ଆପୋଲୋରେ ପୋଷ୍ଟ କୋଭିଡ୍‌ ରିକଭରି କ୍ଲିନିକ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଆପୋଲୋ ହସ୍ପିଟାଲରେ ଆଜି ପୋଷ୍ଟ କୋଭିଡ୍‌ ରିକଭରି କ୍ଲିନିକର ଶୁଭାରମ୍ଭ ହୋଇଛି। କରୋନାରୁ ସୁସ୍ଥ ହେଉଥିବା ଅନେକ ରୋଗୀଙ୍କ ପରବର୍ତୀ ସମୟରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଏହି ବ୍ୟକ୍ତିମାନଙ୍କ ପାଇଁ ପୋଷ୍ଟ ରିକଭରି କ୍ଲିନିକ୍‌ ସହାୟକ ହେବ। ଏଥିରେ ଛାତିରୋଗ ବିଶେଷଜ୍ଞଙ୍କ ସମେତ ଅନ୍ୟ ବିଶେଷଜ୍ଞମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଫଳରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆଣିବାରେ ସାହାଯ୍ୟ କରିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଆଜି ହୋଟେଲ ଏଚ୍‌ଏଚ୍‌ଆଇରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲର ଆଞ୍ଚଳିକ ସିଇଓ ସୁଧୀର ଏମ୍‌ ଦିଗିକର କହିଲେ, ଦେଶବ୍ୟାପୀ ଆପୋଲୋ ହସ୍ପିଟାଲ ପକ୍ଷରୁ ପୋଷ୍ଟ କୋଭିଡ୍‌ ରିକଭରି କ୍ଲିନିକ୍‌ ଖୋଲା ଯାଉଛି। ଏଥିପାଇଁ ହସ୍ପିଟାଲ ପକ୍ଷରୁ ନିର୍ଦେଶାବଳୀ ଜାରି ହେବା ସହିତ କ୍ଲିନିକସିଆନ୍‌ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଯାହାଫଳରେ ରୋଗୀମା‌ନଙ୍କୁ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରାଯାଇ ପାରିବ। କୋଭିଡ୍‌-୧୯ ଶରୀରର ପ୍ରାୟ ସବୁ ଅଙ୍ଗକୁ ପ୍ରଭାବିତ କରୁଛି। ଷ୍ଟ୍ରୋକ୍‌, ମାୟୋକାର୍ଡିଆଲ ଇନଫ୍ରାକ୍ସନ୍, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟାଗୁଡ଼ିକ କୋଭିଡ୍‌ ପରବର୍ତୀ ସିଣ୍ଡ୍ରୋମ୍‌ର ଅଂଶ। ତେଣୁ ଏସବୁ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ପୋଷ୍ଟ କୋଭିଡ୍‌ ରିକଭରି କ୍ଲିନିକ୍‌ ଏ ଦିଗରେ ସହାୟକ ହୋଇପାରିବ‌ ବୋଲି ଶ୍ରୀ ଦିଗିକର କହିଥିଲେ।

ବରିଷ୍ଠ ଛାତିରୋଗ ବିଶେଷଜ୍ଞ ଡା.କାର୍ତିକ ଜେନା କହିଲେ, କରେନା କେବଳ ଫୁସଫୁସ୍‌କୁ ଆକ୍ରମଣ କରେ ନାହିଁ ବରଂ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ। କେତେକ ସମସ୍ୟା ଚିକିତ୍ସା ପୂରଣ ହେବାର ସପ୍ତାହ କିମ୍ବା ମାସକ ପରେ ଦେଖାଦିଏ। ସ୍ବତନ୍ତ୍ର କ୍ଲିନିକ୍‌ରେ ରୋଗୀଙ୍କ ଲକ୍ଷଣ ଉପରେ ନିରନ୍ତର ଅନୁଧ୍ୟାନ ରଖିବା ସହିତ ସମୟୋପଯୋଗୀ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହୋଇପାରିବ ବୋଲି ଡା.ଜେନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ସେବା ନିର୍ଦେଶକ ଡା.ଆଶିଷ ଚନ୍ଦ୍ର, ଅପରେସନ ମହାପ୍ରବନ୍ଧକ ଅର୍ଣ୍ଣବ ଏସ୍‌ ରାହା, ରାକେଶ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

The post ଆପୋଲୋରେ ପୋଷ୍ଟ କୋଭିଡ୍‌ ରିକଭରି କ୍ଲିନିକ୍‌ର ଶୁଭାରମ୍ଭ first appeared on Sambad.



from ରାଜ୍ୟ – Sambad https://ift.tt/31RgEZy

Post a Comment

0 Comments