ଯିଏ ବିକାଶ କରୁଛି, ତାକୁ ଭୋଟ ଦିଅ

ବାଲେଶ୍ୱର : ନବୀନ ବାବୁଙ୍କ ନେତୃତ୍ବରେ ସାରା ଓଡ଼ିଶା ବିକାଶପଥରେ ଆଗେଇ ଚାଲିଛି। ସମଗ୍ର ରାଜ୍ୟବାସୀ ମଧ୍ୟ ଏଥିପାଇଁ ନବୀନ ବାବୁଙ୍କୁ ଅକୁଣ୍ଠ ସମର୍ଥନ ଦେଇ ଆସୁଛନ୍ତି। ତେବେ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ କ’ଣ ପାଇଁ ସେଥିରୁ ବାଦ୍‌ ପଡ଼ିବ? ଯିଏ ବିକାଶ ପାଇଁ କାମ କରୁଛି, ତାକୁ ଭୋଟ୍‌ ଦେବାକୁ ଆହ୍ବାନ ଦେଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ।

ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଗୁରୁବାର ପୂର୍ବାହ୍ନରେ ସାର୍ଥା ପଞ୍ଚାୟତ ପଞ୍ଚମୀ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଗତ ସାଧାରଣ ନିର୍ବାଚନରେ ସାରା ଓଡ଼ିଶା ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଦେଇଥିବା ବେଳେ ବାଲେଶ୍ବର ଜିଲ୍ଲା ସେଥିରୁ ବାଦ୍‌ ପଡ଼ିଥିଲା। ଫଳରେ ବିକାଶର ଯେଉଁ ଧାରା ଚାଲିଥିଲା, ତାହା ଆଜି ଠପ୍‌ ହୋଇଯାଇଛି। ସେତେବେଳେ ସଦରବାସୀ ଯେଉଁ ଭୁଲ୍‌ କରିଥିଲେ, ତାହା ଏବେ ସୁଧାରିବାର ବେଳ ଆସିଛି। ତେଣୁ ଆସନ୍ତା ୩ ତାରିଖ ଉପନିର୍ବାଚନରେ ଦଳୀୟ ପ୍ରା‌ର୍ଥୀ ସ୍ବରୂପ ଦାସଙ୍କୁ ବହୁସଂଖ୍ୟାରେ ଭୋଟ୍‌ ଦେଇ ଜିତାଇବାକୁ ସେ ନିବେଦନ କରିଥିଲେ।

ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ କହିଲେ, ବାଲେଶ୍ବର ହେଉଛି ସ୍ବାଧୀନତା ସଂଗ୍ରାମର ମାଟି ତଥା ଲଢ଼େଇର ମାଟି। ଅନ୍ୟାୟ, ଅତ୍ୟାଚାରକୁ ଏ ମାଟି କେବେ ପ୍ରଶ୍ରୟ ଦେଇନାହିଁ। ବିଜେଡି ସରକାର ବିକାଶକୁ ପ୍ରାଧାନ୍ୟ ଦେଉଥିବା ବେଳେ ତାକୁ ଆହୁରି ବ୍ୟାପକ କରିବା ପାଇଁ ସ୍ବରୂପଙ୍କୁ ନିର୍ବାଚିତ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଯୁବନେତା ମାନସ ଦାସପଟ୍ଟନାୟକ ବାଲେଶ୍ବର ଜିଲ୍ଲା ସମେତ ସାର୍ଥା ଅଞ୍ଚଳର ଯେଉଁ ଅଦ୍ଭୁତପୂର୍ବ ବିକାଶ ହୋଇଛି ତାହା କେବଳ ବିଜେଡି ସରକାର ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ଦୀର୍ଘ ୬ ଦଶନ୍ଧି ଧରି ଅଞ୍ଚଳବାସୀଙ୍କର ସବୁଠାରୁ ବଡ଼ ଦୁଃଖ ପାଲଟିଥିବା ପଞ୍ଚୁପଡ଼ା ସେତୁ ନବୀନ ସରକାର ଅମଳରେ ହୋଇଥିବ‌ା ଦର୍ଶାଇ ବିଜେଡିକୁ ବିପୁଳ ସମର୍ଥନ ଦେବାକୁ ନିବେଦନ କରିଥିଲେ। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଦଳର ରାଜ୍ୟ ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ମିଶ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ପ୍ରାର୍ଥୀ ସ୍ୱରୂପ ଦାସ, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସୁବାସିନୀ ଜେନା, ଅଭିନେତା କୁନା ତ୍ରିପାଠୀ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ, ଅଭିନେତ୍ରୀ ଏଲିନା ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବରୂପଙ୍କ ପାଇଁ ପ୍ରଚାର କରିଥିଲେ। ପରେ ଚକସାର୍ଥାଠାରେ ଏକ ନିର୍ବାଚନୀ ସଭାରେ ନେତୃବୃନ୍ଦ ଯୋଗ ଦେଇଥିବା ‌ବେଳେ ଅପରାହ୍‌ଣ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ସମାବେଶରେ ସମସ୍ତେ ଯୋଗ ଦେଇଥିଲେ।

The post ଯିଏ ବିକାଶ କରୁଛି, ତାକୁ ଭୋଟ ଦିଅ first appeared on Sambad.



from ରାଜ୍ୟ – Sambad https://ift.tt/2JkOO1p

Post a Comment

0 Comments