ରାସନ କାର୍ଡ ଆବେଦନଠୁ ଧାନ ସଂଗ୍ରହ ପଞ୍ଜୀକରଣ : ଏବେ ଅନ୍‌ଲାଇନ୍

ଭୁବନେଶ୍ୱର : “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା- ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ”।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜର ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରିବା ଲାଗି ଆଜି ଏଭଳି ଏକ ବଡ଼ ଏବଂ ଗରୁତ୍ବପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରାସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଅନ୍‌ଲାଇନ ବ୍ୟବସ୍ଥା ମାଧ୍ୟମରେ ହିଁ ହେବ। ଆଜି ଭିଡ଼ିଓ କନଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଲୋକମାନେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ (ଜାତୀୟ ଯୋଜନାରୁ ବାଦ୍ ପଡ଼ିଥିବା) ୨୫ ଲକ୍ଷ ଲୋକଙ୍କୁ ସାମିଲ କରିଛନ୍ତି। ଏହି କ୍ରମରେ ସାରା ରାଜ୍ୟରେ ସାଢେ ତିନି କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି।

ସାରାରାଜ୍ୟର ଲୋକ ଖାଦ୍ୟ ଯୋଗାଣ ବିଭାଗ ସହିତ ସିଧାସଳଖ ଯୋଡି ହୋଇ ରହିଥିବା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍‌ ଭାବରେ ପାଇପାରିବେ ସେଥିପାଇଁ ଅନ୍‌ ଲାଇନ ବ୍ୟବସ୍ଥା ସଂପର୍କରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ଏଣୁ ମାସକ ମଧ୍ୟରେ କେତେ ଲୋକ ଏହି ଅନ୍‌ଲାଇନ ସୁବିଧାର ବ୍ୟବହାର କଲେ, ସେ ସଂପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଖାଦ୍ୟ ସୁରକ୍ଷା ଦିଗରେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ଯେଉଁ ବ୍ୟାପକ ପରିବର୍ତ୍ତନ ଆସିଛି, ସେ ସଂପର୍କିତ ସମସ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତକ ” ମେକିଂ ଅଫ୍ ଏ ଫୁଡ୍‌ ସିକ୍ୟୋର ଓଡ଼ିଶା’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ।

ସଂପ୍ରତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏଗୁଡିକ ହେଲା, ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କ ପଞ୍ଜୀକରଣ, ରାସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ ଇତ୍ୟାଦି, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନ୍‌ସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନ ମାନଙ୍କ ଦ୍ବାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ। ଏସବୁ ସୁବିଧା ଗୁଡିକ www.foododisha.in ରେ Cetizen Services ଲିଙ୍କ୍ ରେ ମିଳିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମରେ ଭାଗନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ୫ଟି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ। ଆଜିର ଏହି ଅନ୍‌ଲାଇନ ସେବା ଗୁଡିକ ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇପାରିବ। ସଚିବ ବୀର ବିକ୍ରମ ଯାଦବ ସମସ୍ତଙ୍କୁ ସ୍ବାଗତ କରି ନୂତନ ସେବା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ଆର୍‌.କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ଜିଲ୍ଲାପାଳ ଏବଂ ଖାଦ୍ୟ ଯୋଗାଣ ବିଭାଗର କ୍ଷେତ୍ର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

The post ରାସନ କାର୍ଡ ଆବେଦନଠୁ ଧାନ ସଂଗ୍ରହ ପଞ୍ଜୀକରଣ : ଏବେ ଅନ୍‌ଲାଇନ୍ first appeared on Sambad.



from ରାଜ୍ୟ – Sambad https://ift.tt/2HpU1UK

Post a Comment

0 Comments