ନିୟମ କ’ଣ ଜାଣିପାରୁ ନାହାନ୍ତି ମିଠା ବ୍ୟବସାୟୀ, ୧୫ ଦିନ ହେଲାଣି, ସଚେତନତା ବି ସୃଷ୍ଟି ହେଉନି

ଭୁବନେଶ୍ୱର : ଆଉ ବାସି କି ପୁରୁଣା ମିଠା ବିକ୍ରି ହୋଇପାରିବ ନାହିଁ। ମିଠା ବ୍ୟବସାୟୀମାନେ ଦୋକାନର ସମସ୍ତ ମିଠା ସମ୍ମୁଖରେ ତାହାର ଅବଧି ତାରିଖ (ବେଷ୍ଟ ୟୁଜ୍‌ ବିଫୋର୍‌) ଲେଖିବା ବାଧ୍ୟତାମୂଳକ। ଅର୍ଥାତ୍‌ ଅବଧି ଶେଷ ହେବା ପୂର୍ବରୁ ମିଠାଗୁଡ଼ିକ ବିକ୍ରି କରିବାକୁ ପଡ଼ିବ। ଅବଧି ସରିଯାଇଥିଲେ ଏହାକୁ ବିକ୍ରି କରାଯାଇପାରିବ ନାହିଁ। ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ତଥା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏଭଳି ନିୟମ ଲାଗୁ କରିଛି ଖାଦ୍ୟ ସୁରକ୍ଷା ମାନକ ପ୍ରାଧୀକରଣ (ଏଫ୍‌ଏସ୍‌ଏସ୍‌ଏଆଇ)। ଖାଲି ସେତିକି ନୁହେଁ ପୂର୍ବରୁ ପ୍ୟାକ୍‌ ହୋଇ ରହିଥିବା ମିଠା ବକ୍ସରେ ମଧ୍ୟ ମିଠା ତିଆରି ତାରିଖ ଓ ଅବଧି ସମୟ ଉଲ୍ଲେଖ କରିବା ବାଧ୍ୟତାମୂଳକ। ଏହାର ଠିକ୍‌ ଅନୁପାଳନ ନ ହେଲେ ବିଭାଗ ପକ୍ଷରୁ କଠୋର ଦଣ୍ଡବିଧାନ ସହ ୨ ଲକ୍ଷ ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ। ଅକ୍ଟୋବର ୧ ତାରିଖରୁ ଏଫ୍‌ଏସ୍‌ଏସ୍‌ଏଆଇର ଏହି ନିୟମ ଲାଗୁ ହୋଇଥିଲେ ମଧ୍ୟ ରାଜଧାନୀର କୌଣସି ମିଠା ଦୋକାନୀ ଏହି ନିୟମ ପାଳନ କରୁଥିବା ନଜର ଆସୁନି। ଏପରିକି ଅଧାରୁ ଅଧିକ ମିଠା ବ୍ୟବସ‌ାୟୀ ଏହି ନିୟମ ବିଷୟରେ ଅବଗତ ହିଁ ନାହାନ୍ତି।

ମିଠା ବ୍ୟବସାୟୀମାନେ ଏକାଥରେ ଭାରି ମାତ୍ରାରେ ମିଠା ତିଆରି କରୁଥିବା ବେଳେ ବିକ୍ରି ନ ହେଲେ ଅନେକ ସମୟରେ ଗ୍ରାହକଙ୍କୁ ବାସି କିମ୍ବା ଅବଧି ସରିଯାଇଥିବା ମିଠା ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ଗ୍ରାହକମାନେ ଅନେକ ସମୟରେ ଅଭିଯୋଗ ବି କରନ୍ତି। ଏହାକୁ ନଜରରେ ରଖି ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଅକ୍ଟୋବର ପହିଲାରୁ ସାରା ଦେଶରେ ନିୟକ ଲାଗୁ କରାଗଲା। କିନ୍ତୁ ନିୟମ ଲାଗୁ କରି ବିଭାଗ ନିଦ୍ରା ଯାଇଥିବା ବେଳେ ମିଠା ଦୋକାନୀ ଏହାକୁ ମାନୁ ନାହାନ୍ତି।

