦୁର୍ଦ୍ଦଶା ଓ ବଞ୍ଚିବା ପାଇଁ ସଂଘର୍ଷ କାହାଣୀ ଦେଶର ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ବେଶ ବ୍ୟଥିତ କରିଛି । ଜିଲ୍ଲାର ରାଲଗେଡ଼ା ଅଞ୍ଚଳର ଦୁଇ ଅଙ୍ଗନବାଡ଼ି ଦିଦି ନଦୀରେ ବିପଦପୂର୍ଣ୍ଣ ଭାବେ ଭାସି ଲୋକମାନଙ୍କୁ ସେବା ଯୋଗାଇବା ତଥା ସେ ଗଣମାଧ୍ୟମରୁ ଜାଣିବା ପରେ ସେ ସହାୟତାର ହାତ ବଢାଇଛନ୍ତି । ଉକ୍ତ ଅଞ୍ଚଳର ଲୋକମାନଙ୍କ ଗମନାଗମନ ପାଇଁ  ବୋଟ ଯୋଗାଇ ଦେବାକୁ ସେ ନିଜ କମ୍ପାନିର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଟ୍ବିଟ କରି ପ୍ରକାଶ କରିଛନ୍ତି ।

 

ଉଲ୍ଲେଖଯୋଗ୍ୟ ଯେ, ସ୍ବାଧୀନତାର ୭୦ ବର୍ଷ ବିତିଯାଇଥିଲେ ବି ମାଲକାନଗିରି ଜିଲ୍ଲାର ଦୁର୍ଗମ ସ୍ବାଭିମାନ ଅଞ୍ଚଳର ଲୋକମାନେ ଏବେ ବି ସର୍ବନିମ୍ନ ସୁବିଧା ପାଇବାକୁ ସଂଘର୍ଷ କରୁଛନ୍ତି । କିଛିଦିନ ତଳେ ଏପରି ଏକ ସଂଘର୍ଷ କାହାଣୀ ଦେଖିବାକୁ ମିଳିଥିଲା ରାଲଗେଡ଼ା ପଞ୍ଚାୟତରେ । ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ସୁଆପାଲି ନଦୀରେ ବନ୍ୟା ଆସିଥିବାରୁ ସ୍ଥାନୀୟ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଏହା ସତ୍ତ୍ବେ ଅଞ୍ଚଳର ଦୁଇ ଅଂଗନବାଡ଼ି କର୍ମୀ ହେମଲତା ଶିଶା ଓ ପ୍ରମିଳା ପାନେଲ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ବିପଦପୂର୍ଣ୍ଣ ଭାବେ ନଦୀ ପାରି ହୁଅନ୍ତି ଓ ନଈ ସେପଟେ ଥିବା ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି   ଶିଶୁମାନଙ୍କୁ ସେବା ଯୋଗାଇଥାଆନ୍ତି ।  ନଦୀ ପାରି ହେବାକୁ ଅନ୍ୟ ଉପାୟ ନଥିବାରୁ ଲାଉ ତୁମ୍ବା ସାହାଯ୍ୟରେ ସେମାନେ ନଦୀ ପାର୍‌ ହୋଇଥାନ୍ତି । ନଦୀ ପାର ହେବାରେ ଗ୍ରାମବାସୀ ଉଭୟଙ୍କୁ ସହଯୋଗ କରୁଛନ୍ତି। ସୁଆପାଲୀ ନଦୀରେ ଦେଶୀ ଡଙ୍ଗା କିମ୍ବା ସରକାରଙ୍କ ତରଫରୁ କୌଣସି ମୋଟର ବୋଟ୍‌ ନଥିବାରୁ ଲୋକେ ଏଭଳି ଜୀବନକୁ ବାଜି ଲଗାଇ ନଦୀ ପାର କରୁଛନ୍ତି। ପାହାଡ଼ି ନଦୀ ହୋଇଥିବାରୁ ନଦୀ ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଲୋକେ ଭାସିଯାଉଥିବା ମଧ୍ୟ ଜଣାପଡ଼ିଛି। ତେଣୁ ରାଲଗେଡ଼ା ପଞ୍ଚାୟତବାସୀ ତୁରନ୍ତ ସୁଆପାଲୀ ନଦୀରେ ଏକ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।

The post ଆନନ୍ଦ ମହିନ୍ଦ୍ରାଙ୍କ ଆଖିରେ ପଡ଼ିଲା ମାଲକାନଗିରି ଲୋକଙ୍କ କଷ୍ଟ, ଭରା ନଦୀ ସହ ସଂଗ୍ରାମ ପାଇଁ ବୋଟ୍ ଯୋଗାଇ ଦେବାକୁ ଦେଲେ ପ୍ରତିଶ୍ରୁତି first appeared on Sambad.



from ରାଜ୍ୟ – Sambad https://ift.tt/34ec3lD

Post a Comment

0 Comments