ଦୀପାବଳି ଭିତରେ ଖୋଲିବନି ସ୍କୁଲ!

ଦ୍ବିତୀୟ ଲହରିକୁ ନେଇ ଚିନ୍ତାରେ ସରକାର
୯ମରୁ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ବିଚାରବିମର୍ଶ

ଭୁବନେଶ୍ୱର : ଦଶହରା ଛୁଟି ପରେ ଓଡ଼ିଶାରେ ସ୍କୁଲ ଖୋଲିବା ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରାଜ୍ୟରେ କରୋନା ସଂକ୍ରମଣ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ଏବେ ସ୍କୁଲ ନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ତଥା ଦେଶରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ଲହରି ଆସିବା ନେଇ ବିଶେଷଜ୍ଞମାନେ ଆକଳନ କରୁଥିବାରୁ ରାଜ୍ୟ ସରକାର ଆଉ ୧୫ ଦିନ ସମୟ ଗଡ଼ାଇଛନ୍ତି। ଏହି ସମୟ ମଧ୍ୟରେ କରୋନା ସ୍ଥିତି ଉପରେ ନଜର ରଖାଯିବ। ଯଦି ବର୍ତମାନର ସ୍ଥିତି ସ୍ଥିର ରହେ କିମ୍ବା ସଂକ୍ରମଣ ହ୍ରାସ ପାଏ ତେବେ ଦୀପାବଳି ତଥା ନଭେମ୍ବର ୧୪ ପରେ ସ୍କୁଲ ଖୋଲିପାରେ। ସେପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆପାତତଃ ନିଷ୍ପତ୍ତି ନିଆଯାଇଛି।

‘ସମ୍ବାଦ’କୁ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ଦଶହରା ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏବେ ଦଶହରା ସରିଥିବା ବେଳେ ଅକ୍ଟୋବର ୩୧ରେ କୁମାର ପୂର୍ଣ୍ଣିମା ଶେଷ ହେଉଛି। ସେହି ଅନୁଯାୟୀ ନଭେମ୍ବର ୨ରେ ସ୍କୁଲ ଖୋଲିବା ଲାଗି ପ୍ରାୟତଃ ସ୍ଥିର କରାଯାଇଥିଲା। ତାହାକୁ ଦୃଷ୍ଟିରେ ରଖି ସ୍କୁଲ କ୍ୟାମ୍ପସ ସଫା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବା ଲାଗି ଗତ ୯ ତାରିଖରେ ନିର୍ଦେଶ ଦିଆଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିବା ସହ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ବର୍ତମାନ ସ୍ଥିତିରେ କରୋନା ସଂକ୍ରମଣରେ ସେତେଟା ଆଖିଦୃଶିଆ ହ୍ରାସ ପାଇ ନ ଥିବାରୁ ନିଷ୍ପତ୍ତିକୁ ଆଉ ୧୫ ଦିନ ବଢ଼ାଇ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସ୍ଥିର ହୋଇଛି। ଏହି ବୈଠକରେ ସ୍କୁଲ ଖୋଲିବା ନେଇ ବ୍ୟାପକ ଆଲୋଚନା ହୋଇଛି। ଗୋଟିଏ ପଟେ ପିଲାଙ୍କ ସ୍ବାସ୍ଥ୍ୟ ଓ ଅନ୍ୟପଟେ ସେମାନଙ୍କ ଭବିଷ୍ୟତ। ଏହି ଦୁଇଟିକୁ କିଭଳି ଏକାଠି କରି ଆଗକୁ ବଢ଼ି ହେବ ସେନେଇ ବିଚାରବିମର୍ଶ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ) ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକ ଖୋଲିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଭବିଷ୍ୟତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ନିୟମାବଳୀ ଜାରି କରି ଉକ୍ତ ଦୁଇ ଶ୍ରେଣୀ ଖୋଲାଯିବ। ସମସ୍ତ ଶ୍ରେଣୀର ସିଲାବସ୍‌କୁ ୩୦ ପ୍ରତିଶତ ହ୍ରାସ କରାଯାଇଛି। ଯଦି ଦରକାର ପଡ଼େ ତେବେ ଆଉ ହ୍ରାସ କରାଯାଇପାରେ। ତେବେ ସିବିଏସ୍‌ଇ ଓ ଆଇସିଏସ୍‌ସିଇ ବୋର୍ଡର ପରବର୍ତୀ ପଦକ୍ଷେପ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି।

Theirworld

ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପରେ କେତେକ ରାଜ୍ୟ ନଭେମ୍ବରରେ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ନଭେମ୍ବର ୨ରୁ ଉତ୍ତରାଖଣ୍ଡରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଆନ୍ଧ୍ରପ୍ରଦେଶରେ ବି ନଭେମ୍ବର ୨ରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ ଏବଂ ମଧ୍ୟାହ୍ନ‌ଭୋଜନ ପରେ ସ୍କୁଲ ଛୁଟି କରାଯିବ। ଆସାମରେ ଇତିମଧ୍ୟରେ ଅଫ୍‌ ଲାଇନ୍‌ କ୍ଲାସ ଆରମ୍ଭ ହୋଇଛି। ନଭେମ୍ବର ପହିଲାରୁ ୬ରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବାକୁ ଯୋଜନା କରାଯାଇଛି। ନଭେମ୍ବର ୨ରୁ ହିମାଚଳପ୍ରଦେଶରେ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ। ତେବେ ଓଡ଼ିଶା ସମେତ ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଶ୍ଚିମବଙ୍ଗ ପରି କେତେକ ରାଜ୍ୟ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ଆଖିରେ ରଖି ଆମକୁ ପଦକ୍ଷେପ ନେବାକୁ ହେବ। ଏନେଇ ବିଚାରବିମର୍ଶ ଜାରି ରହିଛି। ସ୍କୁଲ କେବେ ଖୋଲିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ।

The post ଦୀପାବଳି ଭିତରେ ଖୋଲିବନି ସ୍କୁଲ! first appeared on Sambad.



from ରାଜ୍ୟ – Sambad https://ift.tt/3oIhwcD

Post a Comment

0 Comments