କୋଭିଡ୍‌ ଟେଷ୍ଟ କିଟ୍ ଚୋରି କରି ବ୍ୟବସାୟ, ଅଭିଯୋଗ ଆଣିଲେ ଡାକ୍ତର

ଅସ୍ତରଙ୍ଗ: ମେଡିକାଲରୁ କୋଭିଡ୍ ଟେଷ୍ଟ୍ କିଟ୍ ଚୋରି କରିବା ଏବଂ ତାହା ମାଧ୍ୟମରେ ଲୋକଙ୍କ ପରୀକ୍ଷା କରି ଟଙ୍କା ନେବା ଘଟଣାରେ ଜଣେ ମେଡିକାଲ କର୍ମଚାରୀ ଧରାପଡ଼ିଛନ୍ତି। ଏହା ଏବେ ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମେଡିକାଲ କର୍ମଚାରୀ ହେଲେ, ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ରତନପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଲାବୋରେଟୋରି ଟେକ୍‌ନିସିଆନ୍ ଜ୍ଞାନରଞ୍ଜନ ବେହେରା। ଅଭିଯୋଗ ଅନୁସାରେ, ଜ୍ଞାନରଞ୍ଜନ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ସମସ୍ତ କର୍ମଚାରୀଙ୍କ ଅଗୋଚରରେ କିଛି ଆଣ୍ଟିଜେନ୍‌ ଟେଷ୍ଟିଂ କିଟ୍ ନେଇଯାଉଥିଲେ। ସେହି କିଟ୍‌ ସହାୟତାରେ ଆଳସାହି ଛକଠାରେ ଲୋକଙ୍କର ଠାରୁ ଟଙ୍କା ନେଇ ସ୍ବାବ୍ ଟେଷ୍ଟ୍ କରୁଥିଲେ। ତେବେ ଘଟଣା ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ନିଜେ ଅସ୍ତରଙ୍ଗ ଥାନାରେ ଏହି ଅଭିଯୋଗ କରିବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି। ଅଭିଯୋଗକୁ ଭିତ୍ତିକରି ଗତକାଲି ଠାରୁ ଜ୍ଞାନରଞ୍ଜନଙ୍କୁ ପୁଲିସ୍‌ ଅଟକ ରଖିଛି।

ଉଲ୍ଲେଖଯୋଗ୍ୟ ଯେ, ଅସ୍ତରଙ୍ଗରେ କୋଭିଡ୍ ଟେଷ୍ଟ୍ କରିବାକୁ ୩ଟି ଟିମ୍ ଗଠନ ହୋଇଛି। ଗାଁ ଗଣ୍ତାରେ ଦୁଇଟି ଟିମ୍ କାର୍ଯ୍ୟକରୁଥିବା ବେଳେ ମେଡିକାଲ୍ ପରିସରରେ ଗୋଟିଏ ଟିମ୍ କାର୍ଯ୍ୟ କରୁଛି। ଗତକାଲି ମେଡିକାଲ୍ ଟିମ୍ ଅନ୍ୟ ଅଂଚଳକୁ ଗସ୍ତ କରିବା ସମୟରେ ଟେଷ୍ଟିଂ କିଟ୍ ନେବା ଓ ବଳକା କିଟ୍‌ ଅପବ୍ୟବହାର କରିଥିବା ଜଣାପଡ଼ିଥିଲା। କିନ୍ତୁ ଅସ୍ତରଙ୍ଗରେ କିଟ୍ ଚୋରିକରି ଲୋକଙ୍କର ପରୀକ୍ଷା ନାଁରେ ଅର୍ଥ ରୋଜଗାର କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।



from ରାଜ୍ୟ – Sambad https://ift.tt/3jEKE1p

Post a Comment

0 Comments