ଏସସିବି ଆଇସୋଲେସନ ୱାର୍ଡରେ ଅଭାବନୀୟ ସ୍ଥିତି, ଶବ ବେକରୁ ସୁନା ଚୋରି

କଟକ: କଟକ ବଡ଼ ମେଡିକାଲ ଆଇସୋଲେସନ ୱାର୍ଡରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୭୬ ବର୍ଷ ବୟସ୍କା ମହିଳାଙ୍କର ଆଜି ମୃତ୍ୟୁ ଘଟିଥିବାବେଳେ ତାଙ୍କ ବେକରେ ପଡ଼ିଥିବା ସୁନା ଚେନ୍, ଲକେଟ୍‌ଟି ଚୋରି ହୋଇଯାଇଛି। ମୃତକଙ୍କ ଶବ ପାଖାପାଖି ୧୪ ଘଣ୍ଟା ପରେ ଆଇେସୋଲେସନ ୱାର୍ଡରୁ ସତ୍କାର ପାଇଁ ଉଠିଥିବାବେଳେ ଏଭଳି ଘଟଣା ତାଙ୍କ ସଂପର୍କୀୟ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଚିକିତ୍ସା ଅବହେଳାରୁ ମା’ଙ୍କ ଜୀବନ ଗଲା, ମୃତଦେହ ସତ୍କାର କରିବାକୁ ୧୪ ଘଣ୍ଟା ହେଲା ଅପେକ୍ଷା କରିଛୁ, ଆଉ ଶେଷରେ ମା’ଙ୍କ ସନ୍ତକ ବି ଆମକୁ ମିଳିଲାନି ‌ବୋଲି କାନ୍ଦିକାନ୍ଦି ତାଙ୍କ ବଡ଼ପୁଅ କହିଛନ୍ତି। ଏ ସଂପର୍କରେ ସେ ବଡ଼ ମେଡିକାଲ୍ ଫାଣ୍ଡିରେ ବି ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଅନେକ ଲୋକଙ୍କ କ୍ଷେତ୍ରରେ ଘଟୁଥିବାରୁ ପୁଲିସ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳର ସୁବୋଧ ସରାଫ୍ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଆସିଥିଲେ। ସୁ ବୋଧଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ତାଙ୍କ ମା’ ହଠାତ୍‌ ଅସୁସ୍ଥ ହେବା ସହିତ ଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ୧୦୮ ଆମ୍ବୁଲାନ୍ସରେ ଭୁବନେଶ୍ବରର ଦୁଇଟି ସରକାରୀ ହସ୍ପିଟାଲକୁ ଯାଇଥିବା ବେଳେ ସେଠାରେ ସେମାନଙ୍କୁ ଫେରାଇ ଦିଆଯାଇଥିଲା। ଶେଷରେ ସେ ଗତକାଲି ମା’ଙ୍କୁ ନେଇ କଟକ ବଡ଼ମେଡିକାଲ କାଜୁଆଲିଟିରେ ପହଞ୍ଚି ଥିଲେ। ସେଠାରେ କିନ୍ତୁ ତାଙ୍କୁ ଚିକିତ୍ସା କରାନଯାଇ ଆଇସୋଲେସନ ୱାର୍ଡକୁ ପଠାଇ ଦିଆଯାଇଥିଲା। କିନ୍ତୁ ସେଠି ବି ଦୀର୍ଘ ସମୟ ଧରି କେହି ତାଙ୍କୁ ଦେଖି ନଥିଲେ। ଜଣେ ଡାକ୍ତରଙ୍କୁ ଅନେକ ନେହୁରା ହେବା ପରେ ସେ ଯଦିଓ ପଦକ୍ଷେପ ନେଇ ଥିଲେ କିନ୍ତୁ ମା’ଙ୍କୁ ଅକ୍ସ‌ିଜେନ୍ ଦେବାକୁ ବି କେହି ନଥିଲେ। ଅନେକ ବିଳମ୍ବରେ ତାଙ୍କୁ ଅକ୍ସିଜେନ ଦିଆଗଲା। ଆଜି ସକାଳ ୬ଟାରେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ମୃତଦେହ ଚଟାଣରେ ପଡି ରହିଥିଲେ ବି ସଂଧ୍ୟା ଯାଏ ତାଙ୍କ ଶବ ଉଠା ଯାଇ ନଥିଲା। କାଗଜପତ୍ର ପ୍ରସ୍ତୁତି, ଏକ ସମୟରେ ସବୁ ମୃତଦେହ ଶ୍ମଶାନକୁ ଯିବ ଭଳି କାରଣ ‌ଦର୍ଶାଇ ସେଠାରେ ଥିବା ଲୋକ ସମୟ ଗଡ଼ାଇ ଚାଲିଥିଲେ। ମା’ଙ୍କ ବେକରେ ଥିବା ‌ସୁନାଚେନ୍ ଲକେଟ୍ ମାଗିବାରୁ ତାହା ନାହିଁ ବୋଲି କହିଥିଲେ। ଇଏ କି ପ୍ରକାର ସରକାରୀ ବ୍ୟବସ୍ଥା ବୋଲି ଶ୍ରୀ ସରାଫ ପ୍ରଶ୍ନ କରିବା ସହିତ ଏହାର ତଦନ୍ତ କରାଯାଇ ତାଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ବୋଲି କୋହଭରା କଣ୍ଠରେ ଦାବି କରିଛନ୍ତି।



from ରାଜ୍ୟ – Sambad https://ift.tt/36zpbDA

Post a Comment

0 Comments