ଓଟିଭି ସାରୁଅ ଜମି ଦୁର୍ନୀତି ମାମଲା: ମହିଳା ସମିତିର କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ବାଘମାରୀ ଥାନା ଅନ୍ତର୍ଗତ ସାରୁଅଠାରେ ଓଟିଭି–ତରଙ୍ଗର ଜମି ଜାଲିଆତି ଘଟଣାରେ ନୂଆମୋଡ଼ ସୃଷ୍ଟି ହୋଇଛି। ଓଟିଭିର କର୍ପୋରେଟ୍ ସାମାଜିକ ଦାୟିତ୍ବ ପାଣ୍ଠି (ସିଏସ୍‌ଆର୍)ରେ ଗଠିତ ହୋଇଥିବା ମହିଳା ସମିତିର ସଭାନେତ୍ରୀଙ୍କ ସମେତ ଅନ୍ୟ ସଦସ୍ୟା କମ୍ପାନିର ଜମି ଦୁର୍ନୀତିକୁ ବିରୋଧ କରି ସାମୂହିକ ଇସ୍ତଫା ଦେଇଛନ୍ତି। ଏହି ଘଟଣା ପରେ ଓଟିଭି ପାଇଁ ସମସ୍ୟା ବୃଦ୍ଧି ପାଇଛି।

ସାରୁଅଠାରେ ଓଟିଭିର ଜମି ମଧ୍ୟରେ ନିର୍ମିତ ମହିଳା ସମିତିର କାର୍ଯ୍ୟାଳୟର ଏକ ପାଚେରି ଚାଷଜମିକୁ ଯୋଗାଉଥିବା ଜଳସ୍ରୋତ ବନ୍ଦ କରିରଖିଥିବା ଗାଁ ଲୋକେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ, ଆଇନାନୁସାରେ ଏହି ପାଚେରିକୁ ଭାଙ୍ଗିବା ପାଇଁ ଓଟିଭିକୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ଓଟିଭି ଏହା ନହଟାଇବାରୁ ୧୫ ଦିନ ପୂର୍ବେ ଖୋର୍ଦ୍ଧା ଉପଜିଲ୍ଲାପାଳ, ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ପାଚେରିକୁ ଡୋଜର ଲଗାଇ ଭାଙ୍ଗିଥିଲେ। ପ୍ରଶାସନ ଦ୍ବାରା ଏହି ପାଚେରି ଭଙ୍ଗା ଘଟଣାକୁ ବିରୋଧ କରି ଓଟିଭିର ସିଏସ୍‌ଆର୍‌ ପାଣ୍ଠିଦ୍ବାରା ଗଠିତ ସାରୁଅ ମହିଳା ବିକାଶ ସମିତିର ସଭାନେତ୍ରୀ ଓ ଅନ୍ୟ ସଦସ୍ୟମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ସେହି ସମିତିର ସଭାନେତ୍ରୀ ଓ ସଦସ୍ୟା ଓଟିଭିର ଜମି ଦୁର୍ନୀତିକୁ ବିରୋଧ କରି ସମିତିରୁ ସାମୂହିକ ଇସ୍ତଫା ଦେଇଛନ୍ତି। ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କ ନିକଟକୁ ଲେଖିଥିବା ପତ୍ରରେ ସଭାନେତ୍ରୀ ଜୟନ୍ତୀ ସାହୁ ଦର୍ଶାଇଛନ୍ତି ଯେ ଓଟିଭିର ଜମିଦୁର୍ନୀତିକୁ ବିରୋଧ କରି ମହିଳା ସମିତିର କୋଷାଧ୍ୟକ୍ଷା ରଶ୍ମିତା ମହାଭୋଇ, ଉପସଭାନେତ୍ରୀ ରଂଜିତା ମହାଭୋଇ, ଯୁଗ୍ମ ସମ୍ପାଦିକା ବିଷ୍ଣୁପ୍ରିୟା ସେନାପତି ଓ ସଦସ୍ୟା ସୌଦାମିନୀ ବେହେରା ତାଙ୍କ ନିକଟକୁ ୨୪ ତାରିଖରେ ଇସ୍ତଫା ପତ୍ର ଦେଇଥିଲେ। ସେମାନଙ୍କ ସହ ଆଲୋଚନାରେ ସେମାନେ ଓଟିଭି ଗରିବ, ଦଳିତଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ହଡ଼ପ କରିଥିବାରୁ କ୍ଷୁବ୍ଧ ହୋଇ ଏହି ଇସ୍ତଫା ଦେଇଥିବା କହିଥିଲେ। ସେମାନଙ୍କ ଏହି ପଦକ୍ଷେପକୁ ସମର୍ଥନ ଜଣାଇ ସେ ମଧ୍ୟ ସଭାନେତ୍ରୀ ଓ ସଦସ୍ୟା ପଦବିରୁ ଇସ୍ତଫା ଦେଇଥିବା କହିଛନ୍ତି।

The post ଓଟିଭି ସାରୁଅ ଜମି ଦୁର୍ନୀତି ମାମଲା: ମହିଳା ସମିତିର କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା first appeared on Sambad.



from ରାଜ୍ୟ – Sambad https://ift.tt/3e4HBhd

Post a Comment

0 Comments