ଓଡ଼ିଶାରେ ପ୍ରତି ବର୍ଷ ୩୫୦୦ କୋଟି ଟଙ୍କର ମିଠା କାରବାର ହୁଏ। ଅର୍ଥାତ ମାସକୁ ପ୍ରାୟ ୩୦୦ କୋଟି ଟଙ୍କାର ବ୍ୟବସାୟ। ଆଗକୁ ଦଶହରା ଓ ଦୀପାବଳି ଆସୁଥିବାରୁ ବ୍ୟବସାୟ ବି ଖୁବ୍‌ ଜମିବ। ଏଭଳି ସ୍ଥଳରେ ବ୍ୟବସାୟୀମାନଙ୍କୁ ମିଠା ବିକ୍ରି ଗାଇଡ୍‌ଲାଇନ୍‌ ବିଷୟରେ ସଚେତନ କରିବା ସହ ସେମାନେ ଯେଭଳି କଡ଼ାକଡ଼ି ଭାବେ ଏହି ନିୟମ ପାଳନ କରିବେ ସେ ସେଇ ବିଭାଗ ତତ୍ପରତା ପ୍ରକାଶ କରିବା ଉଚିତ। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଚିଠି ପାଇବା ପରେ ଆମେ ଭୁବନେଶ୍ବରର ସମସ୍ତ ମିଠା ବ୍ୟବସାୟୀ ସଂଘଙ୍କ ସମେତ ବଡ଼ ବଡ଼ ମିଠା ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛୁ। ପ୍ରତି ମିଠା ସମ୍ମୁଖରେ ଅବଧି ତାରିଖ ଲେଖିବା ସହ ପ୍ୟାକେଜ୍‌ ମିଠାରେ ପ୍ରସ୍ତୁତି ଓ ଅବଧି ସମୟ ଲେଖିବାକୁ ଅନିବାର୍ଯ୍ୟ କହିଛୁ। ଏଥିସହ ଛୋଟ ଛୋଟ ମିଠା ଦୋକାନୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।

ଉତ୍କଳ ମିଠା ବ୍ୟବସାୟୀ ସଂଘର ରାଜ୍ୟ ସଭାପତି ବିମ୍ବାଧର ବେହେରା କହିଛନ୍ତି, ବିଏମ୍‌ସି ପକ୍ଷରୁ ଆ‌ମକୁ ୧୫ ଦିନ ହେଲା ଏହି ଗାଇଡ୍‌ଲାଇନ୍‌ ନେଇ ନୋଟିସ ଜାରି କରାଯାଇଛି। ଏନେଇ ଆମେ ପ୍ରସ୍ତୁତି ଆରମ୍ଭ କରି ଦେଇଛୁ। କେଉଁ ମିଠାର ଅବଧି କେତେ ଦିନ, ମିଠାକୁ କିଣିବାର କେତେ ଦିନ ପର୍ଯ୍ୟନ୍ତ ଗ୍ରାହକ ରଖିପାରିବେ, କେବେ ସୁଦ୍ଧା ଖାଇପାରିବେ, ସଂରକ୍ଷିତ କେମିତି କରିବେ ଏନେଇ ଏକ ଚାର୍ଟ ପ୍ରସ୍ତୁତ ହୋଇଛି। ଆସନ୍ତାକାଲି ଏନେଇ ଆମର ଚୂଡ଼ାନ୍ତ ବୈଠକ ରହିଛି। କାଲି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ସଂଘ ଅଧୀନରେ ଥିବା ସମସ୍ତ ମିଠା ଦୋକାନୀ ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ୍‌କୁ ଅନୁକରଣ କରି‌ବେ। ଭୁବନେଶ୍ବରରେ ମୋଟ୍‌ ୬୫୦ରୁ ଅଧିକ ମିଠା ଦୋକାନ ରହିଥିବା ବେଳେ ୪୦୦ ମିଠା ଦୋକାନ ଆମ ସଂଘ ଅଧୀନରେ ରହିଛି ବୋଲି ଶ୍ରୀ ବେହେରା କହିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ମିଠାର ଭିନ୍ନ ଭିନ୍ନ ଅବଧି ସମୟ ରହିବ। ୪/୫ଟି ରଙ୍ଗର ସଙ୍କେତିକ ଚିହ୍ନ ମିଠା ଉପରେ ରହିବ। ଏହି ରଙ୍ଗ ସବୁ ମିଠାର ଅବଧି ସମୟକୁ ଦର୍ଶାଇବ।

The post ନିୟମ କ’ଣ ଜାଣିପାରୁ ନାହାନ୍ତି ମିଠା ବ୍ୟବସାୟୀ, ୧୫ ଦିନ ହେଲାଣି, ସଚେତନତା ବି ସୃଷ୍ଟି ହେଉନି first appeared on Sambad.



from ରାଜ୍ୟ – Sambad https://ift.tt/3j8W8cC

Post a Comment

0 Comments