ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ଫେସ୍‌ବୁକ୍‌ରେ ପୋଷ୍ଟ୍‌ ଘଟଣା : ତୁରନ୍ତ ପୋଷ୍ଟିଂ ହଟାଅ: ଅଦାଲତ

ଜଗତସିଂହପୁର : ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ବିରୋଧରେ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଭୁବନେଶ୍ବର ସବ୍‌ଜଜ୍‌ କୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ପୋଷ୍ଟିଂ ହଟାଇବା ପାଇଁ ନୂଆ ପୋଷ୍ଟିଂ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ମହାପାତ୍ରଙ୍କ ଅଭିଯୋଗ ମୁତାବକ, ୨୦୧୯ରେ ସେ ଜଗତସିଂହପୁର ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତିରେ ସମ୍ପୃକ୍ତ ଥିବା କିଛି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଅଧିକାରୀ ଆଇନଜୀବୀ ଗତିକୃଷ୍ଣ ଶତପଥୀଙ୍କ ସହାୟତାରେ ଫେସ୍‌ବୁକ୍‌ରେ ତାଙ୍କ ନାଁରେ କିଛି ବିବାଦୀୟ ପୋଷ୍ଟିଂ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସରକାରୀ ଅଧିକାରୀ ଏଠାରୁ ବଦଳି ହୋଇଯାଇଥିଲେ ମଧ୍ୟ ତାଙ୍କ ପରାମର୍ଶରେ ଗତିକୃଷ୍ଣ ବାରମ୍ବାର ଏମିତି ପୋଷ୍ଟ କରି ଚାଲିଥିଲେ। ଯାହାକି ସମ୍ପୂର୍ଣ୍ଣ ଅସତ୍ୟ ଓ କେବଳ ତାଙ୍କୁ ବଦନାମ୍ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏଣୁ କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ପ୍ରତିପକ୍ଷର ଦୁଇ ନମ୍ବର ଫେସ୍‌ବୁକ୍‌ର ଆଞ୍ଚଳିକ ଓ ତିନି ନମ୍ବର ମୁଖ୍ୟ ଅଫିସଙ୍କର ଗତିକୃଷ୍ଣଙ୍କ ସହ କୌଣସି ସିଧାସଳଖ ସଂଯୋଗ ନାହିଁ। ଏଣୁ ଉଭୟଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ମାତ୍ର ଗତିକୃଷ୍ଣଙ୍କୁ ତୁରନ୍ତ ଏହି ବିବାଦୀୟ ପୋଷ୍ଟ୍‌ଗୁଡ଼ିକୁ ଡିଲିଟ୍ କରିବା ସହ ଶ୍ରୀ ମହାପାତ୍ରଙ୍କ ବିରୋଧରେ କୌଣସି ନୂତନ ପୋଷ୍ଟ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆସନ୍ତା ମାସ ୧୩ ତାରିଖରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ଏହି ପୋଷ୍ଟ୍‌ଗୁଡ଼ିକ ଦ୍ବାରା ଶ୍ରୀ ମହାପାତ୍ର ନିଜର ସମ୍ମାନହାନି ହୋଇଥିବା ଦର୍ଶାଇବା ସହ ୧୦ ଲକ୍ଷ ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି। ଏଣୁ ଏହି ମାମଲାର ମଧ୍ୟ ଶୁଣାଣି ହେବ। କେବଳ ଗତିକୃଷ୍ଣ ନୁହନ୍ତି, ସ୍ଥାନୀୟ ଅଂଚଳର ଦୁଇଜଣ ଯୁବକ ମଧ୍ୟ ସମାନ ଢ଼ଙ୍ଗରେ ଫେସ୍‌ବୁକ୍‌ରେ ପୋଷ୍ଟ କରୁଥିଲେ। ସେମାନଙ୍କ ବିରୋଧରେ ଭୁବନେଶ୍ବର ସହିଦନଗର ଥାନାରେ ମାମଲା ଦାୟର କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

The post ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ଫେସ୍‌ବୁକ୍‌ରେ ପୋଷ୍ଟ୍‌ ଘଟଣା : ତୁରନ୍ତ ପୋଷ୍ଟିଂ ହଟାଅ: ଅଦାଲତ first appeared on Sambad.



from ରାଜ୍ୟ – Sambad https://ift.tt/3owvi26

Post a Comment

0 Comments